Unknown

 

 

 

 

 

 

 

 

 

 

 

ପଥ : ଜନପଥ ଓ ଅନ୍ୟାନ୍ୟ ଗଳ୍ପ

ଭାଗୀରଥି ନେପାକ

 

ସୂଚୀପତ୍ର

 

ପଥ : ଜନପଥ

ଶ୍ରୀ ଭାଗୀରଥି ନେପାକ

ଚଳଚିତ୍ର-୨

ଶ୍ରୀ କୁଞ୍ଜ ରାୟ

ଆହ୍ୱାନ ଓ ଆହ୍ୱାନ

ଶ୍ରୀ ସଚ୍ଚିଦାନନ୍ଦ ମିଶ୍ର

ଫୁଲ

ଶ୍ରୀ ସୋମନାଥ ନାୟକ

ତିନୋଟି ଚିଠି

ଶ୍ରୀ ଉଜ୍ଜ୍ୱଳ ପାଢ଼ୀ

ଆଦ୍ୟ ବସନ୍ତର କାହାଣୀ

ଶ୍ରୀ କୃଷ୍ଣ ମୋହନ ପଟ୍ଟନାୟକ

ତିନି ଅଧ୍ୟାୟ

ଶ୍ରୀ ରାଈ ଚରଣ ଦାସ

ବାଲିଘର

ଶ୍ରୀ ପ୍ରଫୁଲ୍ଲ ସେନାପତି

ଅନ୍ଧାରର ଆଲୋକ

ଶ୍ରୀ କେଳୁ ଚରଣ ଦାସ

ଏକ୍‌ବାର୍‌ ହରିବୋଲ

ଶ୍ରୀ ହରିହର ପଟେଲ

ସ୍ୱର ଲିପି–ଅବଚେତନ ମନର

ଶ୍ରୀ ବ୍ରଜ କିଶୋର ମିଶ୍ର

ପ୍ରାଗୈତିକ

ଶ୍ରୀ ଦଶରଥ ସାମଲ

ନିରନ୍ଧ୍ର ବଂଶୀ

ଶ୍ରୀ ଏକାଦଶୀ ପ୍ରସାଦ ବୋଇତାଇ

କ୍ଷତ

ଶ୍ରୀ ନାରାୟଣ ଚନ୍ଦ୍ର ମହାନ୍ତି

ଅଇନା

ଶ୍ରୀ ଅଦ୍ୱୈତ ମହାନ୍ତି

ପ୍ରଜାପତି

ଶ୍ରୀ ପ୍ରମୋଦ କୁମାର ପଣ୍ଡା

ରସିକ ପ୍ରେମିକ ଶ’

ଶ୍ରୀ କମଳ ଲୋଚନ ମହାନ୍ତି

 

ପଥ : ଜନପଥ

ଭାଗୀରଥି ନେପାକ

 

ଭିନ୍ନ ରୁଚି, ଭିନ୍ନ ସ୍ୱାଦର ଗଳ୍ପ । ଚଳିତ ଶତାବ୍ଦୀର ସଂକ୍ଷିପ୍ତ ପରିକ୍ରମା ବହନ କରିଥିବା ଓଡ଼ିଆ କଥା-ସାହିତ୍ୟର ଏକ ଯୁଗାନ୍ତକାରୀ ଅଭିଲେଖ । ଶତାବ୍ଦୀର ଆଭିମୁଖ୍ୟକୁ ଅସ୍ୱୀକାର କରି ଆଦିମ ଜନପଥ ଯେଉଁ ଆଗନ୍ତୁକଙ୍କୁ ଆହ୍ୱାନ ଜଣାଉଛି; ସେ କିଏ ? କ’ଣ ତା’ର ପରିଚୟ ?? ପଢ଼ନ୍ତୁ–

 

ତା’ପରେ ଜନପଥ ଶୋଇ ପଡ଼ିଲା । ତା’ ଉପରେ ମୁଠା ମୁଠା କୃଷ୍ଣାଚୂଡ଼ା ଛାଇ ହେଲା-। ସମୁଦ୍ର ପଟୁ ସୁଲୁସୁଲିଆ ପବନ ବହି ତା’ ଫିଠି ଆଉଁସିଲା । ଟ୍ରେନ୍‌ ଗାଡ଼ିର ସାଇରନ୍‌ ନାନାବାୟା ଗୀତ ଶୁଣାଇଲା ।

 

ତା’ପରେ କୃଷ୍ଣଚୂଡ଼ା ଫୁଲମାନଙ୍କୁ ଦଳିଚକଟି ଅନେକ ଦ୍ରୁତଗାମୀ ବସ୍‌, ସାଇକେଲ ଓ ରିକ୍‍ସା ଚାଲିଗଲେ । ରାଜଧାନୀର କଲେଜ ପଢ଼ା କନ୍ୟାମାନେ ବାଟକୁ ନ ଚାହିଁ କଲେଜ ପଢ଼ା ବନ୍ଧୁମାନଙ୍କୁ ଅଳସ ଆଖିରେ ଚାହୁଁ ଚାହୁଁ ଆକ୍‌ସିଡେଣ୍ଟ କଲେ । ମଦ୍ୟପ ଡ୍ରାଇଭର ଭାରସାମ୍ୟ ହରାଇ ଷ୍ଟିଅରିଂ ଧରିବାରୁ କୁଷ୍ଠରୋଗୀ, ବୁଲା ଭିକାରୀ ଓ କୁକୁରମାନଙ୍କ ସଙ୍ଗେ ଧକ୍‍କା ହେଲା ।

 

ସାହେବୀ ପୋଷାକ ପିନ୍ଧା ଭଦ୍ରଲୋକମାନେ ବିଚ୍‌ରାସ୍ତା ଉପରେ ବେପାରୁଆ ଭାବେ ଚାଲୁ ଚାଲୁ କୌଶଳକ୍ରମେ ବିଦେଶୀ ପରିବ୍ରାଜକମାନଙ୍କ ସଙ୍ଗେ ଧକ୍‌କା କଲେ ଓ ପକେଟ କାଟିଲେ ।

 

ବର୍ଷିୟସୀ ମହିଳାମାନେ ମେକ୍‌ଅପ୍‌ ମାରି ନବଯୁବତୀମାନଙ୍କ ପରି ଘୂରାଫେରା କରୁ କରୁ ପାର୍ଶ୍ୱସ୍ଥିତ ନବ ଯୁବମାନଙ୍କୁ ବିଶେଷ ଧରଣର ଚାହାଣୀରେ ଚାହିଁ ଚପଳ କଲେ ଓ ସେମାନଙ୍କ ପକେଟରୁ ଚା’ଜଳଖିଆ ସକାଶେ ଗଚ୍ଛିତ ହୋଇଥିବା କିଛି ନେହେରୁ ଟଙ୍କା ଓ ରେଜା ପଇସା ହସ୍ତାନ୍ତର କଲେ ।

 

ତା’ପରେ ନୂଆ ରାଜଧାନୀରେ କ୍ରମେ ସନ୍ଧ୍ୟା ହେଲା ଓ ଜନପଥ ଉପରେ ଛାଇ ଅନ୍ଧାର ଛାଇ ହେଇଗଲା ।

 

ଘନ ଅନ୍ଧାର ହେବା ପୂର୍ବରୁ ବିଜୁଳି ଆଲୁଅ ଲାଗିଲା ।

 

ବିଜୁଳି ଆଲୁଅର ବନ୍ୟା ଭିତରେ ସ୍ତ୍ରୀ ପୁରୁଷମାନେ ପୁନର୍ବାର ନୂଆ ମନ, ନୂଆ ପ୍ରାଣ ଓ ନୂଆ ନିଶା ନେଇ ଚଳପ୍ରଚଳ ହେଲେ ।

 

ବିବାହ ସ୍ଥିର ହୋଇଥିବା ଓ ବିବାହ ଲଗ୍ନ ସ୍ଥିର ହୋଇ ଭାଙ୍ଗି ଯାଇଥିବା ବୟସର ଯୁବତୀମାନେ ଆଖିର ଚାହାଣୀରେ ନୂଆ ସୁର ଦେଇ ଗୀତ ଗାଇଲେ ।

 

ଜନପଥର ଅଳସ ନିଦଟା ଭାଙ୍ଗିଗଲା । ସେ ଆଖି ମଳି ମଳି ଦେଖିଲା, ବିଜୁଳି ଆଲୁଅ ପଡ଼ୁନଥିବା କୃଷ୍ଣଚୂଡ଼ା ଗଛ ମୂଳେ ଚକଲେଟ୍ ରଙ୍ଗର ନୂଆ କାର୍‌ଟିଏ ଛିଡ଼ା ହୋଇଛି । କାର୍‌ର ସାମନା ସିଟ୍‌ରୁ ସଙ୍ଗେସଙ୍ଗେ ଜଣେ ଭଦ୍ରଲୋକ ବାହାରି ଆସି ରାସ୍ତା କଡ଼ରେ ଛିଡ଼ା ହେଲେ ଓ ସାମନା ଗୋଲାଇ ଛକକୁ ଅନିସା କଲେ

 

ଜନପଥର ସନ୍ଦେହ ହେଲା । ସେ ଚିଲା ଚିଲା ଆଖିରେ ସେହି ଭଦ୍ରଲୋକ ଓ ଗୋଲଇ ଛକକୁ ଏକ ସଙ୍ଗରେ ଦେଖୁଥିବା ଅବସ୍ଥାରେ ଜଣେ ପୋଲିସ୍‍ ଅଫିସର ଆସି ଭଦ୍ରଲୋକ ସଙ୍ଗେ ସାକ୍ଷାତ କଲେ ଓ କୃଷ୍ଣଚୂଡ଼ା ଗଛମୂଳେ ମନ୍ତ୍ରଣା କଲେ

 

ପୋଲିସ୍‌ ଅଫିସର ଫେରି ଯିବାର ଅଳ୍ପ କିଛି ସମୟ ପରେ ପୋଲିସ୍‍ ଦଳ ଧାଡ଼ି ବାନ୍ଧି ମାର୍ଚ୍ଚିଂ କରି ରାସ୍ତା ଉପରେ ଚାଲିଗଲେ ।

 

ଜନପଥ ଦେଖିଲା, ଟିକକ ପୂର୍ବର ମତାଣିଆ କଳଗୁଞ୍ଜନ ମ୍ଳାନ ପଡ଼ିଯାଇଛି । ତାରି ଦି’ପାଖରେ ଗମ୍ବୁଜ ପରି ତୋଳା ଯାଇଥିବା ଚୂନ ଧଉଳା ଘରମାନଙ୍କରୁ ସଖୀକୁଣ୍ଢେଇ ପରି ଦେହ ମୁହଁକୁ ସଜାଇ ନାଁବାଳକ ପୁଅ ଝିଅ, ନାରୀ ଓ ନବ ଯୁବତୀମାନେ ସେହି ପୋଲିସ୍‍ ଧାଡ଼ିକୁ ଭୟମିଶା କୌତୂହଳ ଆଖିରେ ମିଟି ମିଟି କରି ଚାହିଁବାକୁ ଲାଗିଲେ । ଦୋକାନ ବଜାରର ଟିକକ ପୂର୍ବର କୋଳାହଳ କମିଗଲା ଓ ଥମ୍‌ ଥମ୍ ଭାବ ପ୍ରକଟ ହେଲା । ଠେଲା ଗାଡ଼ିର ବ୍ୟବସାୟୀ, ଖୁଚୁରା ପରିବା ଦୋକାନୀ, ବରା, ଗୁଲୁଗୁଲା ପ୍ରସ୍ତୁତକାରୀ ମିସ୍ତ୍ରୀ, ସାଇକେଲ୍‌ ମେକାନିକ୍‌ ଓ ପତ୍ରିକା ହକରମାନେ ସେହି ପୋଲିସ୍‌ ଶୋଭାଯାତ୍ରାକୁ ଚାହିଁ ଚାହିଁ ପରସ୍ପର ମଧ୍ୟରେ ଚୁପ୍‌ଚାପ୍‌ ପଚାରି ହେଲେ, ପୁଣି କ’ଣ ହେଲା ? କେଉଁଠୁ ଆଜି ଘେରାଉ ହବ ? କି ପ୍ରକାର ଦୁର୍ନୀତି ?

 

(ଦୁଇ)

 

ସମଗ୍ର ଅଞ୍ଚଳଟା ପୋଲିସ୍‍ ଆଲୋଚନାରେ ଭୀତତ୍ରସ୍ତ ଓ ବ୍ୟସ୍ତବିବ୍ରତ ଥିଲାବେଳେ, ଜନପଥ କୌତୂହଳ ଆଖିରେ ଦେଖିଲା, କୃଷ୍ଣଚୂଡ଼ା ଶାଖାଛୁଇଁ ଛିଡ଼ାହୋଇ ଥିବା ନାଗାର୍ଜୁନ ବୃକ୍ଷର ବହଳ ଛାଇତଳେ ଆଉ ଏକ ଘଟଣା-ବହୁଳ ଦୃଶ୍ୟ ସଂଘଟିତ ହେଉଛି ।

ସେଇଠି, ସେହି ନାଗାର୍ଜୁନ ବୃକ୍ଷତଳୁ ଏକ ସଂକ୍ଷିପ୍ତ ଶବ ପଟୁଆର ବାହାରିଲି । କୋକେଇକୁ ଚାରିଜଣ ମାଲଭାଇ କାନ୍ଧେଇ ନିର୍ବିକାର, ନିରାସକ୍ତ ଭାବରେ ଆସ୍ତେ ଆସ୍ତେ ଆଗେଇ ଚାଲିଛନ୍ତି । ସାଦା ଧଳାଶାଢ଼ି ପିନ୍ଧିଥିବା ଜଣେ ସ୍ତ୍ରୀଲୋକ ନାକ ଓ ପାଟିରେ ପଣତ ଦେଇ ଦୁଃଖିନୀ ବୃଦ୍ଧାଟିଏ ପରି ଚାଲିଛନ୍ତି । ଶବାଧାରକୁ ଅନୁସରଣ କରି ଚାଲିଥିବା ତୃତୀୟ ଜଣକ ହେଲେ, ଜଣେ ଗୈରିକ ବସନଧାରୀ ସ୍ୱାସ୍ଥ୍ୟବାନ ପୁରୁଷ । ସେ ଜନପଥର ବାମ ଓ ଦକ୍ଷିଣ ପାର୍ଶ୍ୱକୁ ଶାଣିତ ଦୃଷ୍ଟିରେ ନିରୀକ୍ଷଣ କରି ଚାଲିଥିଲେ । ବେଶ ଭୂଷଣରୁ ସେ ଜଣେ ସନ୍ନ୍ୟାସୀ ପରି ମନେହେଉଥିଲେ ବି’, ଶବାଧାରର ସାଥି ହୋଇ ଥିବାରୁ ଲୋକେ ତାକୁ ନିଷ୍ଠାବାନ ସନ୍ନ୍ୟାସୀ ନ କହି, ଦରଦୀ ଗୃହସ୍ଥ ବୋଲି ଧରି ନେଲେ ।

ରାଜଧାନୀର ଜନପଥ ଉପରେ ଗତାଗତ କରୁଥିବା ଲୋକମାନେ ଶବାଧାର ଦେଖି ପୋଲିସ୍‌ କଥା ଭୁଲି ଗଲେ ଓ ନିଷ୍ପ୍ରାଣ ମଣିଷ ଉଦ୍ଦେଶ୍ୟରେ ଚୁ ଚୁ କଲେ ।

ଗତିଶୀଳ ଶବାଧାର ଜନପଥର ଡାହାଣ କଡ଼େ ପୋଲିସ୍‌ ଘେରାଉ କରିଥିବା ଗୋଟିଏ ଅଳଙ୍କାର ଦୋକାନ ସାମନାରେ ଛିଡ଼ା ହେଲା । ମାଲଭାଇମାନେ ବଡ଼ପାଟିରେ ହୁରି ଛାଡ଼ିଲେ, ‘‘ରାମନାମ ସତ୍ୟ ହୈ .....ସବ୍‍ କୁଛ୍‌ ଝୁଟା ହୈ ।’’

(ଦୁନିଆଁରେ ସବୁ କିଛି ମିଛ, ସବୁ କିଛି ମାୟା । ଏକ ମାତ୍ର ସତ୍ୟ ମୃତ୍ୟୁ । ସ୍ଥିର ନିଶ୍ଚିତ ମୃତ୍ୟୁ ।)

 

ପ୍ରଗଳ୍‍ଭା କନ୍ୟାମାନେ ଓ ପେଷାଦର ନାୟିକାମାନେ, କୃତ୍ରିମ ପେଡ୍‍ ଖଞ୍ଜା ହୋଇଥିବା ବର୍ତ୍ତୁଳ, ମାଂସଳ ସ୍ତନ ତଟକୁ ପୂର୍ବ ପରି ବାରମ୍ବାର ନ ଚାହିଁ, ମାଲଭାଇମାନଙ୍କ ସଙ୍ଗେ ନିଜ ଅଜାଣତରେ କଣ୍ଠ ସଂଯୋଗ କରି ଗୁଣୁଗୁଣୁ ହେଲେ, ‘‘ସବ୍‌ କୁଛ୍‌ ଝୁଟା ହୈ’’....

 

ହରରଙ୍ଗୀ ପୋଷାକରେ ସୁସଜ୍ଜିତ ରାସ୍ତା ଧାରର ନଳିପେଣ୍ଟପିନ୍ଧା ରୋମିଓମାନେ ଚଳମାନ ଉର୍ବଶୀମାନଙ୍କ ଛାତି ଓ ମୁହଁ ଉପରୁ ଆଖି ଫେରାଇ, ମାଲଭାଇମାନଙ୍କ ସଙ୍ଗେ ଘୋଷି ହେଲେ ରାମନାମ ସତ୍ୟ ହୈ......

 

ରିକ୍‌ସାବାଲା ତା’ର ଚଳମାନ ରିକ୍‌ସା ପେଡାଲ୍‌ ଉପରେ ପାଦ ଦି’ଟାକୁ ସ୍ଥିର ରଖି ସବାରୀ ଉଦ୍ଦେଶ୍ୟରେ କହିଲା, ହେଇ, ଜଣେ ଚାଲିଗଲା । ଆମେ ବି’ ଯିବା ।

 

ସବାରୀ ଜଣକ ରିକ୍‌ସାବାଲାର ଚିନ୍ତା ସଙ୍ଗେ ତାଳଦେଇ, ସୁର ଧରିଲା, ଆମେ ବି’ ଯିବା ।

 

ଅଳଙ୍କାର ଦୋକାନକୁ ଘେରି ରହିଥିବା ଜଗୁଆଳି ପୋଲିସ୍‌ ଦଳ ହାତର ବନ୍ଧୁକମାନଙ୍କୁ ସାମାନ୍ୟ ନିମ୍ନମୁଖୀ କରି ନିଜ ସଂସାରର ଦୁଃଖ ଦୁର୍ଦ୍ଦଶା କଥା ଭାବି ହେଲେ ।

 

ଅଳଙ୍କାର ଦୋକାନୀର ନିମକ୍‌ସଚ୍ଚା ମୁନିମ୍‌ ଭାରପ୍ରାପ୍ତ ପୋଲିସ୍ ଅଫିସରଙ୍କୁ ନିଜର ପରମ ଆତ୍ମୀୟଙ୍କ ଆକସ୍ମିକ ବିୟୋଗ କଥା ଜଣାଇ, ଶବାଧାର ସଙ୍ଗେ ଶ୍ମଶାନକୁ ଯିବାର ଅନୁମତି ହାସଲ କଲା ।

 

ଜୀବନରେ ମୃତ୍ୟୁଠାରୁ ବଳି ଚରମ ବିପତ୍ତି ଆଉ କିଛି ନାହିଁ ।

 

ମୁନିମ୍‌ ଜଣକ ଖଦଡ଼ ଧୋତି ପିନ୍ଧିଥିଲା ଓ ମୋଟା ଟସର ଶାଲ୍‌ ଖଣ୍ଡେ ଦେହରେ ଘୋଡ଼ାଇ ହୋଇଥିଲା ।

 

ଜନପଥ ଦେଖିଲା, ମାଲଭାଇମାନେ ପୁନର୍ବାର ମୃତ୍ୟୁର ସ୍ଳୋଗାନ ଦେଇ, ଶବ କାନ୍ଧେଇ ଶହୀଦନଗର ଅଭିମୁଖେ ଯାତ୍ରା ଆରମ୍ଭ କରୁଛନ୍ତି ।

 

(ମହାଶ୍ମଶାନ ଶହୀଦନଗର ! ଦୁନିଆର ସମସ୍ତ ନରନାରୀଙ୍କୁ ନିଜ କୋଳରେ ସ୍ଥାନ ଦେବାକୁ ସେ ସକ୍ଷମ ।)

 

ସହଯୋଗୀ ମୁନିମ୍‍ ଜଣକ ରହି ରହି ରହି ରାସ୍ତା ତମାମ ଖଇ କୁଉଡ଼ି ବୁଣୁଥିଲେ ଓ ଶବ ଶୋଭାଯାତ୍ରାରେ ଅଗ୍ରଣୀ ଥିଲେ ।

 

ଶବାଧାର ଜନାକୀର୍ଣ୍ଣ ଷ୍ଟେସନ ଛକ ଡେଇଁ, ଜନବିରଳ ଶହୀଦନଗର ଛୁଇଁଲା । ଶବବାହାକମାନେ ଅପେକ୍ଷାକୃତ ଦ୍ରୁତ ପଦରେ ଚାଲିବା ଆରମ୍ଭ କଲେ ।

 

ଅତିକ୍ରମ କରି ଆସିଥିବା ଜନପଥ ଉପରେ ଯେଉଁମାନେ ଚଳପ୍ରଚଳ ହେଉଥିଲେ,ସେମାନେ ପୁଣି ଥରେ ଚଳଚଞ୍ଚଳ ହୋଇ ଉଠିଲେ । ସେମାନେ ସମସ୍ତ ଜାଣିଶୁଣି ଶବ ଓ ଶବାଧାର କଥା ଭୁଲି ଯିବାକୁ ଚେଷ୍ଟା କରୁଥିଲେ । ଭାବଭଙ୍ଗୀରେ ଜଣେଇ ଦେଉଥିଲେ, ସତେ ଅବା କିଛି ହେଇନି’ । ଯିଏ ମଲା, ଗଲା । ଅବଶିଷ୍ଟ ଲୋକଙ୍କର କିଛି ହବନି । ରାଜଧାନୀରେ ଚଳପ୍ରଚଳ ହେଉଥିବା ଲୋକମାନେ ସବୁଦିନ ବଞ୍ଚି ରହିବେ । କେହି ମରିବେ ନି । କେହି ସରିବେ ନି’ ।

 

ନୂଆ ରାଜଧାନୀର ଶିରାରେ ଶିରାରେ କୃଷ୍ଣଚୂଡ଼ାର ରଙ୍ଗ ଲାଗି ପୁଣି ଥରେ ଲୋହିତ ହୋଇ ଉଠିଲା । ନାଗାର୍ଜୁନ ପତ୍ରର ସବୁଜିମା ମାଖି ସବୁ ମନ ସବୁଜ ହେଲା । ଯୁବତୀ କନ୍ୟାମାନେ ସେମାନଙ୍କ ହଳଦୀ ଦେହର ବାସ୍ନା ଛୁଟାଇ ଆଖିର ଚାହାଣୀରେ ନବ ଯୌବନର ନୂଆ ସୁର ତୋଳିଲେ । କେଦାରଗୌରୀ ତୁଠରେ ମୁହଁ ଦେଖି ମୋହିତ ହୋଇଥିବା ପ୍ରେମିକମାନେ, ପ୍ରେମିକାମାନଙ୍କର ଦେହର ବାସ୍ନା ଓ ଆଖିରେ ସଙ୍ଗୀତରେ ମୁଗ୍ଧ ହୋଇ ବୁଲା ଷଣ୍ଢ ପରି ଏପଟ ସେପଟ ହେଲେ । ନିର୍ଜୀବ ଅଫିସ ଭିତରେ ଫାଇଲ ଚାଷ କରି କ୍ଳାନ୍ତ ହୋଇ ଫେରିଥିବା ଅଭିଆଡ଼ୀ କନ୍ୟାମାନେ ନିଜକୁ ବିଚିତ୍ର ବର୍ଣ୍ଣରେ ସଜାଇ ନୂଆଡେଣା ପାଇଥିବା ପ୍ରଜାପତିମାନଙ୍କ ପରି ଏପଟ ସେପଟ ଘୂରି ବୁଲିଲେ ।

 

ଟ୍ରାଫିକ ନିୟମ କାନୁନ ରହିଲା ନାହିଁ ।

 

ଦେହ ସଙ୍ଗେ ଦେହର ଓ ମନ ସଙ୍ଗେ ମନର ଧକ୍‌କା ହେଲା ।

 

(ତିନି)

 

ନିର୍ବାକ ନିଶ୍ଚୁପ ଜନପଥ, ମହାଭାରତ ମହାସମରର ବେଲାଲ୍‍ ସେନ ହୋଇ ମନକୁ ମନ ହସିଲା ଓ ଗୁଣୁଗଣୁ ହୋଇ କହିଦେଲା, ସମୟ ! ସବୁ ସମୟ ! ଏ ରଙ୍ଗ ରହିବ ନାହିଁ ।

 

ଚିଲିକା ଦେଶରୁ ପଥବଣା ହୋଇ ଉଡ଼ି ଆସୁଥିବା ଏବଂ କ୍ଳାନ୍ତ ହୋଇ କୃଷ୍ଣଚୂଡ଼ା ଶାଖାରେ ବିଶ୍ରାମ ନେଇଥିବା ଟିଟ୍ଟିଭ ସଦୃଶ ଏକ କ୍ଷୁଦ୍ରକାୟ ପକ୍ଷୀ ପୁଚ୍ଛ ହଲାଉ ହଲାଉ ଚିଁ ଚିଁ ହୋଇ ଉତ୍ତର ଦେଲା, ଠିକ୍‌ କହିଛ ! ଠିକ୍‌ କହିଛ !

 

ଏଣେ ଶବବାହକମନେ ଶହୀଦନଗରର ମହାଶ୍ମଶାନରେ ପ୍ରବେଶ କଲେ । ସେମାନେ ସେଇଠି ମିଳିମିଶି ଚିତାନଳର ଆୟୋଜନ କଲେ ।

 

ଠିକ୍‌ ଏତିକିବେଳେ କଳା ରଙ୍ଗର କାର୍‍ଟିଏ ଆସି ଚିତାନଳ ସାମନାରେ ଛିଡ଼ା ହେଲା ।

 

ଟସର ଚାଦର ଘୋଡ଼ାଇ ହୋଇ ଆସିଥିବା ଭଦ୍ରବ୍ୟକ୍ତି, ମାଲଭାଇମାନଙ୍କୁ ମୋଟା ଧରଣର ପାଉଣା ଦେଇ ବିଦା କରିଦେଲେ । ତା’ପରେ ସେ ଶବାଧାରର ଅନ୍ୟତମ ଦି’ଜଣଙ୍କୁ ଚାଦର ତଳେ କାଖେଇ ଆଣିଥିବା ନୋଟ୍‌ ଭରା ପ୍ଲାଷ୍ଟିକ ବେଗ୍‌ ଖଣ୍ଡକ ବଢ଼ାଇ ଦେଲେ । ନୋଟ୍‌ ବିନିମୟରେ ସେମାନେ କୋକେଇ ତଳୁ ସୁନା ଛଡ଼ ଥିବା ତକିଆଟିକୁ କାର୍‌ ମାଲିକଙ୍କୁ ହସ୍ତାନ୍ତର କଲେ ଓ ହସ ହସ ମୁହଁରେ କୁଶଳ କାମନା ପୂର୍ବକ ଦୀର୍ଘ ବନ୍ଧୁତାର ଇଚ୍ଛା ପ୍ରକଟ କଲେ ।

 

ଇତ୍ୟବସରରେ ଚକଲେଟ୍‌ ରଙ୍ଗର କାର୍‍ଖଣ୍ଡକ ବି’ ଘଟଣା ସ୍ଥଳରେ ପହଞ୍ଚି ସାରିଥିଲା-

 

ଶୁଭ୍ର ବସନ ପରିହିତା ନାରୀ ଓ ଗୈରିକ ବସନଧାରୀ ପୁରୁଷ, ନିଜ ନିଜ ଦେହର ବାହ୍ୟ ଆବରଣ ବାହାର କରି ଜଳନ୍ତା ଜୁଇ ଭିତରେ ନିକ୍ଷେପ କଲେ ।

 

ପର ମୁହୂର୍ତ୍ତରେ ଦେଖାଗଲା, ଟାଇଟ୍‌ ପୋଷାକରେ ସୁସଜ୍ଜିତ ଦି’ଜଣ ଭିନ୍ନ ରୁଚିର ସ୍ତ୍ରୀ ପୁରୁଷ ହାତ ଧରାଧରି ହୋଇ ହସ ହସ ମୁହଁରେ ଚକଲଟ୍‍ ରଙ୍ଗର ଗାଡ଼ି ଭିତରେ ଅଦୃଶ୍ୟ ହୋଇ ଯାଉଛନ୍ତି ।

 

ତା’ପରେ ଶୂନ୍ୟ ଶବାଧାରକୁ ଜଳନ୍ତା ଚିତା ଉପରେ ନିକ୍ଷେପ କରି, ଖଦଡ଼ ପିନ୍ଧା ଭଦ୍ରଲୋକ, କଳାରଙ୍ଗର ଅପେକ୍ଷମାନ ଟାକ୍‌ସି ଭିତରକୁ ଉଠିଗଲେ ଓ ଡ୍ରାଇଭର ଉଦ୍ଦେଶ୍ୟରେ ଆଦେଶ କଲେ, ଅଧଘଣ୍ଟା ଭିତରେ କଟକ ଗୋଦାମରେ ପହୁଞ୍ଚାଅ ।

 

(ଚାରି)

 

ଶହୀଦନଗରର ମହାଶ୍ମଶାନରେ ପ୍ରସ୍ତୁତ ହୋଇଥିବା ଚିତାନଳ କ୍ରମେ ବିରାଟ ବପୁ ଧାରଣ ପୂର୍ବକ ହୁତ୍‌ ହୁତ୍‌ ହୋଇ ଜଳୁଥିଲା । ମନେ ହେଲା, ସେ ଚିତା ଖୁବ୍‌ ଶୀଘ୍ର ଲିଭୁ ନାହିଁ । ନୂଆ ରାଜଧାନୀର ସବୁକିଛି ପୋଡ଼ି ଜାଳି ଧ୍ୱଂସ କରିଦେବ । ବିଜୁଳିବତୀର ଆଲୁଅ ପୋଲିସ୍‍ ବାହିନୀର ସତର୍କ ଆଖି ଓ ରାଜଧାନୀର ଶହ ଶହ କ୍ଷମତାଶାଳୀ ଅଫିସରଙ୍କ ମୁହଁ ସାମନାରେ, ଏ ଯେଉଁ ନୂତନ ପ୍ରଣାଳୀରେ ଚୋରା ବଜାରର ଆଡ଼ମ୍ବରପୂର୍ଣ୍ଣ ଆୟୋଜନ ସାର୍ଥକ ଭାବରେ ସମ୍ପାଦିତ ହେଲା, ତାକୁ କେହି ହେଲେ ବାଧା ଦେଇ ପାରିଲେ ନାହିଁ ।

 

ଜନପଥ ଚିନ୍ତିତ ହେଲା । ତା’ର ମାନସ ଚକ୍ଷୁରେ ଦେଖା ଦେଲା, ବିଗତ ଅତୀତର ଆଉ ଏକ ଘଟଣାବହୁଳ ରୋମାଞ୍ଚକ ଦୃଶ୍ୟ ।

 

ସେ ଦିନ ବିଭବଶାଳୀ କପିଳବାସ୍ତୁ ବକ୍ଷରେ ରାଜପୁତ୍ର ଗୌତମ, ଆଜି ପରି ଜଣେ ବୃଦ୍ଧ, ଗୋଟିଏ ଶବାଧାର ଓ ପରିଶେଷରେ ଜଣେ ସନ୍ନ୍ୟାସୀଙ୍କୁ ଦେଖି ସାର୍ବଭୌମ କ୍ଷମତା ସମ୍ପନ୍ନ ରାଜସିଂହାସନ, ଅନିନ୍ଦ୍ୟ ସୁନ୍ଦରୀ ସ୍ତ୍ରୀ ଗୋପା ଆନନ୍ଦର ପ୍ରତୀକ ପୁତ୍ର ରାହୁଳ ଓ ବୈକୁଣ୍ଠ ସମାନ ପାରିବାରିକ ସୁଖଭୋଗ ପରିତ୍ୟାଗ କରି, ନିର୍ଜନ ନିରଞ୍ଜନା ନଦୀ ତୀରସ୍ଥ ଅଶ୍ୱତ୍‌ଥ ବୃକ୍ଷମୂଳେ ତପସ୍ୟାମଗ୍ନ ହୋଇଥିଲେ ।

 

ଗୌତମଙ୍କ ତପସ୍ୟାର ଉଦ୍ଦେଶ୍ୟ ବହୁମୁଖୀ ହେଲେ ମଧ୍ୟ, ସେ ଚିନ୍ତା କରିଥିଲେ, ଦୁଃଖ ଦୁର୍ଦ୍ଦଶାଗ୍ରସ୍ତ ଅବରୁଦ୍ଧ ମଣିଷ, ଶାନ୍ତିର ଆସ୍ୱାଦନ ପାଇବ କିପରି ?

 

ନିରଞ୍ଜନା ନଦୀର ନିର୍ଜନତା ଭିତରେ ସେ ଆବିଷ୍କାର କଲେ କାମନାର ବିନାଶହିଁ ସକଳ ଶାନ୍ତିଲାଭର ଏକମାତ୍ର ପନ୍ଥା ।

କପିଳାବାସ୍ତୁର ଗୌତମ ହେଲେ ପୃଥିବୀର ବିଶ୍ୱ ବିଖ୍ୟାତ ବୁଦ୍ଧ ।

କାମନାର ବିନାଶ ପାଇଁ ସେ ଅଷ୍ଟମାର୍ଗ ନିର୍ଦ୍ଧାରଣ କଲେ ।

ମୂକ ଜନପଥ ସମସ୍ତ କଥା ସ୍ମରଣ କଲାପରେ ଖିଲି ଖିଲି ହୋଇ ହସିଲା ।

ଜନ ପଥର ହସର ଘୂର୍ଣ୍ଣନରେ ଦକ୍ଷିଣ ଦିଗରୁ ଅଣଚାଶ ପବନ ବୋହିଲା ଓ ନୂଆ ରାଜଧାନୀର ସବୁ ବିଜୁଳି ଆଲୁଅ ଲିଭିଯାଇ ଜନବସତିକୁ ଘନ ଅନ୍ଧକାର କରିଦେଲା । କୃଷ୍ଣଚୂଡ଼ା ଓ ନାଗାର୍ଜୁନ ଗଛମାନେ ସେମାନଙ୍କ ଦେହର ସବୁ ଫୁଲ, ସବୁ ଆବେଗ କ୍ରୁଦ୍ଧ ଜନପଥର ପଦ ତଳେ ଅଜାଡ଼ି ଦେଇ ନେହୁରା ହେଲେ, ଶାନ୍ତ ହୁଅ । ଦମ୍ଭ ଧର ।

ସେହି ଗଛ ଓ ଫୁଲମାନେ ସଂଯୋଗ କଲେ, ରାଜଧାନୀ ଉପରେ ଶବାଧାର, ବୃଦ୍ଧା ସନ୍ନ୍ୟାସୀର ଏ ଯେଉଁ ମହା ନାଟକ ଅଭିନୀତ ହେଲା, ତା’ର ପ୍ରଧାନ ନାୟକ, ଆଜି ନ ହେଲେ କାଲି ଅବଶ୍ୟ ଅବତୀର୍ଣ୍ଣ ହେବ । ସେହି ପ୍ରଧାନ ନାୟକ ହେବ ବିଂଶ ବା ଏକବିଂଶ ଶତାବ୍ଦୀର ମହାମାନବ ବୁଦ୍ଧ । ଅଷ୍ଟମାର୍ଗ ନ ହେଲେ, ଗୋଟିଏ ମାର୍ଗରେ ସେ ଏ ସଂସାରକୁ ଦୋଷମୁକ୍ତ, ତ୍ରୁଟିଶୂନ୍ୟ କରିବ ।

କୃଷ୍ଣାଚୂଡ଼ା ନାଗାର୍ଜୁନ ବୃକ୍ଷ ଓ ଫୁଲମାନଙ୍କ ଆଶ୍ୱାସନାର ବାଣୀ ଶୁଣି କ୍ରୁଦ୍ଧ–ଜନପଥ ସାମନ୍ୟ ଶାନ୍ତହେଲା ।

ଶହୀଦନଗର ମହାଶ୍ମାଶାନର ପ୍ରଜ୍ଜ୍ୱଳିତ ଚିତାନଳ ଏ ଭବିଷ୍ୟତ ବାଣୀକୁ ସ୍ୱୀକାର କରି ତା’ର ସର୍ବଗ୍ରାସୀ ଲେଲିହାନ ଶିଖାରାଜିକୁ ନିର୍ବାପିତ କଲା ।

 

ନୂଆ ରାଜଧାନୀରୁ ଅଣଚାଶ ପବନ ହଟିଗଲା ଓ ବିଜୁଳି ଆଲୁଅରେ ସମଗ୍ର ପରିବେଶ ଆଲୋକିତ ହେଲା ।

 

ଜନପଥ ଅନାଗତ ଉଦ୍ଦେଶ୍ୟରେ ବେକ ଭାଙ୍ଗି ଚାହୁଁ ଚାହୁଁ ଦେଖିଲା, ବହୁଦୂରରେ, ତମସାଚ୍ଛନ୍ନ ଚକ୍ରବାଳର ପାଦଦେଶରେ ଏକ ଅସ୍ପଷ୍ଟ ଅଥଚ ଇସ୍ପାତପରି ଶକ୍ତ ଛାୟାମୂର୍ତ୍ତିର ପଦଧ୍ୱନି ଶୁଭୁଛି । ତା’ର ବାମ ଓ ଦକ୍ଷିଣ ପାଦ ଯଥାକ୍ରମେ ନିର୍ଦ୍ଧିଷ୍ଟ ଇଚ୍ଛା ଓ ସେ ଇଚ୍ଛା ପୂରଣର ଧ୍ରୁବ ପ୍ରତିଶ୍ରୁତି ବହନ କରି ନିଶ୍ଚିତ ଭାବରେ କଦମ୍‌ ପରେ କଦମ୍‌ ବଢ଼ାଇ ଆସୁଛି ।

 

ଜନପଥ ଆନନ୍ଦ ଓ ଉଦବେଗର ସହିତ ସେହି ଅସ୍ପଷ୍ଟ ଛାୟାମୂର୍ତ୍ତିକୁ ଆଲିଙ୍ଗନ କରିବା ଉଦ୍ଦେଶ୍ୟରେ ତା’ର ବଳୟ ବ୍ୟାପୀ ସୁଦୀର୍ଘ ହସ୍ତ ଦୁଇଟି ପ୍ରସାରିତ କଲା ଓ ଚଳିତ ଶତାବ୍ଦୀକୁ ଅଭିଯୋଗ କଲାପରି କହିଲା, ତୁମେ ଆସ ଆଗନ୍ତୁକ ! ମୁଁ ତୁମକୁ ସ୍ୱାଗତ କରୁଛି । ଏ କାମନାମୁଖୀ ଶତାବ୍ଦୀ ମୁଖରୁ ବାସନା ଜର୍ଜରିତ ମୁଖାକୁ ତୁମେ ତୁମର ଶକ୍ତ ହସ୍ତରେ କାଢ଼ି ଫୋପାଡ଼ି ଦିଅ । ମୁଁ ସେ ମୁଖାକୁ ସମ୍ପୂର୍ଣ୍ଣରୂପେ ପୋଡ଼ି ପାଉଁଶ କରିଦେବାକୁ ଶହୀଦନଗରର ମହାଶ୍ମଶାନରେ ଚିତାନଳର ଆୟୋଜନ କରୁଛି ।

 

ହେ ଆଗନ୍ତୁକ, ହେ ନୂତନ ପ୍ରଭାତର ବାର୍ତ୍ତାବହ, ତୁମେ ଆସ !!

Image

 

ଚଳଚିତ୍ର-୨

ଶୀ କୁଂଜ ରାୟ

 

ରାସ୍ତାକଡ଼ର ଗୋଟିଏ ଛୋଟ ଦୃଶ୍ୟ । ଗୋଟିଏ ଛୋଟ ଘଟଣା । ଏବଂ ଗୋଟାଏ ଇମୋସନ । ଜୀବନର ଚଳନ୍ତା ସ୍ରୋତର ଏକ କ୍ଷୁଦ୍ର ମୁହୂର୍ତ୍ତକୁ ଧରି ରଖିବାର ପ୍ରୟାସ.....

ସେ କଡ଼ରେ ପୁରୁଣା ପ୍ଲାଟଫର୍ମ । ମଝିରେ କଚ୍ଚା ରାସ୍ତା । ରାସ୍ତାଦୁଇକଡ଼ରେ ଝଙ୍କାଳିଆ ଆମ୍ବଗଛ କେତେଟା । ଏ କଡ଼କୁ ସେମାନଙ୍କର ବସ୍ତି । ଏ ଆମ୍ବଗଛମାନଙ୍କରେ ବଉଳ ଆସେ ନାହିଁ-। ଏ ରାସ୍ତାର ଆଲୁଅ ଚିରଦିନ ଲଜ୍ଜାମ୍ଳାନ ।

ଚପା ହସ, ନିର୍ଲଜ୍ଜ ପରିହାସ, ମାତାଲ ଚିତ୍କାର, ମତ୍ତ ଇସାରା, କ୍ରୁଦ୍ଧ ହୁଙ୍କାର, ମାଂସ, ମଦ ଓ ଅନ୍ୟାନ୍ୟ ଚାଟ୍‌ର ମିଳିତ ସୌରଭ, ବିଡ଼ି ସିଗ୍ରେଟ ଚୁରୁଟର ଧୂଆଁ, ପାନ ପିକ, ନର୍ଦ୍ଦମା ଓ ଅଶ୍ଳୀଳ ବ୍ୟଭିଚାରରେ ଏ କଡ଼ ଭର୍ତ୍ତି ।

ସେ କଡ଼େ ନୀଳ ସୀମାହୀନ ଚାନ୍ଦୁଆ ତଳେ ବସା ବାନ୍ଧିଛନ୍ତି କେତେଜଣ ଖାନାବଦୌଶ-। ତାରଜାଲି ବାସ୍କେଟ, ତା’ର ଉପରେ ଲାଖ ଓ ପୁଁତି ଲଦି, ସାପ ମୟୂର ଫୁଲଦାନି ଲୋବାନଦାନୀ ତିଆରି କରି ବିକିବା, ଛିଡ଼ା ଲୁଗା ଓ ଭଙ୍ଗା ଏଲୁମିନିଅମ ବଦଳରେ କାଚ ବାସନ ଓ ଶସ୍ତା ବିସ୍କୁଟ ଫେରିକରିବା, ତୁଟୁକା ଔଷଧ ଦେବା ସେମାନଙ୍କର ପେସା ।

ଏ କଡ଼ର ସନ୍ଧ୍ୟା ପ୍ରମତ୍ତ, ଉଚ୍ଛଳ, ଉଦବେଳ । ସେ କଡ଼ର ସନ୍ଧ୍ୟା, ଦିନଶେଷର କ୍ଳାନ୍ତି ଅପନୋଦନ ପାଇଁ, ରାତ୍ରିର ସ୍ୱାଗତ ପାଇଁ ନୀରବ ପ୍ରସ୍ତୁତି ।

ହଠାତ୍‌ ସେ କଡ଼ରୁ ଭାସି ଆସିଲା କାନ୍ଦଣାର କୋରସ୍‌ । ଧୀରେ ଧୀରେ ଅନ୍ୟମାନେ ଯୋଗ ଦେଇ ସେ କୋରସକୁ ଅଧିକ ଉଦବେଳ କରି ତୋଳିଲେ । ଅମୁକାର ଖସମ୍, ଅମୁକର ଅବ୍‌ବା, ଯିଏ ବଢ଼ିଆ ମୟୂର ବନେଇ ଜାଣିଥିଲା, ବଢ଼ିଆ ଢୋଲ୍‍କି ପିଟି ସୁରଦାସ ଭଜନ ଗାଇ ପାରୁଥିଲା, ପେଟଟଣାକୁ ଅବ୍ୟର୍ଥ ତୁଟୁକା ଦେଇ ପାରୁଥିଲା–ସେଇ ବୁଢ଼ାଟି ଆଜି ସଞ୍ଜରେ ହଠାତ୍‌ ମରିଗଲା ।

ଏ କଡ଼ ମତ୍ତତାରେ ବି ଭଟ୍ଟା ପଡ଼ିଗଲା । ସ୍ନାୟୁ ଓ ମାଂସର ଉତ୍ତେଜନା ଭୁଲି, ବ୍ୟସ୍ତ ଖରିଦଦାରମାନଙ୍କ ଆତୁରତାକୁ ଉପେକ୍ଷା କରି, ସେମାନେ ବାହାରି ଆସି, ଆଲୋକ ଓ ଛାୟାର ମଧ୍ୟବର୍ତ୍ତୀ ଏକ ଅପେକ୍ଷାକୃତ ନୀରବ କୋଣରେ ଛିଡ଼ା ହୋଇ ପଡ଼ିଲେ ।

ସେ ସିନା ଥିଲା ଅମୁକାର ଖସମ୍‍, ଅମୁକର ଅବ୍‌ବା, ସେ ସିନା ଢୋଲ୍‍କି ପିଟି ସୁରଦାସ ଭଜନ ଗାଇ ଜାଣିଥିଲା, ପେଟଟଣାକୁ ତୁଟୁକା ଦେଉଥିଲା ଓ ବଢ଼ିଆ ମୟୂର ବନେଇ ପାରୁଥିଲା ବୋଲି ତା ପାଇଁ ଏତେ ଲୋକ କାନ୍ଦୁଛନ୍ତି; ନୂଆ ଲୁଗା ଫୁଲ ପତ୍ରରେ ସଜେଇ ଗୋରସ୍ତାନ୍‌କୁ ନେଇଯିବା ପାଇଁ ତା ଛିଡ଼ା କନ୍ଥାର କୋତରା ଶେଯ ଚାରିକଡ଼େ ଭିଡ଼ କରିଛନ୍ତି । କିନ୍ତୁ......

ଏ କଡ଼ର ଟେରାବାଡ଼ ଭାଙ୍ଗି ଯେଉଁ ଦିନ ଟୋପ ଚଉଁରାତକ ପଦାକୁ ଫୁଟି ଦିଶିବେ ? ଅନାଗତ ଅଥଚ ସୁନିଶ୍ଚିତ ଦୁର୍ଦ୍ଦଶାର ସ୍ମରଣରେ, ରୂପ ସବୁ ଝାଉଁଳି ପଡ଼ିଲା । ଈର୍ଷା ବିଦ୍ୱେଷ ନାଁ ଭୟରେ ?

Image

 

ଆହ୍ୱାନ ଓ ଆହ୍ୱାନ

ଶ୍ରୀ ସଚ୍ଚିଦାନନ୍ଦ ମିଶ୍ର

 

ଆହ୍ୱାନ ଦୁଇଟି–ଦୁଇ ପକ୍ଷର, ଦୁଇ ଦଳର । କିନ୍ତୁ ପରିଣତି ?

 

ଆକ୍ରମଣୋଦ୍ୟତ ଦର୍ପରେ ଭୀମକାୟ ଷଣ୍ଢ ଦୁଇଟି ମଝିଦାଣ୍ଡରେ ମୁହାଁମୁହିଁ ହୋଇଥାନ୍ତି-। ଅସଂଖ୍ୟ ଜନତା ଆସନ୍ନ ରୋମାଞ୍ଚକର ଘଟନାକୁ ବିପଦସୀମା ସେପାରେ ଅପେକ୍ଷା କରୁଥିଲେ ।

 

ଜନଗହଳର ସୁଯୋଗ ନେବାକୁ ଦୁଇଜଣ ବିରୋଧୀ ପ୍ରାର୍ଥୀ ରାସ୍ତାର ଦୁଇ ମୁଣ୍ଡରେ ଜୁଟିଲେ ଶକ୍ତିଶାଳୀ ମାଇକ୍‌ ନେଇ । ସେମାନେ ମାଇକରେ ପରସ୍ପର ବିରୁଦ୍ଧରେ ଯୁଦ୍ଧଂଦେହି ଡାକରା ଗର୍ଜି ହାଣ୍ଡବିଲ୍‌ ବିଂଛିଲେ ।

 

ଷଣ୍ଢମାନେ ତାଙ୍କର ଯୁଦ୍ଧକ୍ଷେତ୍ରକୁ ସତେକି ପ୍ରାର୍ଥୀମାନଙ୍କୁ ଛାଡ଼ି ରାସ୍ତା କଡ଼କୁ ଅପସରି ଗଲେ । ଏଥର ଷଣ୍ଢମାନେ ଅପେକ୍ଷା କଲେ; ଲୋକ ପତଳା ହେଲେ । ପ୍ରାର୍ଥୀମାନେ ପଳାଇଲେ ।

 

ପରିଶେଷରେ ପଡ଼ିଥିବା ହାଣ୍ଡବିଲ୍‌ଗୁଡ଼ିକୁ ଷଣ୍ଢମାନେ ମିଳିମିଶି ପାକୁଳିଲେ ।

Image

 

ଫୁଲ

ଶ୍ରୀ ସୋମନାଥ ନାୟକ

 

ପ୍ରେମ ଥାଏ ପ୍ରେମିକର ମନ ଭିତରେ; ସୌନ୍ଦର୍ଯ୍ୟ ଥାଏ ଦର୍ଶକର ଆଖିରେ–ଫୁଲ ହିଁ ଫୁଲ !!

 

ଫୁଲ, ଫୁଲ ।

 

କେତେ ଯେ ଫୁଲ ।

 

ଫୁଲ ଫୁଟିଲେ ସୁନ୍ଦର । ଦିନର ଆଲୁଅଠାରୁ ରାତିର ଅନ୍ଧାରରେ ଫୁଲ ସବୁ ଆହୁରି ସୁନ୍ଦର ।

 

ଏ ସୁନ୍ଦର ପଣିଆକୁ ନେଇ ଫୁଲ ସବୁ ପରସ୍ପରକୁ ଈର୍ଷା କରନ୍ତି । ଏହା ମୋତେ ପଢ଼ା ହୋଇ ଆସିଛି ।

 

କିନ୍ତୁ ସୁନନ୍ଦାଙ୍କ କଥା ମୋର ଏ ବହଳିଆ ହୋଇ ଆସୁଥିବା ଧାରଣାରେ ଗୋଟିଏ ଗେଲାଳିଆ ସରୁ ଚଟକଣି ଯେମିତି ଦେଇ ଯାଇଛି । ମୁଁ ସେତେବେଳକୁ ଭାବି ହେଉଛି ସୁନନ୍ଦା କ’ଣ ବଗିଚାର ଏତେ ଫୁଟନ୍ତ ଫୁଲ ଭିତରୁ ଭିନେ......

 

ବାହାଘର ଆଗରୁ ସୁନନ୍ଦାଙ୍କୁ ଦେଖିବାକୁ କାମନାର ଯେଉଁ ଛୋଟିଆ ଢେଉଟିଏ ଉଠିଥିଲା ମୁଁ ତାକୁ ଜାଣି ଜାଣି ଚାପି ଦେଇଥିଲି । ହିସାବ ନିକାଶ ଭିତରେ ସେ ଥିଲା ଏକ ପୁରୁଣା ଭାବପ୍ରବଣତା । କାହିଁକି ନା ତାଙ୍କ ମାଙ୍କୁ ମୁଁ ଦେଖିଥିଲି । ଆଉ ବି ଜାଣିଥିଲି ସୁନନ୍ଦା ତାଙ୍କ ମାଙ୍କ ପ୍ରଥମ ସନ୍ତାନ । ତାଙ୍କୁ ମା’ଙ୍କ ସରୁ ସରୁ ସୁନୀଳ ଆଖି ଦିଓଟି ମୋତେ ଏକ ଅବୋଧ୍ୟ ଆକର୍ଷଣରେ ବାନ୍ଧି ଧରିଥିଲା । ପୁଣି ଯେତେବେଳେ ପ୍ରେମ କରି ଆଜି କାଲି ବିବାହ ବନ୍ଧନରେ ଛନ୍ଦି ହେବା ଏକ ଘୋଷରା ଚଳଣି ହେବାକୁ ବସିଲାଣି, ବାସର ରାତିରେ ଦୁଇଟି ଅଜଣା ଅଚିହ୍ନା ତରୁଣ ତରୁଣୀଙ୍କ ପ୍ରଥମ ମିଳନ ପାଇଁ ଯେଉଁ ଆକୁଳତା, ଜୀବନରେ ତା’ର ଅନୁଭୂତି ପାଇଁ ଏକ ଭୀଷଣ ଆବେଗ କାହିଁକି ମୋତେ ହଠାତ୍ ଆଚ୍ଛନ୍ନ କରିଥିଲା ।

 

ତାହାହିଁ ହେଲା । ଅସମ୍ଭମ ଆକୁଳତା ଭିତରେ ଜରିଦିଆ, କୁମ୍ଭପକା ଶାଢ଼ିର ଓଢ଼ଣା ତଳୁ ଯେଉଁ ମୁହଁଟିକୁ ଧୀରେ ଆବିଷ୍କାର କଲି, ତାହା ମୋ ଅନୁମାନକୁ ଅନେକାଂଶରେ ରୂପ ଦେଇଥିଲା । କିନ୍ତୁ ମୁଁ ଖୋଜି ହେଉଥିବା କରୁଣ ଉଦାସିଆ ଆଖି ଦିଓଟି ସେଥିରୁ ପାଇ ନଥିଲି ।

 

କିନ୍ତୁ ସୁନନ୍ଦାଙ୍କୁ ସେଇ କଥା କହିଥାନ୍ତି କିପରି ?

 

ସୁନନ୍ଦାଙ୍କ ଉଛୁଳା ନଈରେ ଗାଧୋଉ ଗାଧୋଉ ମୋର ସେ ଖୋଜି ହେବା ଚେତନାଟି କୋଉ କୋଣରେ ଯାଇ ଲୁଚି ଯାଇଛି । ଏ ଭିତରେ ଆମ ବିବାହର ପ୍ରେମ-ମଧୁର ଗୋଟିଏ ବର୍ଷ ପାଣି ସୁଅ ପରି ବହି ଯାଇଛି । ଦୁଇଟି ଛୋଟ ଛୋଟ ଜଳଧାରା ଅଭିନ୍ନ ହୋଇ ମିଶିଯାଇ ଯେମିତି ଗୋଟିଏ ସୁଅରେ ବହି ଚାଲିଛନ୍ତି । ମୋ ପ୍ରଥମ ବେଳର ଆଶଙ୍କା–ଅଳ୍ପ ପଢ଼ୁଆ ଗାଉଁଲୀ ଝିଅଟି ମୋ ଇଚ୍ଛା, ମୋ ରୁଚିକୁ ହୁଏତ ଜାଣି ପାରିବନି, ତାହା କ୍ରମଶଃ ଧୋଇ ହୋଇ ଯାଇଛି । ସୁନନ୍ଦାଙ୍କ କଥାର ଚାତୁରୀ ମୋ ମନରେ ଅନେକ ରେଖା ଆଙ୍କି ଦେଇଛି ।

 

ଗାଁରୁ ନୂଆ ରାଜଧାନୀକୁ ଆସିବା ଭିତରେ ଗାଁର ସ୍ୱକୀୟ ସଂଭ୍ରମତାକୁ ହଜେଇ ନ ଦେଇ ସୁନନ୍ଦା ଯେପରି ସନ୍ଧି କରି ନେଇଛନ୍ତି ରାଜଧାନୀ କୃଣ୍ଣଚୂଡ଼ାର ଛବିଳ ପରିବେଶ ସହ, ଯୋଉଥିରେ ସେ ଆହୁରି ସୁନ୍ଦର ହୋଇଛନ୍ତି, ଯାହାକୁ ମୁଁ କେତେ ଭଲ ପାଏ ।

 

 

ଶୃଙ୍ଗାରର ଆରମ୍ଭରେ ତାଙ୍କର ଛନ ଛନ ଫୁଟନ୍ତ ମୁହଁଟିକୁ ଦୁଇ ପାପୁଲି ମଝିରେ ତୋଳି ଧରି ସମସ୍ତ ରସିକତା ଭିତରେ ଅନେକ ବାର କହିଛି–ସୁନନ୍ଦା ! ସତରେ ତମେ କେତେ ସୁନ୍ଦର ! କେତେ କମନୀୟ !

 

କିନ୍ତୁ ସୁନନ୍ଦାଙ୍କ ଗଲା ରାତିର କଥା.....

 

‘‘ରାସ୍ତା ଆର ପଟ ବଡ଼ କ୍ୱାର୍ଟରକୁ ଯେଉଁ ବାବୁ ଆସିଛନ୍ତି ତାଙ୍କ ସ୍ତ୍ରୀକୁ ଦେଖିଲଣି ? କି ସୁନ୍ଦର ! ଏତେ ସୁନ୍ଦର ଝିଅ ସବୁ କେଉଁଠି ଥାନ୍ତି ।’’ କିଛି ଉତ୍ତର ଦେବା ଆଗରୁ ଦେଖିଲି ସୁନନ୍ଦାଙ୍କ ଆଖି କୋଣରେ ଚପଳ ଶିଶୁର ଅନୁସନ୍ଧିତ୍ସା । ସତେ ଯେମିତି ଶିଶୁଟି ତା ବାପାକୁ ପଚାରୁଛି–ବାପା ଏ ଫୁଲଟିରେ ଏତେ ରଙ୍ଗ କିଏ ବୋଳି ଦେଇଛି ? ୟା’ର ପାଖୁଡ଼ା ସବୁ ଏତେ ଛନ ଛନ କିମିତି ହେଲା !

 

ସୁନନ୍ଦା ମୋ ଉତ୍ତରକୁ ଅପେକ୍ଷା ନ ରଖି ପୁଣି କହୁଛନ୍ତି ତମେତ ସେମିତି ଗୋଟିଏ ଝିଅକୁ ବାଛି ପାରିଥାନ୍ତ । ଆମ ଗାଁ, ଆମ ସାହି ଲୋକେ କ’ଣ ଦେଖିଛନ୍ତି, କହୁଥିଲେ ମୁଁ କୁଆଡ଼େ ସବୁଠୁ ସୁନ୍ଦରୀ ।

 

ଲକ୍ଷ୍ୟ କଲି ସୁନନ୍ଦାଙ୍କ ମୁହଁରେ ଆନନ୍ଦର ଆଲୋକ । ଅନ୍ୟର ଐଶ୍ୱର୍ଯ୍ୟରେ ସେ ଈର୍ଷାନ୍ୱିତ ନୁହନ୍ତି, ବରଂ ଅନେକ ଖୁସି ।

 

ସୁନନ୍ଦାଙ୍କ ଏ ଖୁସି, ଆନନ୍ଦକୁ ମୁଁ ଜମା ସହି ପାରିଲିନି । ବେଡ୍‌ ଲାଇଟ୍‌ ଅଫ୍‌ କରି ତାଙ୍କୁ ମୋ ଛାତି ଉପରକୁ ଆଉଜେଇ ଆଣି କହିଲି, ସୁନନ୍ଦା ! ଏତେ ସୁନ୍ଦରରୁ ଆମକୁ ଯେ କ’ଣ ମିଳିବ-। ଚାଲ ଶୋଇଯିବା, ବେଶି ରାତି ହେଲାଣି ।

 

ମୋ ଛାତିରେ ମୁଣ୍ଡ ରଖି ସୁନନ୍ଦା ଶୋଉଥିଲେ । ମୁଁ କିନ୍ତୁ ସେ ଅନ୍ଧାରରେ ସ୍ପଷ୍ଟ ଦେଖୁଥିଲି ଜହ୍ନର ଜ୍ୟୋତ୍ସ୍ନାରେ ଶାଳ ଫୁଲ ସବୁର ମନ ଖୋଲା ହସ । ନିଅନ ଆଲୁଅରେ ରଜନୀଗନ୍ଧାର ଫୁଲଦାନି ହସ । ଆଉ ଲଣ୍ଠନ ଓ ଡିବିରି ଆଲୁଅରୁ ଖସି ଆସି ଏଠି ମୋ ଚଉଡ଼ା ଛାତିରେ ନିଶ୍ଚିନ୍ତରେ ଘୁମେଇ ପଡ଼ିଥିବା ଗେଣ୍ଡୁ ଫୁଲଟିର ପୁଲକିତ ଦୃଶ୍ୟ । ସେଥିରେ ସୁନନ୍ଦା ଯେପରି କହୁଥିଲେ, ତମ ରସିକତା ସବୁ ତମ ମନର ରଙ୍ଗ, ତମ ମନର ପର ।

Image

 

ତିନୋଟି ଚିଠି

ଶ୍ରୀ ଉଜ୍ଜ୍ୱଳ ପାଢ଼ୀ

 

ତିନୋଟି ଚିଠି ବର୍ଷଣମୁଖର ସନ୍ଧ୍ୟାର, ଶୀତ ରାତିର, ବସନ୍ତ ସକାଳର । ତିନୋଟି ଚିଠି–ମନୀଷାର, ଶାନ୍ତାର, ଲଳିତର । କିନ୍ତୁ ଏଇ ସବୁର ଅନ୍ତରାଳରେ କିଏ ? କିଏ ଏଇ ତ୍ରିକୋଣର କେନ୍ଦ୍ର ବିନ୍ଦୁ ?

 

ମାନ୍ଦ୍ରାଜ ଚିଠି

ଶାନ୍ତା......

 

ଅଦୂରର ସମୁଦ୍ରବି ବର୍ଷାରେ କୁହୁଳୁଛି । ବର୍ଷଣ ମୁଖର ସନ୍ଧ୍ୟା, ଅନେକ ବର୍ଷା ଓ ମେଘ-। ଜାଣେନି’ ଏଇ ବର୍ଷା ତୋ ଚିଠିର ଜବାବ ଏତେ ସଅଳ ଲେଖିବା ପାଇଁ ମୋତେ ପ୍ରବର୍ତ୍ତାଇଛି କି ନା ? ଖୋଲା ଝର୍କା ଦେଇ ବାହାରକୁ ଚାହିଁ ଲେଖୁଥିବାରୁ ପବନର ଥଣ୍ଡା ଆଘାତ ମୋ ଦେହରେ । ତୁ କ’ଣ ବିଶ୍ୱାସ କରିବୁ, ଯଦି ମୁଁ କହେ ଯେ, ତୋର ଚିଠିପଢ଼ି ମୁଁ ଅଭିଭୂତା ହୋଇ ପଡ଼ିଛି ? ମନେ ହେଉଛି, ଏଇନେ ଯେମିତି ମୁଁ ଏଇଠି ନାହିଁ । ମୋ ଶରୀର ଏଇ ପରିବେଶ ଭିତରେ କୁଆଡ଼େ ମିଳାଇ ଯାଇଛି; ଏବଂ ମୋ ମନ ସହ ମୁଁ ଯେମିତି ସେଇଠି ନିରୋଳାରେ ତୋ ପାଖରେ ବସି ପଚାରୁଛି, ‘‘କୁହ ଶାନ୍ତା, ଏଇ ଲଳିତଟି କିଏ ଏବଂ ତା ସହ ତୋର ସମ୍ବନ୍ଧର ପରିଭାଷା କ’ଣ ?’’ ଅବଶ୍ୟ ମୋର ଅନେକ ଦିନର ଅତି ଅନ୍ତରଙ୍ଗ ହିସାବରେ ମୁଁ ତୋତେ ଯେତିକି ଜାଣେ, ସେଥିରୁ ତୁମ ଦୁହିଁଙ୍କ ସମ୍ବନ୍ଧରେ ଅସଂଯତ କିଛି ମୁଁ ଭାବି ପାରୁନି । ତା ଛଡ଼ା ତୁ ତ ଲେଖିଛୁ, ‘‘ଲଳିତଙ୍କ ବ୍ୟକ୍ତିତ୍ୱରେ ଯଦିଓ ମୁଁ ଅଭିଭୂତା, ଜାଗତିକ ଭଲପାଇବାର ବନ୍ଧନୀ ଭିତରେ ତାଙ୍କୁ ଧରିବାକୁ ଚେଷ୍ଟା କରିବା, ମନ୍ଦିରର ଦେବତାକୁ ନେଇ ପଥର ଭାଉରେ ବଜାରରେ ନିଲାମ କଲା ଭଳି ହେବ ।’’ ତଥାପି ଏଇଠି ଥିଲାବେଳେ ସେଦିନ ମୋ’ ସାନଭାଇ ରମେଶ କଥା ପଡ଼ୁ ପଡ଼ୁ ହଠାତ୍‌ ଲଳିତଙ୍କ ବିଷୟରେ କାହିଁକି ଏତେ କହି ପକାଇଲ ଏବଂ କହିଲ ଯଦି ଅଧା କହିଲା ପରେ ‘‘ସେ ଅନେକ କଥା, ଏଇନେ ଥାଉ’ କହି ଯେମିତି ଥକି ଯାଇଥିଲୁ, ଏହା ମୁଁ ବୁଝି ପାରି ନ ଥିଲି । ତା’ପରେ ତ ତୁ ଏଇଠୁ ଚାଲିଗଲୁ ସୁଦୂର କୋଚିନ୍‌ ସହରକୁ । ଜାଣେନା ଫେର୍‍ କେବେ ଦେଖା ହେବ । ମୁଁ ତ ଖାଲି ଅପେକ୍ଷା କରି ରହିଛି ତୋ ଚିଠିକୁ । ହଁ, ଅସୁବିଧା ମନେ ନ ହେଲେ, ଲଳିତଙ୍କ କଥା ନିଶ୍ଚୟ ଲେଖିବୁ ।

 

ସବୁଦିନର

‘ମନୀଷା’

 

ପୁନଶ୍ଚ...ଜାଣୁ ? ମୁଁ ଏଠାକୁ ଆସିବା ପରେ ରମେଶକୁ ଓ ମୋତେ ଏଇଠି ଘରଜଗୁଆଳ କରି ସବୁ ମଉଜରେ ବୁଲୁଛନ୍ତି ? ଯଦି ତୁ ବି ଏଠାକୁ ଆସି ଯାଆନ୍ତୁ !

 

‘ମନୀଷା’

 

ମନୀଷା !

କୋଚିନ ଚିଠି

 

ଆଜିର ଏଇ ଶୀତ ରାତିରେ ମନେପଡ଼େ ଅନେକ ଦିନ ତଳର ସେ ଘଟଣା । ସେ ଦିନର ପ୍ଲାଟଫର୍ମ ଉପରେ ଅଶ୍ରୁସିକ୍ତ ସେଇ କେଇଟା ମୁହୂର୍ତ୍ତ ଓ ଆଜି ଭିତରେ ନିଦାଘର ଶାଣିତ ନଜର ତଳେ କେତେ ଯେ ବସନ୍ତ ଜଳି ଯାଇଛି, କେତେ ଶରତ, ଶୀତର ଶିଶିରପାତ ଭିତରେ କୁଆଡ଼େ ମିଳାଇ ଯାଇଛି; ଦାର୍ଜିଲିଂରେ ଫୁଲର ଉତ୍ସବ-ସାଗରର ଜୁଆରରେ ହୁଏତ ଭଟ୍ଟା ବି ପଡ଼ିଛି ଅନେକ ଥର–କିନ୍ତୁ ଜଣକର ପରିଚୟ ମୋ ଅନ୍ତରରୁ ଧୋଇ ହୋଇ ପାରିନି କାଳର ସୁଅରେ । ହଁ, ବର୍ତ୍ତମାନ ଆମେ ପ୍ରୌଢ଼ାବସ୍ଥା ଆଡ଼କୁ ମୁହାଁଇ ଚାଲିଛେ ନା ? କିନ୍ତୁ ସେତେବେଳର ଅବସ୍ଥା ଥିଲା କୈଶୋର-ଶେଷ ଓ ଯୌବନର ପ୍ରାରମ୍ଭ । ଗ୍ରୀଷ୍ମାବକାଶରେ ଆମେ ସବୁ ଉତ୍ତର ଭାରତ ଭ୍ରମଣରେ ବାହାରିଥିଲୁ–ଆଗ୍ରାର ତାଜଠୁ ଆରମ୍ଭ କରି ଦିଲ୍ଲୀ, ଆଲାହାବାଦ, ବନାରସ ଇତ୍ୟାଦି ଦେଇ ଶାନ୍ତିନିକେତନ, ଦାର୍ଜିଲିଂ, କଲିକତା । ଏଇ ସମୟରେ ଲଳିତ ଓ ମୋର ଅନେକ ଦିନ ଧରି ପରିଚୟ ହୋଇଥିଲା, ହୁଏତ ସୌଭାଗ୍ୟରୁ ଆମ ଦଳ ଓ ତାଙ୍କ ଦଳର ଭ୍ରମଣର କାର୍ଯ୍ୟକ୍ରମରେ କେବଳ ଅନେକ ସମତା ଥିଲା ବୋଲି । ଏଇ ସମୟର ଅନେକ ବନ୍ଧୁ ଓ ଘଟଣା ଭିତରେ କେବଳ ଲଳିତଙ୍କ ବ୍ୟକ୍ତିତ୍ୱର ଆବିଷ୍କାର ହିଁ ମୋ ଜୀବନର ଏକ ଅଧ୍ୟାୟ ବୋଲି କହି ହେବ । ଲଳିତ....ବିଶ୍ୱବିଦ୍ୟାଳୟର ପଞ୍ଚମ ବର୍ଷର ଦର୍ଶନ ଛାତ୍ର ଏବଂ ଏଇ ତମ ରମେଶଟା ସମ ବୟସର । ଦିହିଙ୍କ ଭିତରେ ତଫାତ୍‌ ଅଛି କିନ୍ତୁ ମେଳ ଅଧିକ । ବର୍ତ୍ତମାନ ସେ କେଉଁଠି ଜାଣେନି ଏବଂ ମୋ କଥା ବି ସେ ଜାଣନ୍ତିନି । କିନ୍ତୁ ତାଙ୍କ ପଢ଼ା ଶେଷ ହେବାର ପ୍ରାୟ ବର୍ଷେ ଯାଏଁ ଆମେ ଚିଠି ଲେଖୁଥିଲୁ ପରସ୍ପରକୁ । ହଁ, ତାଙ୍କ ଚିଠି ସବୁ ଏତେ ଉଚ୍ଚ ଧରଣର ଯେ, ଆମ ଘରେ ବି ସେ ଚିଠିସବୁ ପଢ଼ାହୋଇ ପ୍ରଶଂସିତ ହେଉଥିଲା, ଏବଂ ତାଙ୍କ ଶେଷ ଚିଠିରେ ହଠାତ୍‍ କାହିଁକି ବିଦାୟର ଇଙ୍ଗିତ ପାଇ ଆମ ମନରେ ଦୁଃଖ ବି ଆସିଥିଲା । ମନୀଷା, ଲଳିତଙ୍କ ସମ୍ବନ୍ଧରେ ତ ମୁଁ ଅନେକ ଜାଣେ, କିନ୍ତୁ ଏଇନେ ମୋର ଲଳିତଙ୍କ ସହ ସମ୍ବନ୍ଧ କେଉଁ ଧରଣର, ତାହାହିଁ ତାଙ୍କ ନିଜ ଭାଷାରେ ସୂଚାଇ ଦେବାପାଇଁ ତାଙ୍କର ଖଣ୍ଡେ ଚିଠି ପଠାଇଲି । ଏଇଟିକୁ ପଢ଼ି ପ୍ରତ୍ୟକ୍ଷ ପ୍ରମାଣ ପାଇ, ତୋ ଧାରଣାରେ ଦୃଢ଼ୀଭୂତ ହେବା ପରେ ପଠାଇ ଦେବୁ ।

 

ତୋର ‘ଶାନ୍ତା’

 

ଲଳିତଙ୍କ ଚିଠି–

କଲିକତା ଚିଠି

 

ଶାନ୍ତାଲକ୍ଷ୍ମୀ ।

 

ବସନ୍ତର ସୁନ୍ଦର ସକାଳ ଏଇଠି । ଆକାଶରେ ମାଛକାତି ଭଳି ଚୂନା ଚୂନା ନାଲି ଛିଟ ମେଘ, ସୁ-ପ୍ରଭାତର ଅଭିବାଦନ ନେବ ।

 

ତୁମର ଦୁଇଟି ଛୋଟ ଛୋଟ ଚିଠି ପାଇଁ ଅନେକ ଧନ୍ୟବାଦ ।

 

ହଁ, ଏଇ କଲିକତାର ହୁଗୁଳି ବ୍ରିଜ ଉପରେ ଏବେବି ଅସଂଖ୍ୟ ଟେକ୍‌ସି ଗଡ଼ି ଚାଲିଛି, ଏବଂ ପ୍ଲାଟଫର୍ମର ସେଇ କଣରୁ, ଯେଉଁଠୁ ଆମେ କେଇଜଣ ତୁମମାନଙ୍କୁ ବିଦାୟ ଦେଇଥିଲୁ, ହୁଏତ ଆଉ ଅନେକ ବିଦାୟ ଦୃଶ୍ୟ ଅଭିନୀତ ହୋଇ ଯାଇଛି; କିନ୍ତୁ ଶାନ୍ତା, ଚେତନାର ସ୍ମୃତି ବେଦନାର ପଲଙ୍କ ଉପରେ ଏବେ ବି ଅନେକ ସମୟରେ ଛଟପଟ ହୁଏ କାହିଁକି ? ଜୀବନଟା ସ୍ୱପ୍ନ ହେଉ କି ସତ୍ୟ ହେଉ, ଭଲ ପାଇବାର ପରିଭାଷା କ’ଣ ବେଦନା ସହ ଜଣକର ବଞ୍ଚିବା ଅଧିକାରର ସଂଗ୍ରାମ ?

 

ପ୍ରେମର ଶସ୍ତା ଓ ସାଧାରଣ ଅର୍ଥ ବିରୁଦ୍ଧରେ ବ୍ୟକ୍ତିଗତ କଥୋପକଥନଠୁ ସଭା ମଞ୍ଚ ଯାଏଁ ସବୁଠି ମୁଁ ପ୍ରତିବାଦ କରିଛି । ଅସଂଯତ ତ୍ରୁଟି ବିଚ୍ୟୁତିକୁ କିମ୍ବା ଉଚ୍ଛୃଙ୍ଖଳତାକୁ ଏହାର ସୀମା ସ୍ପର୍ଶକରିବାକୁ ମୁଁ ଦେଇନି–ଦିନେ ହୁଏତ ପ୍ରକୃତ ପ୍ରେମର ଆଲୋକରେ ଉଦ୍‌ଭାସିତ ହୋଇଥିଲି ବୋଲି-। ଭଲ ପାଇବାଟା ତ ଘୋଷଣା କରାଯାଏ ନାହିଁ, ଭଗବତ୍‌ ପ୍ରେମ ଭଳି ଗୋବନ ରଖାଯାଏ-

 

ଶାନ୍ତାଲକ୍ଷ୍ମୀ ! ମୋର ଜୀବନର ଗୋଟାଏ ଅତି ଗୋପନୀୟ ଘଟଣା ଶୁଣିବ ? ତୁମେ ତ ଚେତନାକୁ ଜାଣନି, କାରଣ ତୁମର କେବେ ତା ସହ ଦେଖାହୋଇନି । କିନ୍ତୁ ତୁମେ ତାକୁ ଜାଣ, କାରଣ ଶତକଡ଼ା ନବେ ସେ ତୁମ ଭଳି । ପ୍ରଭେଦ ଭିତରେ, ସେ ଯଦି ଆଜି ବଞ୍ଚିଥାଆନ୍ତା, ତୁମଠୁ ବୟସରେ ଟିକିଏ ବଡ଼ ହୋଇଥାନ୍ତା । ବେଶ ପୋଶାକରେ ତୁମଠୁ ଅଧିକ ଆଡ଼ମ୍ବରପୂର୍ଣ୍ଣ ଥିଲେ ବି, ଦୁହିଁଙ୍କ ଘନନୀଳ କୁଞ୍ଚିତ ଦୀର୍ଘ କେଶରାଶିର ସମତା ସତ୍ତ୍ୱେ, କେଶ-ବିନ୍ୟାସରେ ଥିଲା ସେ ମରହଟ୍ଟୀ । ଆଉ ସେ ଗ୍ରାଜୁଏଟ ବି ନଥିଲା । କିନ୍ତୁ ଚେତନାର ହସ ଭଳି ହୃଦୟଖୋଲା ହସ ମୁଁ କେଉଁଠି ଆଉ ଦେଖିନି । ସେ ମୋ ପାଇଁ ସ୍ୱପ୍ନ ଥିଲା ଏବଂ ସତ୍ୟ ମଧ୍ୟ ।

 

ହଁ ଖଣ୍ଡେ ଚିଠି ଭିତରେ କ’ଣ ବା ଏମିତି ଲେଖିହବ ଯେ ? ଅନେକ କଥା ସେ....ଶେଷରେ ତା’ର ବାହାଘର ହୋଇ ଯାଇଥିଲା ଜଣେ ଅତି ଅନ୍ତରଙ୍ଗ ବନ୍ଧୁ ସହ, ଯିଏକି ଠିକ୍ ମୋ ଭଳି କଳା ଓ କଳ୍ପନାର ବିଳାସୀ ଓ କିଛିଟା ସ୍ରଷ୍ଟା ମଧ୍ୟ । ଶାନ୍ତାଲକ୍ଷ୍ମୀ, କିଛି ଲାଭ ନାହିଁ–ପାଇବା ନ ପାଇବାର ଚୂଳଚିରା ବିଚାର ଭେଦରେ ନିଜେ ବଞ୍ଚିତ ହେବା କିମ୍ବା ଅନ୍ତରଙ୍ଗକୁ ବଞ୍ଚିତ କରିବା, ଏଇ ଦୁଇଟି ଭିତରୁ କେଉଁଟି ଠିକ୍‌ ? ନା, କିଛି ଠିକ୍‌ କରି ହେବନି । କିନ୍ତୁ ସେତେବେଳେ ମୁଁ ଜାଣି ପାରି ନଥିଲି ଯେ, ମୋ ଅନ୍ତରଙ୍ଗ ଭବିଷ୍ୟତରେ ଜଣେ ଅତି ବିପଦ୍‌ଜନକ ମଦ୍ୟପୀ ହୋଇ, ଚେତନାର ଅନେକ ନିର୍ଯାତନାର କାରଣ ହୋଇ ପାରନ୍ତି । ଲକ୍ଷ୍ୟ ବି କରିପାରି ନ ଥିଲି, ଚେତନା ଭିତରର ସେଇ ସର୍ବଂସହା ପ୍ରତିମାକୁ । ଏତେ ନିର୍ଯାତନା ସତ୍ତ୍ୱେ ବି’ ଯେତେବେଳେ ମୁଁ ବନ୍ଧୁଙ୍କ ଘରକୁ ଯାଉଥିଲି, ଚେତନାର ଅଧରରେ ମୃଦୁ ହାସ୍ୟ ଛଡ଼ା ଥରେ ହେଲେ ଅନ୍ୟ କିଛି ଦେଖି ନ ଥିଲି । ବନ୍ଧୁ ନଥିଲାବେଳେ ବି ଯଦି କେବେ ତାଙ୍କ ଘରେ ମୁଁ ପହଞ୍ଚି ଯାଉଥିଲି, ରୁକ୍ଷ ଅଭିମାନ କି କୌଣସି ଦୁଷ୍ଟ ବ୍ୟବହାର ମୁଁ ପାଇ ନଥିଲି ତା’ଠୁ । କିମ୍ବା ବନ୍ଧୁ ନଥିବା ଦେଖି, ଯଦି ମୁଁ ଫେରି ଆସିବା ଉଦ୍ୟମ କରୁଥିଲି, ଖୋଲା କଣ୍ଠରେ ସେ କହୁଥିଲା, ‘‘ବସନ୍ତୁ, ସିଏ ଆସିଯିବେ ।’’ ଏବଂ ସେଇଠି ବସି ଅନେକ ସମୟ ଧରି ପତ୍ରପତ୍ରିକା ଘଣ୍ଟାଘଣ୍ଟି କରିବା ସତ୍ତ୍ୱେ ବି, ଯଦି ବନ୍ଧୁ ମୋର ଆସୁ ନଥିଲେ ମୁଁ ସେଇଠୁ ଉଠୁଥିଲି, ‘‘ମୁଁ ପରେ ଆସିବି’’ କହି । ‘‘ନିଶ୍ଚୟ ଆସିବେ କିନ୍ତୁ ।’’ ସେ କହୁଥିଲା ଏବଂ କହିବା ଭିତରେ ସରଳ ସତ୍ୟତାହିଁ ଥିଲା ।

 

ଶାନ୍ତାଲକ୍ଷ୍ମୀ, ମାତ୍ର ଦୁଇଟି ଘଟଣା ଏବଂ ଚିଠିର ଶେଷ–ପ୍ରଥମଟି ଏକ ଗ୍ରୀଷ୍ମ ଅପରାହ୍ନର ଏବଂ ଅନ୍ୟଟି ଏକ ଶୀତ ସନ୍ଧ୍ୟାର । ସେଇ ଗ୍ରୀଷ୍ମ ଅପରାହ୍ନରେ ବନ୍ଧୁ ଘରେ ନ ଥାନ୍ତି । ବନ୍ଧୁ ପତ୍ନୀ କହିଲେ, ଟିକିଏ ଅପେକ୍ଷା କଲେ ସେ ଆସିଯିବେ । ଆଲମାରୀରୁ ଖଣ୍ଡେ ବହି ଟାଣି ଆଣିବାର ପ୍ରାୟ ଅଧଘଣ୍ଟା ପରେ ବି, ବନ୍ଧୁକୁ ନ ଫେରିଥିବା ଦେଖି ସେଇଠୁ ଯିବାର ଉପକ୍ରମ କରୁଛି, ଶୁଣିଲି, ‘‘ମୁଁ ଆଉ ଅଧିକ ଦିନ ବଞ୍ଚିବିନି.....’’ । ଆକାଶରୁ ଯେମିତି ହଠାତ୍‌ ଖସିପଡ଼ିଲେ । ଚାହିଁ ଦେଖିଲି, ସାମ୍ନାରେ ଚେତନା ! ଆଖିରେ ତା’ର ସ୍ୱର୍ଗୀୟ ପ୍ରେମ ଓ ବେଦନାର ଆର୍ତ୍ତନାଦ । ସେଦିନଠୁ ମନେ ହେଲା, ବେଦନାକୁ ଛାଡ଼ି ହୁଏତ ପ୍ରେମ ବଞ୍ଚି ନ ପାରେ । ଶାନ୍ତାଲକ୍ଷ୍ମୀ ସେ ଆଖିର ତୁଳନା ଅନେକ ଦିନ ପରେ ହୁଏତ ପ୍ରଥମ ଓ ଶେଷଥର ପାଇଁ ତମଠି ମୁଁ ଦେଖିଚି ବୋଲି, ତୁମ ପ୍ରତି ମୋର ଅନେକ ସମ୍ମାନ ।

 

ପଚାରିଲି,. ‘‘ତୁମେ କ’ଣ ସର୍ବଜଣା ?’’

 

ନାଁ । ସେ କହିଲା ।

 

‘ତାହେଲେ କ’ଣ କଳ୍ପନା କରୁଛ ?’’

 

ହଁ, ହୁଏତ କଳ୍ପନା....’ । ତା’ପରେ ଟିକିଏ ରହି ପୁଣି ସଂଯୋଗ କଲା ‘‘ଆଚ୍ଛା, ଏଇ ଘରେ କ’ଣ ସମସ୍ତେ ଏମିତି ମଦଖିଆ ପାଲା ଲଗାଇଥିବେ ?’’

 

‘ସମସ୍ତେ’ର ଅର୍ଥ ୟା ଭିତରେ ବନ୍ଧୁଙ୍କ ଅନୁଗ୍ରହରୁ ମୁଁ ବି ପିଇବା ଆରମ୍ଭ କରିଦେଇଥିଲି-

 

‘‘ମଦ କ’ଣ ତୁମେ ଏତେ ଘୃଣା କର ?’’ ମୁଁ ପଚାରିଲି ।

 

‘‘ଓଃ, ଖୁବ୍‌ ........ଖୁବ୍‌ ଘୃଣାକରେ ।’’

 

‘‘କିନ୍ତୁ କୌଣସି ଦିନ ଅଭିଯୋଗ ତ କରିନ ।’’

 

‘‘ଅଭିଯୋଗ କରି କ’ଣ ଲାଭ ଯେ ? .......’’

 

‘‘ଆଉ କ’ଣ ମରିବ କହୁଥିଲ ଏଇଥି ପାଇଁ ?’’

 

‘‘ଧେତ୍‍.....ବାଜେ କଥା ।’’

 

‘‘ତାହେଲେ ବର୍ତ୍ତମାନ୍‌ ମୁଁ ଆସୁଛି,’’ ମୁଁ ସେଇଠୁ ଉଠିଥିଲି ।

 

ହଁ, ଶାନ୍ତାଲକ୍ଷ୍ମୀ, ଚେତନାର ବାହାଘର ପରେ ଅନେକ ଥର ଦେଖା ସାକ୍ଷାତ ସତ୍ତ୍ୱେ, ଏହାହିଁ ଥିଲା ଆମ ଦିହିଙ୍କ ଭିତରେ ସବୁଠୁ ଅଧିକ ସମୟର ଆଳାପ ।

 

ତା’ପରେ ସେଇ ଶୀତ ସନ୍ଧ୍ୟା । ଆମେ ଦୁହେଁ ଅଳ୍ପ ଅଳ୍ପ ମଦ ପିଇ ଖୁବ୍‌ ଉଚ୍ଚରେ ହସି ପାଟି କରୁଥିଲୁ ଏବଂ କେଉଁ ରାଜନୈତିକ କିମ୍ବା ସାହିତ୍ୟିକଙ୍କ ଚୌଦପୁରୁଷ ଚର୍ଚ୍ଚା କରି, ଗାଳି ବି ଦେଉଥିଲୁ । ଅନେକ ଥଣ୍ଡା ପଡ଼ୁଥିଲା । ଅତ୍ୟଥିକ ସୁରା ପାନ ହେତୁ, ବନ୍ଧୁଟି ସେଇଠି ହଠାତ୍‌ ଗଡ଼ିଗଲେ ଏବଂ ତାଙ୍କୁ ନିଦ ବି ଆସିଗଲା । ମୁଁ ବି ଗଡ଼ି ଗଡ଼ି ଢୁଳାଉ ଥାଏ । ଏଇ ସମୟରେ ହଠାତ୍‌ ଦୁଇଟା କମ୍ବଳରେ କେହି ଆମ ଦୁହିଁଙ୍କୁ ଘୋଡ଼ାଇ ଦେଇ ଚାଲିଗଲା । ତା’ପରେ କ’ଣ ହେଲା, ମୋର କିଛି ମନେ ନାହିଁ ! ମୋତେ ବି ନିଦ ଆସିଯାଇଥିଲା ।

 

ଅନେକ ସମୟ ପରେ ଯେତେବେଳେ ନିଦ ଭାଙ୍ଗେ, ଦେଖିଲି, କୋଠରୀଟିର ଗୋଟାଏ କଣରେ ଝର୍କା ଦେଇ ଚେତନା ବାହାରକୁ ଚାହିଁ ଠିଆ ହୋଇଛି । ହୁଏତ ଅନେକ ବେଳୁ ସେ ସେମିତି ଠିଆ ହୋଇଛି । ହୁଏତ ସାରା ରାତି ଶୋଇନି । ଚନ୍ଦ୍ର କିରଣରେ ତା ମୁଖ ଓ ବକ୍ଷ ଉଦ୍‌ଭାସିତ । ମୁକ୍ତ ଦୀର୍ଘ ଘନ କୁଞ୍ଚିତ କେଶସବୁ ଆଜାନୁଲମ୍ବିତ । ଦୁଇଟି ଆଖିରେ ଦୀପ୍ତ ଜ୍ୟୋତି ଏବଂ ଆଖି କଣରେ ମୁକ୍ତା ଭଳି ଝଲମଲ ଦୁଇ ବିନ୍ଦୁ ଅଶ୍ରୁ ।

 

ସେ ଚାହୁଁଥିଲା ଦୂର ଆକାଶକୁ–ସେଇଠି ଯେମିତି ଶାନ୍ତି ! ତା ନିଜ ଭିତରେ ସେ ଥିବା ଭଳି ମନେ ହେଉ ନଥିଲା । ହୁଏତ ଏଇନେ ସେ କାହାର ପତ୍ନୀ ନୁହେଁ, କି ପ୍ରେମିକା ବି ନୁହେଁ । ଆଖିରେ ତା’ର ଅନେକ କରୁଣା, ଅନେକ ଦୟା । ସେ ଯେମିତି ଏକ କରୁଣାମୟୀ ମାତା ଏବଂ ଦୁଇଟି ଅଯୋଗ୍ୟ ମଦ୍ୟପୀ ସନ୍ତାନଙ୍କ ଦୁଃଖ ଯନ୍ତ୍ରଣାରେ ଏଇନେ ବେଦନା-ବିହ୍ୱଳା !

 

ଆଉ ଅଧିକ ସମୟ ସେଇ କରୁଣାମୟୀ ମୂର୍ତ୍ତିଆଡ଼େ ଚାହିଁପାରି ନ ଥିଲି । ଆଖିରେ ମୋର ଲୁହ ଆସିଯାଇ ଥିବାରୁ, କମ୍ବଳଟି ପୂରା ଟାଣି ନେଇ ମୁହଁ ଓ ଆଖି ଘୋଡ଼ାଇ ଦେଇଥିଲି ଏବଂ ସେଇ ଅଶ୍ରୁର ପ୍ଳାବନକୁ ସାକ୍ଷୀ ରଖି ପ୍ରତିଜ୍ଞା କରିଥିଲି, ମଦ ଖାଇବା ନ ଛାଡ଼ିବା ଯାଏଁ ଚେତନାକୁ ଆଉ ମୁହଁ ଦେଖାଇବି ନାହିଁ ।

 

ଶାନ୍ତାଲକ୍ଷ୍ମୀ, ତା’ପରେ ଅନେକ ଦିନ ମୁଁ ଆଉ ବନ୍ଧୁଙ୍କ ଘରକୁ ଯାଇନି । ବନ୍ଧୁଟି ଥରେ ଦୁଇଥର ମୋ ନିକଟକୁ ଆସିଥିଲେ ବି, ଚେତନାର କଥା ପଚାରିଲେ ସେମିତି କିଛି କହନ୍ତିନି.....ତା’ପରେ ବନ୍ଧୁ ବି ଆଉ ଆସି ନ ଥିଲେ......

 

ହଠାତ୍‌ ଦିନେ ଖବର ପାଇଲି, ଚେତନା ଡାକ୍ତରଖାନାରୁ ଡକାଇଛି । ଯାଇ ଶୁଣିଲି ସବୁ ଶେଷ । ତା’ପରେ ଚେତନାର ମୃତ ଶରୀରକୁ ଆମେ କାନ୍ଧରେ ଉଠାଇଥିଲୁ ଏବଂ ସେତେବେଳେ ଅଶ୍ରୁର ପ୍ଳାବନ ଭିତରୁ ଦେଖିଥିଲି–ତା ମୁଖରେ ଓ ଆଖିରେ ନିର୍ବିକାର ଶାନ୍ତି !

 

ତମର

ଲଳିତ ।

Image

 

ଆଦ୍ୟ ବସନ୍ତର କାହାଣୀ

ଶ୍ରୀ କୃଷ୍ଣମୋହନ ପଟ୍ଟନାୟକ

 

ଯୌବନ-ବସନ୍ତର ସ୍ପର୍ଶ, ଜୀବନରେ ଆଣେ ରୋମାଞ୍ଚ । ମିସ୍‌ ମେରୀ, ମନିମାଉସୀ ସମସ୍ତେ ସେ ସ୍ପର୍ଶରେ ମୁଗ୍ଧ । ଆଉ ବିନୋଦିନୀ ?

 

ଆମ୍ବ ଗଛରେ ବଉଳ ଆସିଛି ।

 

ବିନୋଦିନୀ ଝରକା ଖୋଲିଦେଇ ହଠାତ୍‌ କେମିତି ଆଶ୍ଚର୍ଯ୍ୟ ହୋଇଗଲା ! ବାହାରେ ତେବେ ବସନ୍ତ ଆସିଲାଣି !!

 

ହଷ୍ଟେଲର ଆବେଷ୍ଟନୀ ଭିତରୁ ମୁକ୍ତ ହୋଇ ଆସି ଘରେ ଯେମିତି ସେ ଅନୁଭବ କଲା, ଏଇ ତା’ ଜୀବନର ପ୍ରଥମ ବସନ୍ତ !

 

ହଷ୍ଟେଲରେ ! ଆଃ, କି ବିରକ୍ତିଜନକ ପରିସ୍ଥିତି !!! କେତେବେଳେ ଟିକିଏ ଫ୍ରି ହୋଇପାରେନି ହଷ୍ଟେଲରେ । କେବେ କେମିତି ବାହାରପଟ ଝରକାର ପର୍ଦ୍ଦା ଆଡ଼େଇ ବାହାରକୁ ଚାହିଁଲେ, ମିସ୍‌ ମେରୀ ତଳୁ ପାଟି କରନ୍ତି । ଖାଲି ତାଙ୍କରି ଭୟରେ.....

 

ମିସ୍‌ ମେରୀ ସୁପରିନ୍‌ଟେଣ୍ଡେଣ୍ଟ ।

 

ବଉଳର ଗନ୍ଧକୁ ବିନୋଦିନୀ ପ୍ରାଣ ଭରି ପିଇନେଲା । ଏଇ ବସନ୍ତର ଗନ୍ଧ ସତେ କେତେ ମଧୁମୟ !

 

ମିସ୍‌ ମେରୀ ଥାଆନ୍ତେ କି ! ତା’ର ମନେ ହେଲା, ମିସ୍‌ ମେରୀ ବୋଧେ ଜୀବନରେ କେବେ ଏଇ ବସନ୍ତକୁ ଅନୁଭବ କରିନାହାନ୍ତି !

 

ଆଃ, ଆଜି ଏ ବେଳଟାରେ ମିସ୍‌ ମେରୀଙ୍କ କଥା କାହିଁକି ତା’ର ମନେ ପଡ଼ିଲା ? ସେଦିନ ସୁରମା କହୁଥିଲା, ମିସ୍‌ ମେରୀ କୁଆଡ଼େ ରେଜିଷ୍ଟ୍ରୀ ମ୍ୟାରେଜ୍‌ କଲେ–ସେଇଦିନଠୁ ସେ ଛୁଟିରୁ ଫେରିନାହାନ୍ତି । ଆଉ କେହି କେହି କହନ୍ତି, ମିସ୍‌ ମେରୀ ରେଜିଗନେସନ୍‌ ଦେଲେଣି ।

 

ହଉ,ମିସ୍‌ ମେରୀ ଭଲରେ ଘର ସଂସାର କରନ୍ତୁ ।

 

ସେଦିନ ତେବେ କାହିଁକି ମିସ୍‌ ମେରୀ ବୃଥାଟାରେ ଏତେ ରାଗିଗଲେ ?

 

ବିନୋଦିନୀର ମନ ବିଦ୍ରୋହ କରି ଉଠିଲା । ଆଜି ସେ ମିସ୍‌ ମେରୀଙ୍କୁ ଦେଖିଲେ ପଚାରନ୍ତା.....

 

ବାପା କଥା ଛଳରେ ବିନୋଦିନୀକୁ ସେଇ କଥାହିଁ ପଚାରିଦେଲେ । ଆଉ ମିସ୍‌ ମେରୀ ଯେ ତାଙ୍କ ପାଖକୁ ସମସ୍ତ ବିଷୟ ଲେଖି ଜଣାଇଛନ୍ତି, ତାହା ବୁଝିବାକୁ ବିନୋଦିନୀକୁ ବେଶି ସମୟ ଲାଗିଲାନି ।

 

ବାପାଙ୍କର ଏକା ଜିଦ୍‌, ‘ବିନ୍ଦୁ’ ସହିତ ବିନୋଦିନୀର ବିବାହ କରେଇ ଦେବେନି । ତାଙ୍କର ବଂଶର ଆଭିଜାତ୍ୟ, ମାନ ସମ୍ମାନକୁ ସେ ଏଡ଼େ ସାମାନ୍ୟ ଲୋକଟା ହାତରେ ଟେକି ଦେବେ ନି, ହେଉ ପଛେ ସେ ଏକମାତ୍ର ଝିଅ; ଆଉ ଯେତେ ଜିଦ୍‌ କରୁ ବି ।

 

ଝରକା ପାଖ ଆମ୍ବ ଗଛଟାରେ କୋଇଲି ରାବିଲେ ବିନୋଦିନୀ ଝରକାଟା ଖୋଲିଦିଏ, ଆଉ ରେଲିଂ ଧରି ଛିଡ଼ା ହୋଇ କୋଇଲିକୁ ଲକ୍ଷ୍ୟ କରେ ।

 

ତା’ର ମନ ହୁଏ, କୋଇଲି ଏମିତି ସବୁବେଳେ ରାବୁ ଥାଆନ୍ତା କି !

 

ଆଃ, ହଷ୍ଟେଲର ବୋରିଂ ଦିନଗୁଡ଼ାକ.....

 

ବାପା ତା’ର ଜବାବ ଚାହିଁଛନ୍ତି । ଯଥେଷ୍ଟ ସମୟ ବି ଦେଇଛନ୍ତି ଭାବିବାକୁ । ତାଙ୍କର ବିଶ୍ୱାସ, ଯାହାକୁ ନିଜେ କୋଳେଇ, କାଖୋଇ ମଣିଷ କରି ଗଢ଼ିଛନ୍ତି, ସେ ତାଙ୍କ ଇଚ୍ଛା ବିରୁଦ୍ଧରେ କିଛି କରିବାକୁ ସାହସ କରିବନି ।

 

ଜୀବନର ଷୋଡ଼ଶ ଅଧ୍ୟାୟରେ ଏଇ ଯୋଉ ସମସ୍ୟାଗୁଡ଼ାକ, ତା’ ଭିତରେ ରୁନ୍ଧିହୋଇ ଶ୍ୱାସରୁଦ୍ଧ ହେଲାପରି ଲାଗିଲାଣି ତାକୁ ।

 

ତା’ର ମନ ହୁଏ, ଛୁଟିଟା କେମିତି ଶୀଘ୍ର ସରିଯାଆନ୍ତା କି.....

 

କିନ୍ତୁ ଏ ବସନ୍ତଟା......

 

ବିନୋଦିନୀ ମନିମାଉସୀଙ୍କୁ ପିଲାଦିନୁ ଯେମିତି ଦେଖି ଆସୁଛି, ସେ ଆଜି ବି ଠିକ୍ ସେମିତି ଅଛନ୍ତି । ସକାଳୁ ଉଠି, ନିତ୍ୟକର୍ମ ସାରି, ଗାଧୋଇ ପାଧୋଇ ସେ ଦିନସାରା ଠାକୁରଙ୍କ ଘରେ କଟାନ୍ତି । ପୂଜା,ପୁରାଣ ପାଠ, ଦରିଦ୍ର ନାରାୟଣ ସେବା ଯେମିତି ତାଙ୍କ ଜୀବନର ବ୍ରତ ।

 

ବିନୋଦିନୀ ମନେ ମନେ ଭାବେ, କାହିଁକି ଏ ସନ୍ନ୍ୟାସିନୀ ବ୍ରତ ମନିମାଉସୀଙ୍କର !

 

ବାଲ୍ୟ ବିଧବା ମନିମାଉସୀ; ସାଂସାରିକ ମାୟା, ମମତା ପ୍ରତି ଏକାନ୍ତ ଉଦାସୀନା !

 

ଏବେ ବିନୋଦିନୀ ଲକ୍ଷ୍ୟ କରେ, ମନିମାଉସୀ ବୋଉଙ୍କୁ ନେଇ ଭାଗବତ ଶୁଣାଉଛନ୍ତି, ଅର୍ଥ ବୁଝାଉଛନ୍ତି, ଏବଂ ବେଳେ ବେଳେ ଭାବବିହ୍ୱଳ ହୋଇ ଯାଉଛନ୍ତି ।

 

ଏ ବସନ୍ତ ତେବେ ମନିମାଉସୀଙ୍କ ଉପରେ କିଛି ପ୍ରଭାବ ପକେଇ ପାରିନି ? ମନିମାଉସୀ.....

 

କାହିଁକି ତେବେ ତମେ ଏ ସଂସାରକୁ ଆସିଥିଲ ?

 

ବିନୋଦିନୀ ଝରକାଟାକୁ ବନ୍ଦ କରି ଦେଇ ବିଛଣା ଉପରେ ଗଡ଼ି ପଡ଼ିଲା । ମନରେ ବାପାଙ୍କର ସେଇ ପ୍ରଶ୍ନ......

 

ବିପତ୍ନୀକ ଶଶିଦା’ ପତ୍ନୀ ବିରହରେ ଭାଙ୍ଗି ପଡ଼ୁଥିବା ବେଳେ ମନିମାଉସୀ ତାଙ୍କୁ ବାଟକୁ ଆଣିଛନ୍ତି....

 

ପିଲା ଛୁଆର ସଂସାର ନେଇ ଏମିତି ଭାଙ୍ଗିପଡ଼ିଲେ ଚଳିବନି ଶଶି ଭାଇ.....ଯେ ଯିବାର ଚାଲିଗଲା–ଏଣିକି ତମେହିଁ ପିଲାଙ୍କୁ ମଣିଷ କରିବ ।

 

ମନିମାଉସୀ ତାଙ୍କୁ ସତ୍‌ପଥ ଦେଖାଇଛନ୍ତି ବୋଲି ଶଶିଦା’ ତାଙ୍କ ପାଖରେ କୃତକୃତ୍ୟ ହୋଇ ପଡ଼ୁଛନ୍ତି ।

 

ବିନୋଦୀନୀ ଲକ୍ଷ୍ୟ କରେ, ଏବେ କାହିଁକି ମନିମାଉସୀ ଶଶିଦା’ଙ୍କ ସାଙ୍ଗରେ କଥାବାର୍ତ୍ତା ହେଲାବେଳେ ଅନ୍ୟମନସ୍କା ହୋଇଯାଉଛନ୍ତି ।

 

ଛୁଟି ଯେତିକି ସରି ସରି ଆସୁଚି, ଘର ପ୍ରତି ବିନୋଦିନୀ ସେତିକି ଆକୃଷ୍ଟ ହୋଇ ପଡ଼ିଲାପରି ଲାଗୁଛି । ହଷ୍ଟେଲରେ ଏ ପରିବେଶ କୁଆଡ଼ୁ ଆସିବ !

 

ଶଶିଦା’ଙ୍କର ଆସିବା ଯେମିତି ଗୋଟାଏ ନିତିଦିନିଆ କଥା ହୋଇଯାଇଛି, ଆଉ ବିନୋଦିନୀ ଲକ୍ଷ୍ୟ କରେ, ବୋଉ କାହିଁକି ତାଙ୍କର ଆସିବାଟାକୁ ଭଲ ଆଖିରେ ଦେଖିପାରୁ ନାହାନ୍ତି-

 

ଦିନେ ଏମିତି ଗୋଟାଏ ଦି’ପହର ବେଳରେ ବିନୋଦିନୀ ତଳ ଖଞ୍ଜାରୁ ବୋଉଙ୍କର ପାଟି ଶୁଣିପାରିଲା ।

 

ବିନୋଦିନୀ ଉଠି ଠିଆ ହୋଇ କାନ ପାରିଲା.....

 

ବୋଉ ଚପା, ଚପା, ଅଥଚ ଦୃଢ଼ ସ୍ୱରରେ ମନିମାଉସୀଙ୍କୁ ସତର୍କ କରାଇ ଦେଉଛନ୍ତି, ଶଶିବାବୁଙ୍କ ସାଙ୍ଗରେ ତୋର ଏତେ ମିଳାମିଶାଟା ତୁ କେମିତି ପସନ୍ଦ କରୁଥିବୁ ମନି, କିନ୍ତୁ ମୋ ମତରେ ଏଇଟା ବନ୍ଦ କରିଦେବା ଉଚିତ ।

ମନିମାଉସୀ କଅଣ କହିଲେ, ବିନୋଦିନୀ ଶୁଣି ପାରିଲା ନି ।

ସଞ୍ଜବେଳେ ପୁଣି ସେଇ ଘଟଣାର ପୁନରାବୃତ୍ତି ।

ବାପା ଶଶିଦା’ଙ୍କୁ ସିଧା ମନା କରିଦେଲେ ଘରକୁ ଆସିବାକୁ । ଶଶିଦା’ ଯେତେହେଲେ ବି ତାଙ୍କର ଦୂର ସମ୍ପର୍କୀୟ ଭାଇ । ଆଉ ବଂଶର ମର୍ଯ୍ୟାଦା ରଖିବାକୁ ବାପା ସଂକଳ୍ପବଦ୍ଧ ।

ସଞ୍ଜବେଳେ ଠାକୁରଙ୍କ ଘର ଆଡ଼େ ଯାଇ ବିନୋଦିନୀ ଲକ୍ଷ୍ୟ କଲା, ପୁରାଣ ଖୋଲି ମନିମାଉସୀ କାନ୍ଦୁଛନ୍ତି ।

ଏ କଅଣ ? ମନିମାଉସୀଙ୍କ ଆଖିରେ ଲୁହ !

ବୋଉ କହିଲେ, ଶାରୀଆ ଆସନ୍ତା ତିନିଦିନ କାମ କରିବାକୁ ଆସିବନି ବୋଲି ଖବର ପଠେଇଚି । ତା’ବର ଏତେଦିନକେ କଲିକତାରୁ ଆସିଚି ।

ବିଚାରୀ ଶାରୀଆ....କେତେ କଷ୍ଟ ନ କରିଚି ସତେ !

ସକାଳୁ ବୋଉ ଆବିଷ୍କାର କଲେ, ମନିମାଉସୀଙ୍କ ଠାକୁର ଘର ଖୋଲା ପଡ଼ିଚି, ଠାକୁରଙ୍କ ପୁରାଣ ବହି ସବୁ ଠିକ୍‌ ଅଛି ।

କିନ୍ତୁ ମନିମାଉସୀ କାହାନ୍ତି ?

ସେଇ ଦିନଠୁ ଶଶିଦା’ ବି ତାଙ୍କ ଘରକୁ ଆସୁନାହାନ୍ତି ।

ତେବେ କଅଣ ମନିମାଉସୀ ଆଉ ଶଶିଦା’.......

ବିନୋଦିନୀ ଆଉ ଚିନ୍ତା କରି ପାରିଲେନି.......

ସେ ଖୋଜିଲା ଖୋଜିଲା ଆଖିରେ ମନିମାଉସୀଙ୍କୁ ଖୋଜି ନେଲା......

ଉପରକୁ ଚାଲି ଆସିଲା ବିନୋଦିନୀ.....

ମନି ମାଉସୀଙ୍କ ପୁରାଣର ସେଇ ନୀତିବାଣୀ ସବୁ ତା’ କାନରେ ବାଜିଯାଉଥିଲା । କଅଣ ତେବେ ସେ କରିବ ?

ଠିଆ ହୋଇ ବାହାରକୁ ଚାହିଁ ରହିଲା ବିନୋଦିନୀ । ଆମ୍ବଗଛ ବଉଳରେ ନଦି ହୋଇ ଯାଇଚି । କୋଇଲି ସାଙ୍ଗରେ ଆଉ କେତେଟା ଚଢ଼େଇ ସେଠି କଚିରି ମିଚିରି ଲଗେଇଛନ୍ତି ।

ବିନୋଦିନୀର ମନେପଡ଼ିଗଲା ବାପାଙ୍କର ସେଇ କଠୋର ସ୍ୱର ।

ବାପାଙ୍କୁ ସେ କି ଉତ୍ତର ଦେବ !

Image

 

ତିନି ଅଧ୍ୟ୍ୟାୟ

ଶ୍ରୀ ରାଈଚରଣ ଦାସ (ଭୌମନଗର)

 

ଜୀବନଟା ଯଦି କ୍ରମାନ୍ୱୟରେ ପୂର୍ଣ୍ଣମୀର ପ୍ରାକ୍‌କାଳ, ପୂର୍ଣ୍ଣିମୀ ଓ ଅମାବାସ୍ୟା ପ୍ରାଙ୍ଗଣରେ ପ୍ରସ୍ଫୁଟିତ ଗୋଲାପ କିମ୍ବା ଗଙ୍ଗଶିଉଳୀ ହୁଏ ଓ ପ୍ରେମ ହୁଏ ସେ ଫୁଲର ମହକ, ତେବେ.... ?

 

ପ୍ରଥମ ଦୃଶ୍ୟ

 

[ବାରଣ୍ଡା–ବାରଣ୍ଡା ସାମ୍ନାରେ ବଗିଚା–ବାରଣ୍ଡାରେ ୨/୪ଟି ଫୁଲକୁଣ୍ଡ । ଗୋଟିଏ ଫୁଲକୁଣ୍ଡକୁ ଲକ୍ଷ୍ୟ କରି ସ୍ତ୍ରୀ ବସିଛି ଗୋଟିଏ garden chairରେ । ଏହି ସମୟରେ ପୁରୁଷର ପ୍ରବେଶ]

 

ପୁରୁଷ

କ’ଣ ଦେଖୁଛ ?

 

 

 

ସ୍ତ୍ରୀ

ଗୋଲାପ ଗଛଟିରେ କଢ଼ଟିଏ ଧରିଛି ।

 

 

 

ପୁରୁଷ

ଫୁଲର ମହକ ।

 

 

 

ସ୍ତ୍ରୀ

ରାତିଟା ଖୁବ୍‌ ସୁନ୍ଦର ହୋଇଛି ।

 

 

 

ପୁରୁଷ

ପୂର୍ଣ୍ଣିମା ନିକଟରେ ।

 

 

 

ସ୍ତ୍ରୀ

ଗଙ୍ଗଶିଉଳୀ ଫୁଲ ଗୋଟିଏ ଗୋଟିଏ ଝରି ପଡ଼ୁଛି ।

 

 

 

ପୁରୁଷ

ରାତି ବେଶି ହେଲାଣି ।

 

 

 

ସ୍ତ୍ରୀ

ଆଉ ଟିକିଏ ବସିବ ?

 

 

 

ପୁରୁଷ

ଉଁହୁଁ (କୋଳକୁ ଆଉଜାଇ ଆଣି)

 

୨ୟ ଦୃଶ୍ୟ

 

ପୁରୁଷ

କ’ଣ ଦେଖୁଛ ?

 

 

 

ସ୍ତ୍ରୀ

ପ୍ରସ୍ଫୁଟିତ ଗୋଲାପ ।

 

 

 

ପୁରୁଷ

ଆଜି ପୂର୍ଣ୍ଣିମା ।

 

 

 

ସ୍ତ୍ରୀ

ହୁଁ ।

 

 

 

ପୁରୁଷ

ରାତିଟା ଚମତ୍କାର ।

 

 

 

ସ୍ତ୍ରୀ

ଫୁଲର ମହକ ।

 

 

 

ପୁରୁଷ

ଗଛଟିରେ ଗଙ୍ଗଶିଉଳୀ ଫୁଲ ଭର୍ତ୍ତି ହୋଇଛି ।

 

 

 

ସ୍ତ୍ରୀ

ଥଣ୍ଡା ଲାଗୁଛି ।

 

 

 

ପୁରୁଷ

ଆଉ ଟିକିଏ ବସିବା ନାହିଁ ?

 

 

 

ସ୍ତ୍ରୀ

ଉଁ, ହୁଁ !

 

୩ୟ ଦୃଶ୍ୟ

 

ପୁରୁଷ

କ’ଣ ଦେଖୁଛ ?

 

 

 

ସ୍ତ୍ରୀ

ଝରା ଗୋଲାପ ଫୁଲର ପାଖୁଡ଼ା ।

 

 

 

ପୁରୁଷ

ଆକାଶରେ ଚନ୍ଦ୍ର ନାହିଁ ।

 

 

 

ସ୍ତ୍ରୀ

ହୁଁ ।

 

 

 

ପୁରୁଷ

ଫୁଲର ସୁବାସ ନାହିଁ ।

 

 

 

ସ୍ତ୍ରୀ

ହୁଁ ।

 

 

 

ପୁରୁଷ

ଗଛରେ ଗଙ୍ଗଶିଉଳୀ ଫୁଲ ନାହିଁ ।

 

 

 

ସ୍ତ୍ରୀ

ହୁଁ ।

 

 

 

ପୁରୁଷ

ଘରକୁ ଚାଲ ।

 

 

 

ସ୍ତ୍ରୀ

ନା, ଆଉ ଟିକିଏ ବସିବି । (ଦୁଇଜଣ ପରସ୍ପରକୁ କିଛି ସମୟ ଚାହିଁ ରହିବା ପରେ)

 

 

 

ପୁରୁଷ

(କୋଳକୁ ଆଉଜେଇ ଆଣି) କେତେବେଳ ଯାଏଁ ବସି ଭାବୁଥିବ ?

Image

 

ବାଲିଘର

ଶ୍ରୀ ପ୍ରଫୁଲ୍ଲ ସେନାପତି

 

କିଛି ନପାଇ ମଧ୍ୟ ସବୁ ପାଇଥିବାରୁ ଛଳନା କରିବା ମନୁଷ୍ୟର ଏକ ପ୍ରବୃତ୍ତି । ଶଙ୍କରଙ୍କ ମାୟାବାଦ ସତ୍ତ୍ୱେ ସାଧାରଣ ବନୁଷ୍ୟ ପାଇଁ ଇବସେନୀୟ ଲିଭସ୍ଲୋଜନେନ୍ ବ୍ୟତୀତ ଅନ୍ୟ ଗତି କାହିଁ ?

 

ତା’ପରେ ମୋର କିଛି କହିବାର ନଥିଲା–

 

ମୁଁ କେବଳ ଜଣେ ନୀରବ ଦର୍ଶକ । ଅନେଇ ରହିଥିଲି, କେମିତି ମୋରି ଆଖି ଆଗରେ ଏତେଦିନ ଧରି ଅତି ଯତ୍ନରେ ରଖିଥିବା ତିନୋଟି ଚିଠିକୁ କେନ୍ଦ୍ରକରି ଝଡ଼ ଉଠୁଛି ।

 

ବନ୍ଧୁ ମତେ ଚେତାବନୀ ଦେଲେ, ଖବରଦାର, ଲକ୍ଷ୍ମୀ ବୋଲି କୌଣସି ଝିଅ ତୁମ ପାଖକୁ ଚିଠି ଲେଖୁଥିଲା, ଏ ବିଷୟ ଯେମିତି ସ୍ତ୍ରୀଙ୍କ ଆଗରେ ନ କୁହ ! ଭାବପ୍ରବଣ ହୋଇ ଯଦି ଭୁଲବଶତଃ କହି ପକାଅ, ତେବେ ତୁମର ବୈବାହିକ ଜୀବନ ପୂରାପୂରି ନଷ୍ଟ ହୋଇଯିବା । ତୁମର ବୈବାହିକ ଜୀବନ ସୁଖମୟ ହେଉ, ଏଇ ଉଦ୍ଦେଶ୍ୟ ନେଇ ମୁଁ ଆଜି ତମର ଏଇ ତିନୋଟି ଚିଠିକୁ ନଷ୍ଟ କରିବାକୁ ଚାହେଁ ।

 

ମୁଁ କେବଳ ଦୀର୍ଘଶ୍ୱାସଟିଏ ଛାଡ଼ିଲି । କାରଣ, ମୋର କହିବାର କିଛି ନଥିଲା । ବନ୍ଧୁ ଗୋଟାଏ ଲଫାପାରୁ ଚିଠିଟିଏ କାଢ଼ି ପଢ଼ିଲେ–

 

‘‘ମୋ ଜୀବନ ନୁରଜାହାନ ଲାଗି ମୁଁ ସାହାଜାହାନଙ୍କ ପରି ତାଜମହଲ ଗଢ଼ି ନାହିଁ ସତ; କିନ୍ତୁ ତା’ର ଦୁଃଖରେ ମୋର ଏଇ ଦୁଇ ଆଖିରୁ ଦୁଇ ଧାର ଲୁହ ତ ଝରାଇ ପାରିବି ! ତୁମ ହାତର ମୁକ୍ତାବିନ୍ଦୁ ପରି ଗୋଲ ଗୋଲ ଅକ୍ଷରର ଚିଠିର ପ୍ରତୀକ୍ଷାରେ ରହିଲି ।’’

 

ମୁଁ କହିଲି, ‘‘ଏଇଟା ତ ଲକ୍ଷ୍ମୀର ଚିଠିର ଉତ୍ତର । ଏଟା ପଢ଼ି ଲାଭ ନାହିଁ । ସବୁ ଲଫାପା ଭିତରେ ତା ଚିଠି ସହିତ ମୋର ଉତ୍ତରର ଗୋଟାଏ ଗୋଟାଏ ନକଲ ଅଛି । ସେଗୁଡ଼ା ପଢ଼ନା । କେବଳ ଲକ୍ଷ୍ମୀର ଚିଠି ପଢ଼ ।’’

 

ସେ ପଢ଼ିଲେ, ‘‘କୂଅରୁ ପାଣି କାଢ଼ୁଥିଲି, ପୋଷ୍ଟମ୍ୟାନ୍‍ ଆଣି ଛିଠି ଦେଇଗଲା । ଚିଠିଟିକୁ ମୁଁ ବାରମ୍ବାର କେତେ ଥର ପଢ଼ିଛି ଜାଣେନା । ଭାଇ ! ଭାଇ ମ ! ଆଜି ଖାଲି ତମକୁ ‘ଭାଇ, ଭାଇ’ ବୋଲି ଡାକିବାକୁ ଭାରି ଇଚ୍ଛା ହେଉଛି । ଲେଖିଛ, ମତେ ଦେଖିବାକୁ, ମୋ ସାଙ୍ଗରେ କଥା କହିବାକୁ ତୁମର ଭାରି ଇଚ୍ଛା ହେଲା । ମୋ ପାଖକୁ ନ ଆସି ମତେ ଦେଖିବ କେମିତି ଯେ ? ତମକୁ ମୋ ରାଣ ରହିଲା, ତମେ ଯାହାକୁ ସବୁଠୁ ବେଶି ଭଲ ପାଅ ତା’ରି ରାଣ ରହିଲା, ନିଶ୍ଚେ ଆମ ଘରକୁ ଆସିବ ।’’

 

ମୁଁ କହିଲି, ‘‘ଏଇଟା ତା’ର ଦ୍ୱିତୀୟ ଚିଠି ।’’ ପୁଣି ସଂଯୋଗ କଲି, ‘‘ମୁଁ ଜାଣି ନଥିଲି ଯେ, ଲକ୍ଷ୍ମୀ କୌଣସି ଏକ ମଫସଲ ସ୍କୁଲରୁ ପ୍ରଥମ ଶ୍ରେଣୀରେ ମ୍ୟାଟ୍ରିକ୍‌ ପାସ୍‍ କରି, ସହରର ମହିଳା କଲେଜରେ ପଢ଼ୁଥିଲା । ଦିନେ ତା ଭାଇ ସାଙ୍ଗରେ ଛୁଟିରେ ସେ ତା’ ଗାଆଁକୁ ଫେରୁଥିଲା । ମୁଁ ମଧ୍ୟ ଘରକୁ ଯାଉଥିଲି । ଟ୍ରେନରେ ଆମର ସେଇ ପ୍ରଥମ ଦେଖା ଓ ପ୍ରଥମ ପରିଚୟ ।’’

 

ତା’ପରେ ବନ୍ଧୁ ଆଉ ଗୋଟିଏ ଚିଠି ପଢ଼ିଲେ–

 

‘‘ଭାଇ, ମୁଁ ଭଲ ପଢ଼ୁଚି ବୋଲି ମତେ କ’ଣ ଭଲ ପାଅ ? ସତ କହିବ, ଯଦି ମୁଁ ଫାଷ୍ଟ ଡିଭିଜନ ନ ପାଏଁ, ତେବେ ମତେ ଭଲ ପାଇବନି ?

 

X X X

 

ଯଦି ମୁଁ ଫେଲ ହୁଏଁ, ତେବେ ନିଶ୍ଚୟ କୂଅକୁ ନ ହେଲେ ପୋଖରୀକୁ–ମୁଁ ତ ଭାବି ପାରୁନି, ମୋର ଏଇ ରୂପ ନେଇ କାହାରିକୁ ସନ୍ତୁଷ୍ଟ କରିପାରିବି । ଏଥର ନିଶ୍ଚୟ ଆସିବ । ‘ତମର ଲକ୍ଷ୍ମୀ’ ।

 

ମୁଁ କହିଲି, ‘‘ଏଇଟା ମୋର ଶେଷ ଚିଠି । ବହୁ ଚେଷ୍ଟା କରି ମଧ୍ୟ ମୁଁ ତା ଘରକୁ ଯାଇପାରି ନଥିଲି । ରୁଦ୍ଧ ଅଭିମାନରେ ସେ ମୋର କଥାକୁ ଛଳନା ବୋଲି ଭାବି ମୋ ପାଖକୁ ସେଇ ଦିନଠୁ ଚିଠି ଦେବା ବନ୍ଦ କରି ଦେଇଛି ।’’

 

ତା’ପରେ ବନ୍ଧୁ ତା’ର ପ୍ରଥମ ଚିଠିଟି ପଢ଼ିଲେ–

 

‘‘ଆପଣଙ୍କ ଚିଠି ଓ ଦୁଇଟିଯାକ ବହି ପାଇଛି । ବହି ଦୁଇଟି ପଢ଼ିବାକୁ ବେଶ୍‌ ଭଲ ଲାଗୁଛି । ଆପଣଙ୍କ ଉପଦେଶ ସବୁ ମନେ ରହିବ । ଚିଠି ଦେବେ । ଶୀଘ୍ର । ‘‘ଲକ୍ଷ୍ମୀ’’ ।

 

ଏହାପରେ ମୋର କିଛି କହିବାର ନଥିଲା ।

 

ବନ୍ଧୁ ଦିଆସିଲି କାଠିଟିଏ ଜଳାଇଲା । ମୋର ଆଖି ମୁଦି ହୋଇ ଆସିଲା । ମୁଁ ସେତେବେଳେ ନିଜକୁ ନିଜେ ଆବିଷ୍କାର କରିଥିଲି । ତେଣୁ ମୁଁ ଉପରେ ଉପରେ କାନ୍ଦୁଥିଲେ ବି ଭିତରେ ଭିତରେ ହସୁଥିଲି । ମୋର ମନେ ହେଲା, ଆମେ ସମସ୍ତେ ଏଇପରି । ନିଜେ ନିଜକୁ ଠକି, ଉପରେ ଉପରେ କାନ୍ଦିଲେ ବି ଭିତରେ ଭିତରେ ହସୁଁ । ଆଉ ଉପରେ ହସିଲେ ଭିତରେ ଭିତରେ କାନ୍ଦୁ ।

 

ଚାହୁଁ ଚାହୁଁ ମୋରି ଆଖି ଆଗରେ ଲକ୍ଷ୍ମୀ ନାମକ କୌଣସି ଏକ ଝିଅର ଦେଇଥିବା ତିନୋଟିଯାକ ଚିଠି ପୋଡ଼ି ପାଉଁଶ ହୋଇଗଲା । ବନ୍ଧୁ ମତେ ଆଶ୍ୱାସନା ଦେଇ ଘରକୁ ଗଲେ ।

 

ମୋର କିଛି କହିବାର ନଥିଲା ।

 

କାରଣ, ସେଇ ତିନୋଟିଯାକ ଚିଠିର ଲେଖକ ଥିଲି ମୁଁ ନିଜେ !

Image

 

ଅନ୍ଧାରର ଆଲୋକ

ଶ୍ରୀ କେଳୁଚରଣ ଦାସ

 

ଗୋଟିଏ ଗୋଟିଏ ଭୁଲ ପାଇଁ ଜୀବନ ସାରା ଆତ୍ମଗ୍ଳାନିରେ ଦହି ହେବାକୁ ହୋଇଥାଏ-। ଅନୀତାଙ୍କ ଜୀବନରେ ତା’ର ପରିସମାପ୍ତି କିପରି ?

 

ଅନୀତା କାନ୍ଦୁ ଥିଲେ ।

 

ନିଜର ଆଭିଜାତ୍ୟ, ମାନସମ୍ମାନ, ବ୍ୟାଙ୍କ ବାଲାନସ୍‌ ଆଉ ଫିଆଟ୍‌ ଗାଡ଼ି ସବୁ ଥାଇ ମଧ୍ୟ ସେ କାନ୍ଦୁଥିଲେ । ସେ କାନ୍ଦୁଥିଲେ ଅତି ବିକଳ ଭାବରେ । ବିଜନର ବିବାହ ପ୍ରସ୍ତାବରେ ତାଙ୍କର ଅନ୍ତର ଗୁମୁରି ଉଠୁଥିଲେ । ଅଥଚ, ବିଜନର ବିବାହ ପାଇଁ ଏକଦା ସେ ଜିଦ୍‍ ଧରି ବସିଥିଲେ ।

 

ଏଇ ବିଜନ ନିହାତି ସରଳ । ଆଉ ଅତି ମାତ୍ରାରେ ଖିଆଲୀ ।

 

ରାୟ ବଂଶର ଏକମାତ୍ର ସନ୍ତାନର ବିବାହ ପାଇଁ ଅନୀତା ଅନେକ ଦିଅଁଦେବତାଙ୍କୁ ମାନସିକ କରିଛନ୍ତି । ଅନେକ ଓଷା ବ୍ରତ କରି, ଉପବାସ ରହି, ତା’ର ଶୁଭ କାମନା କରିଛନ୍ତି ।

 

ସେଇ ବିଜନ ବିବାହ କରିବ ।

 

ମାଙ୍ଗଳିକର ସହନାଇ ବଜାଇ, ନୟନରେ କଜଳ, ସୀମାନ୍ତରେ ସିନ୍ଦୂର ଆଉ ପଦଯୁଗଳରେ ଲାକ୍ଷାର ଗାର ଟାଣି ତାଙ୍କ ଘରକୁ ଆସିବ ବିଜନର ବୋହୂ । ସେମାନଙ୍କର ସୁଖ ଦୁଃଖରେ ନିଜକୁ ହଜାଇ ଅନୀତା ପାଇବେ ପରମ ଆନନ୍ଦ ଆଉ ତୃପ୍ତି । ତାଙ୍କ ଅନ୍ତରରେ ଅନେକ ମାୟା, ମମତା ପୁଞ୍ଜୀଭୂତ ହୋଇଥିଲା ସେଇ ଅନାଗତ ସୁଦିନ ପାଇଁ ।

 

ସେ ସୁଦିନର ଶୁଭ ଆଗମନ ପାଇଁ ଅନୀତା ଅନେକ ବିବାହ ପ୍ରସ୍ତାବ ବାଢ଼ିଥିଲେ । କିନ୍ତୁ ବିଜନର ଏକଜିଦିଆ ଖିଆଲ ହେତୁ ତାଙ୍କର ସମସ୍ତ ପ୍ରସ୍ତାବ କାଟ ଖାଇ ଯାଉଥିଲା । ନିରାଶ ଓ ବ୍ୟଥିତ ହୃଦୟରେ ଅନୀତା ଭାବୁଥିଲେ ବିଜନ କଥା । କ’ଣ କଲେ ବିଜନ ବୁଝିବ ?

 

ପିତୃହରା ସନ୍ତାନ ପ୍ରତି ତାଙ୍କ ଅନ୍ତରରେ ଅନେକ ମାୟା ଭରି ଯାଇଥିଲା ।

 

ପରିଶେଷରେ ବିଜନର ମନ ମୁତାବକ ସାଥିଟିଏ ବାଛିବାରେ ସେ ତ୍ରୁଟି କରିବେନି ବୋଲି ବିଜନକୁ ବୁଝାଇଥିଲେ ।

 

କିନ୍ତୁ ବିଜନ ମନେମନେ ସ୍ଥିର କରିଥିଲା ସୁଜତାକୁ ହିଁ ବିବାହ କରିବ ।

 

ସୁନ୍ଦରୀ ସୁଜତା ଦାସ, ବିଜନର ସହପାଠିନୀ ।

 

ଦିନ କେଇଟାର ପରିଚୟ ପରେ ଅନୀତା ଦେବୀଙ୍କ ପରିବାରରେ ସୁଜତା ସମସ୍ତଙ୍କୁ ଆପଣାର କରି ନେଇଥିଲା ।

 

ତା’ ରୂପରେ ବି ପାରିଜାତର କମନୀୟତା ଉକୁଟି ଉଠୁଥିଲା । ତା’ର ଲୋଭନୀୟ ରୂପକାନ୍ତିକୁ ଅଧିକତର ସୁନ୍ଦର କରି ତୋଳୁଥିଲା ତା’ର ସୁଦୀର୍ଘ କୃଷ୍ଣକବରୀ ।

 

ରୂପରେ, ଗୁଣରେ ସୁଜତା ଥିଲା ଅନନ୍ୟା । ଅଥଚ ପିତୃମାତୃ ସ୍ନେହରୁ ସେ ଥିଲା ବଞ୍ଚିତା ।

 

ସୁଜତାକୁ ମନେମନେ କୁଳବଧୂ ପାଇଁ ସ୍ଥିର କରିଥିଲେ ଅନୀତା ଦେବୀ । ମାତାର ସ୍ନେହ, ମମତା ସୁଜତା ପାଇଁ ସାଇତି ରଖିଥିଲେ । ମନ ଖୋଲି ମନର କଥା ସେ ପ୍ରକାଶ କରି ନ ଥିଲେ ମଧ୍ୟ, ତା’ର ଅସ୍ପଷ୍ଟ ଇଙ୍ଗିତ ମିଳୁଥିଲା ତାଙ୍କର ପ୍ରତିଟି ବ୍ୟବହାରରେ ।

 

ବିଜନର ପ୍ରସ୍ତାବକୁ ପ୍ରକାରାନ୍ତରେ ସେ ସର୍ମଥନ କରୁଥିଲେ ।

 

କିନ୍ତୁ ସେ ଦିନ ସୁଜତାକୁ କୋଟିପତି ମିଃ ଦାସଙ୍କର କନ୍ୟା ବୋଲି ଜାଣିବା ପରେ ଅନୀତାଙ୍କ ସ୍ୱପ୍ନ ଦୁଃସ୍ୱପ୍ନ ହୋଇ ଉଠିଥିଲା । ଜୀବନର ଅବଶିଷ୍ଟାଂଶକୁ ଅନୀତା ଯେତେ ସୁନ୍ଦର ବୋଲି କଳ୍ପନା କରୁଥିଲେ, ତାହା ତାଙ୍କୁ ସେତେ ଯନ୍ତ୍ରଣାମୟ ମନେ ହେଲା ।

 

ସୁଜତାର ପରିଚୟ ଆଜି ଅନୀତା ଦେବୀଙ୍କ ପକ୍ଷରେ ଯେପରି ଅସହ୍ୟ ।

 

ଅଥଚ ସୁଜତାର ସାନ୍ନିଧ୍ୟ ବିଜନର ଏକାନ୍ତ କାମ୍ୟ ଥିଲା ।

 

ସନ୍ଦେହର ତ୍ରିଛକିରେ ଅନୀତା ଭାବୁଥିଲେ :

 

ଅତୀତ......... ବର୍ତ୍ତମାନ......... .ଭବିଷ୍ୟତ........

 

ମିଃ. ରାୟ, ମିଃ. ଦାସ ଆଜି କେହିହେଲେ ନାହାନ୍ତି ସତ, କିନ୍ତୁ ସେମାନଙ୍କର ସନ୍ତକର ସ୍ୱାକ୍ଷର ଦିଓଟି ଆଜି ପ୍ରସ୍ଫୁଟିତ ।

ସୁଜତା ଓ ବିଜନ.......

ନାଁ, ନାଁ ଏହା ସମ୍ଭବ ହୋଇପାରେନା, ଅନୀତାଙ୍କ ଅନ୍ତର ଚିତ୍କାର କରୁଥିଲା ।

ଅନୀତା ନାରୀ ।

ପ୍ରତ୍ୟେକ ନାରୀ ଜୀବନରେ ବ୍ୟତିକ୍ରମ ଥାଏ । ସେ ଏକ ନିଷିଦ୍ଧ ବ୍ୟତିକ୍ରମ ।

ଏକଦା ସେ ମିଃ, ଦାସଙ୍କୁ ଖୁବ୍‍ ଭଲ ପାଉଥିଲେ କଲେଜ ଜୀବନରେ ।

ଜୀବନରେ ଅନେକ ସନ୍ଧ୍ୟା ତାଙ୍କ ସହିତ ହଜାଇବାରେ ଅନୀତା ପାଉଥିଲେ ଆନନ୍ଦ । ତାଙ୍କ ମନରେ ମିଃ ଦାସଙ୍କ ପାଇଁ ଅନେକ ରୋମାଞ୍ଚ ଥିଲା । ତାଙ୍କର ସ୍ନେହ ମମତାକୁ ପାଥେୟ କରି ଅନୀତାଙ୍କର ଭଲ ପାଇବାର ନିଶା ଗାଢ଼ରୁ ଗାଢ଼ତର ହୋଇଥିଲା । କୁଆଁରୀ ଜୀବନର ଦୁର୍ବଳ ମୁହୂର୍ତ୍ତରେ ନିଜକୁ ସେ ହଜାଇ ଦେଇଥିଲେ ମିଃ, ଦାସଙ୍କ ପାଖରେ । କିନ୍ତୁ, ତା’ର ଚିହ୍ନ ରହିଯାଇଥିଲା ଅନୀତାଙ୍କଠାରେ ।

ଅଥଚ ମିଃ. ଦାସଙ୍କ ସହିତ ଅନୀତାଙ୍କର ବିବାହ ହେଲାନି । ବଂଶର ଆଭିଜାତ୍ୟ ଅନୀତାଙ୍କୁ ବୋହୂ କରିବା ପାଇଁ ପ୍ରତିବନ୍ଧକ ସୃଷ୍ଟି କରିଥିଲା । ଅନୀତାଙ୍କ ରକ୍ତରେ ନିଜ ରକ୍ତର ଛାପ ମାରି ତାଙ୍କଠାରୁ ଦୂରେଇ ଯାଇଥିଲେ ମିଃ. ଦାସ ।

ଭଲ ପାଇବାର ବିମୁଗ୍ଧ ମୋହ ଭାଙ୍ଗିଲା ବେଳକୁ ଅନୀତା ମିଃ. ଦାସଙ୍କ ଘରର ବୋହୂ ନ ହୋଇ, ମିଃ. ରାୟଙ୍କ ପତ୍ନୀରୂପେ ସମାଜରେ ସ୍ୱୀକୃତି ପାଇଲେ ।

ଅନେକ ଆଶା ଓ ହତାଶର ବ୍ୟର୍ଥତା ଭିତରେ ଅନୀତା ଉବେଇ ଟୁବେଇ ହେଉଥିଲେ ।

ବିଜନର ଖିଆଲ ତାଙ୍କ ଅନ୍ତରରେ ଝଡ଼, ଝନଜା ସୃଷ୍ଟି କରିଥିଲା । ପ୍ରଥମେ ଆଦେଶ ଦେବା ଭଙ୍ଗିରେ ଓ ପରେ ଅନୁନୟ କଣ୍ଠରେ ନିଜ ପୁତ୍ର ବିଜନକୁ ସୁଜତା ସହିତ ବିବାହ ନ କରିବାକୁ ପ୍ରବର୍ତ୍ତାଇ ଥିଲେ ଅନୀତା ଦେବୀ ।

କିନ୍ତୁ ବିଜନର ସେଇ ଏକା ଜିଦ୍‌ ।

ବିବାହ କରିବ ତ ସୁଜତାକୁ ହିଁ ବିବାହ କରିବ ।

ଅନୀତାଙ୍କ ମନରେ ଅନେକ ଭାବନା ଉଙ୍କି ମାରୁଥିଲା । ଅତୀତର ସ୍ମୃତି ତାଙ୍କୁ ତୀବ୍ର ଭାବରେ ବିବ୍ରତ କରୁଥିଲା ।

କୁମାରୀ ଜୀବନର କ୍ଷଣିକ ଉତ୍ତେଜନା ତାଙ୍କ ଭବିଷ୍ୟତ ଦାୟାଦଙ୍କ ଜୀବନରେ ଯେ କୁହେଳିକା ସୃଷ୍ଟି କରିବ, ତାହା ହୁଏତ ତାଙ୍କୁ ଜଣା ନଥିଲା ।

ଅତୀତର ଭୁଲ ପାଇଁ ତାଙ୍କ ଅନ୍ତରଟା ଡହଳ ବିକଳ ହେଉଥିଲା ।

ସେ ନାରୀ । ପ୍ରତ୍ୟେକ ନାରୀ ନିଜ ସ୍ୱାମୀର ସ୍ନେହ ମମତାକୁ ପାଥେୟ କରି ସ୍ୱାମୀର ସନ୍ତାନକୁ ହୃଦୟରେ କାମନା କରେ ।

କିନ୍ତୁ ଅନୀତା....... ?

 

ମନ ଭିତରେ ତାଙ୍କର ଭୀଷଣ ଦ୍ୱନ୍ଦ୍ୱ ।

 

ସେ ଦ୍ୱନ୍ଦ୍ୱର ଶେଷ ନାହିଁ ।

 

ଅନୀତାଙ୍କର ମନେ ହେଲା, ଦୁନିଆରେ ସେ ଏକାନ୍ତ ଭାବରେ ନିଃସ୍ୱ । ସାହା ଭରସା କେହି ନାହିଁ । ଜୀବନର ପ୍ରଥମ ପ୍ରେମରେ ପରାଜିତ ହେବା ପରେ, ସେ ନିଜ ଗର୍ଭର ସନ୍ତାନ ଉପରେ ସବୁ ଆସ୍ଥା ଅଜାଡ଼ି ଆତ୍ମଗ୍ଳାନିକୁ ପୋଛିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଆଜିର ଏ ଜଟିଳ ପରିସ୍ଥିତି, ପୁଣି ସେଇ ଦ୍ୱନ୍ଦ୍ୱ, ସେଇ ଆତ୍ମଗ୍ଳାନିର ଅନ୍ଧାରୀ କୂପକୁ ଟାଣି ଆଣିଛି । ସେ ଏକାନ୍ତଭାବେ ଅସହାୟା ।

 

ନାରୀତ୍ୱ, ସ୍ତ୍ରୀତ୍ୱ ଓ ମାତୃତ୍ୱର ସକଳ ଗର୍ବ ଗୌରବରୁ ବଞ୍ଚିତା ହୋଇ ଶୂନ୍ୟ ଚକ୍ଷୁରେ ସେ ଚତୁର୍ଦ୍ଦିଗକୁ ଚାହିଁଲେ ।

 

ତାଙ୍କର ମନେ ହେଲା, ଏ ଦୁନିଆରେ ସେ ହାରି ଯାଇଛନ୍ତି । ଏ ଆତ୍ମଗ୍ଳାନିରେ ଅନୁକ୍ଷଣ ଦହିହେବା ପରିବର୍ତ୍ତେ ଏଥିରୁ ଆଶୁ ମୁକ୍ତି ସେ ଖୋଜୁଥିଲେ ଆକାଶର ବିସ୍ତର ନୀଳିମାକୁ ଚାହିଁ ଚାହିଁ-

 

ଶେଷରେ ସେ ଉପାୟହୀନା ହୋଇ କାଗଜ କଲମ ହାତକୁ ନେଲେ, କରୁଣାତ୍ମକ ନାଟକର ଶେଷ ଯବନିକା ଟାଣି ଲେଖିଲେ:

 

‘‘ସୁଜତାକୁ ତୁ ବିବାହ କରିପାରିବୁନି ବିଜନ ! କାରଣ ସେ ତୋର ରକ୍ତର ଭଉଣୀ । ଏହାଠୁ ଅଧିକ କିଛି କହିବାର ନାହିଁ ।’’

 

ତା’ପରେ ଅନୀତା ରାତ୍ରିର ସେଇ ନିବୁଜ ଅନ୍ଧକାରରେ କୁଆଡ଼େ ହଜିଗଲେ ଚିରଦିନ ପାଇଁ ।

Image

 

ଏକ୍‌ବାର୍‌ ହରିବୋଲ

ଶ୍ରୀ ହରିହର ପଟେଲ (ସୁନ୍ଦରଗଡ଼)

 

ଅନନ୍ତ ବାବୁ କହିଲେ, ଏମିତି ଭାଗବତ ଆଉ ହିପ୍‌ ହିପ୍‌ ହୁରରେ, ଏଇଟା ଠିକ୍‌ ନୁହେଁ । କାହିଁକି କାହା ମନରେ ଆଘାତ ଦେବ ? ତେବେ ଠିକ୍‍ କ’ଣ, ଅଠିକ୍‌ କ’ଣ ?

‘‘ଏକ୍‌ବାର୍‍ ହରିବୋଲ’...... ହରିବୋଲ......

ହିପ୍‌ ହିପ୍‌ ହୁରରେ..... ହିପ୍‌ ହିପ୍‌ ହିପ୍‌ ହୁରରେ’’

ଅନନ୍ତ ବାବୁ ଘର ବାରଣ୍ଡାରୁ କାନ ଡେରି ଶୁଣୁଥିଲେ । ‘ହରିବୋଲ’ ପୁଣି ‘ହିପ୍‌ ହିପ୍‌ ହୁରରେ’–ଏକ ନୂଆ କଥା । ତାଙ୍କୁ ପଚାଶ ବର୍ଷ ହେଲାଣି, କେବେ ଶୁଣି ନଥିଲେ । ପୁଣି ହରିଜନ ବସ୍ତିରେ ଏ କଥା ! ଭାବିଲେ, ପାଖକୁ ଯାଇ ବୁଝି ଆସିବେ । ଆଗେଇ ଚାଲିଲେ.... ।

‘ସଂସାରେ ଥିବ ଯେତେ ଦିନ, ଆନନ୍ଦ କରିଥିବ ମନ..... ।’

‘ଏକ୍‍ବାର୍‍ ହରିବୋଲ’......‘ହରିବୋଲ’

‘ହିପ୍‌-ହିପ୍‌-ହିପ୍‌..... ।’

‘‘କିରେ ଶ୍ୟାମ, ୟେ କ’ଣ ହେଉଛି ? ଏକ ସାଙ୍ଗରେ ହରିବୋଲ–ହିପ୍‌ ହିପ୍‌ ହୁରେ । ଭାଗବତ କରୁଛ ନା ଫୁଟବଲ୍‌ ଶିଲ୍‍ଡ ଜିଣି ଆସିଛ ?’’

‘ନା ସାର୍‌, ନମସ୍କାର । ଆଜି ପରା ସେ ମୋକଦ୍ଦମାଟା ଜିଣିଲୁ ସେଇଥିପାଇଁ..... ।’

‘କୋଉ ମୋକଦ୍ଦମା ?’

‘ଗୋବିନ୍ଦ ମୋ ନାଁରେ ଯେଉଁ ୪୪୮ ଦଫା ମୋକଦ୍ଦମାଟା କରିଥିଲା । ଆପଣ ମୋ ତରଫରୁ ଲଢ଼ିଥିଲେ ! ସେଇଟା ଆଜି ଜଜମେଣ୍ଟ ହେଲା । ମୁଁ ଖଲାସ୍‌...... ।’

‘ମୋକଦ୍ଦମାଟା ଜିଣିବାର କଥା–ଜିଣିଲ । ଏଥିରେ ଭାଗବତ ପୁଣି–’

‘ନା ସାର୍‌–ଆପଣଙ୍କ ପାଇଁ ଜିଣିଲି ନା–ଆପଣ ଯାହା ଲଢ଼ିଲେ....... ।’

‘ମାନେ.......ଆଚ୍ଛା ମତେ କିମିତି ଜିଣିବା ଖବରଟା ଦେଲ ନାହିଁ ?’

‘ସାର୍‌, ଟିକିଏ ପଇସାପତ୍ର ଅଭାବ ଅଛି କି ନା ! ଆପଣଙ୍କର ଫିସ୍‌ ବି କିଛି ବାକି ଅଛି ଦେବାପାଇଁ, ଭାବିଥିଲି ଯୋଗାଡ଼ କରି ଆସିବି ।’

‘ଆଚ୍ଛା, ହଉ । ତେବେ ଏମିତି ଭାଗବତ ଆଉ ହିପ୍‌ ହିପ୍‌ ହୁରରେ–ଏଇଟା ଠିକ୍‌ ନୁହେଁ–କାହିଁକି କାହା ମନେରେ ଆଘାତ ଦେବ ?’

‘ନାଇ ସାର୍‌–ଟିକିଏ ଆନନ୍ଦ କରିବା କଥା ।’

ଅନନ୍ତ ବାବୁ ଲେଉଟି ଚାଲିଲେ ।

ପୁଣି ଚାଲିଲା ଭାଗବତ ।

‘ସଂସାରେ ଥିବ ଯେତେ ଦିନ, ଆନନ୍ଦ କରିଥିବ ମନ ।’

ଏକ୍‌ବାର୍‍ ହରିବୋଲ.....

ହିପ୍‌ ହିପ୍‌ ହୁରରେ.......ହିପ୍‌ ହିପ୍‌ ହିପ୍‌ ହୁରରେ ।

ମଧ୍ୟରାତ୍ରି ।

ଅନନ୍ତ ବାବୁ ଶୋଇଛନ୍ତି । ମୁଣ୍ଡ ଭିତରେ ଖଞ୍ଜଣି, ମର୍ଦ୍ଦଳ, ଗିନି ବାଜୁଛି । ପଦ ବୋଲା ହେଉଛି ।

‘ସଂସାରେ ଥିବ ଯେତେ ଦିନ, ଆନନ୍ଦ କରିଥିବ ମନ ।’

‘‘ଏକ୍‌ବାର୍‍ ହରିବୋଲ......

ହିପ୍‌ ହିପ୍‌ ହୁରରେ ....... ହିପ୍‌ ହିପ୍‌ ହିପ୍‌ ହୁରରେ ।’’

Image

 

ସ୍ୱରଲିପି–ଅବଚେତନ ମନର

ଶ୍ରୀ ବ୍ରଜକିଶୋର ମିଶ୍ର

 

ଅବଚେତନା ମନ ତଳେ କେତେ ଆଶା ଆଶଙ୍କାର ତରଙ୍ଗ । ସେହି ତରଙ୍ଗର ଏକ ଭୀତତ୍ରସ୍ତ ସ୍ୱର–

 

ମୁଁ ଶୋଇଥିଲି–

 

କାହାର ଡାକ ଶୁଣି ଆଖି ମଳି ଚାହିଁଲି, ମୋର ଶୋଇବା ବିଛଣାର ଅଳ୍ପ ଦୂରରେ ଛାୟା ମୂର୍ତ୍ତିଟିଏ ଛିଡ଼ା ହୋଇଛି ଓ ମୋତେ ହିଁ ହାତଠାରି ଡାକୁଛି ।

 

ଛାୟା ମୂର୍ତ୍ତିର ଇଙ୍ଗିତରେ ମୁଁ ଯନ୍ତ୍ରବତ୍‌ ଶଯ୍ୟାତ୍ୟାଗ ପୂର୍ବକ ତା’ର ଅନୁଗମନ କଲି । ଆମେ ଦୁହେଁ ଆଗପଛ ହୋଇ ଚାଲିଥିଲୁ । ଏମିତି ଚାଲୁଚାଲୁ କିଛି ମସୟ ପରେ, ଗୋଟିଏ ଭଗ୍ନ ପ୍ରାସାଦ ଭିତରେ ପହୁଞ୍ଚିଲୁ ।

 

ଆଶ୍ଚର୍ଯ୍ୟର, ବିଷୟ ସେହି ଭଗ୍ନ ପ୍ରାସାଦରେ ପ୍ରବେଶ କରିବା ମାତ୍ରକେ, ଛାୟା ମୂର୍ତ୍ତିଟି କେଉଁଆଡ଼େ ଅଦୃଶ୍ୟ ହୋଇଗଲା ।

 

ପ୍ରାସାଦ ମଧ୍ୟରେ ଘନ ଅନ୍ଧକାର ! କୌଣସି ଜନପ୍ରାଣୀର ସତ୍ତା ନାହିଁ ।

 

ଛାତି ମୋର ଭୀଷଣ ଆଶଙ୍କାରେ ସହସା ଦୋଳୟମାନ ହେଲା । ମୁକ୍ତିର ବାଟ ହୁଏତ ମିଳିପାରେ, ଏଇ ଆଶାରେ ଆଗକୁ ଆଗେଇଲି । କିଛି ବାଟ ଚାଲିବା ପରେ ପୁଣି ଏକ କଠୋରୀ ପଡ଼ିଲା । ସେହି କଠୋରୀ ଦ୍ୱାର ପାଖରେ ଛିଡ଼ା ହୋଇଛି, କୋଠରୀ ଭିତରେ ବସିଥିବା ଜଣେ କେହି ମୋତେ ତାଙ୍କ ପାଖକୁ ଯିବାକୁ ଇଙ୍ଗିତ ଦେଉଥିବା ହୃଦୟଙ୍ଗମ କଲି । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ, କୋଠରୀ ଭିତରେ ପ୍ରବେଶ କରିବା ମାତ୍ରକେ, ପୁଣି ସେହି ମୂର୍ତ୍ତିଟି କେଉଁଆଡ଼େ ଅଦୃଶ୍ୟ ହୋଇଗଲା ।

 

ଏକ ଭୌତିକ ଭୟ ମୋତେ ଗ୍ରାସ କଲା । ଜୀବନ ବିକଳରେ ପଛକୁ ଫେରିବା ପାଇଁ ବସିଛି, କିଏ ଚେତାବନୀ ଶୁଣାଇଲା, ସାବଧାନ, ପଛକୁ ଫେରନା । ନୀରବରେ ବସି ରୁହ ।

 

ଏହାର ଅର୍ଥ କ’ଣ ହୋଇପାରେ ? ଅଜଣା ଆଶଙ୍କାରେ ସର୍ବାଙ୍ଗ ମୋର ରୋମାଞ୍ଚିତ ହେଲା । କ୍ରମେ ସଂଜ୍ଞା ହରାଇ, ପଥର ଚଟାଣ ଉପରେ ବସିଗଲି । ତା’ପରେ କେତେବେଳେ ଯେ ଅବଶରେ ଶୋଇ ପଡ଼ିଛି, ଜାଣି ପାରିଲି ନାହିଁ । ଯେତେବେଳେ ନିଦ ଭାଙ୍ଗେ, ଦେଖିଲି, ମୁଁ ପୁନର୍ବାର ସେହି ଭଗ୍ନ ପ୍ରାସାଦର ପ୍ରବେଶ ଦ୍ୱାର ପାଖରେ ବସିଛି ।

 

କିନ୍ତୁ ଏହା ସମ୍ଭବ ହେଲା କିପରି ?

 

ପ୍ରଚୁର ବିଶ୍ରାମ ହେତୁ ମୁଁ ଅନେକଟା ସୁସ୍ଥ ଅନୁଭବ କରୁଥିଲି । କିନ୍ତୁ.....ସହସା ସେହି ପ୍ରଥମ ପରିଚିତ ଛାୟା ମୂର୍ତ୍ତିଟି ମୋ’ ସାମନାରେ ଛିଡ଼ା ହେଲା । ସେହି ଛାୟା ମୂର୍ତ୍ତିଟିକୁ କେନ୍ଦ୍ର କରି ମୋ’ ମନ ଭିତରେ ସହସ୍ର ପ୍ରଶ୍ନର ଉଜାଣି ଛୁଟିଛି, ସେ ପୁଣି ଥରେ ତା’ର ଅନୁସରଣ କରିବାକୁ ଇଙ୍ଗିତ ଦେଲା । ମନ୍ତ୍ରଚାଳିତ ପରି ପୁଣି ତା’ର ଅନୁଗମନ କଲି ।

 

ଏମିତି ଆଗପଛ ହୋଇ ଚାଲିଛୁ, ଭୌମନଗରସ୍ଥିତ ମୋର ନିର୍ଦ୍ଦିଷ୍ଟ ବସା ଘର ପଡ଼ିଲା । ସେଇଠି ମୋତେ ସେହି ରହସ୍ୟମୟ ଛାୟା ମୂର୍ତ୍ତିଟି ଛାଡ଼ି ଚାଲିଗଲା । ଗଲାବେଳେ କହିଗଲା, ‘‘ଖବରଦାର, ଯାହା ହେଲା, କାହା ଆଗରେ କହିବୁ ନାହିଁ । ଯଦି କହିବୁ ପରିଣତି ଭୟାବହ ହେବ-।’’

 

ଛାୟା ମୂର୍ତ୍ତିଟି ଚାଲିଯିବା ପରେ, ମୁଁ ଆଶ୍ୱସ୍ତ ହେଲି । ସତେ ଅବା ମୁଣ୍ଡ ଉପରୁ ବିପଦର ବୋଝ ଓହ୍ଲାଇ ଯାଇଛି ।

 

କିନ୍ତୁ ଏ କ’ଣ ? ମୁଁ ଶୀତରେ ଥରି ଉଠୁଛି କାହିଁକି ? ଛାୟା ମୂର୍ତ୍ତିର ନିର୍ଦ୍ଦେଶରେ ମୁଁ ଯେତେବେଳେ ଘରୁ ବାହାରିଥିଲି, ସେତେବେଳେ ଚୈତ୍ରର ଅସହ୍ୟ ଗରମ ଥିଲା । ଏଇ କିଛି କ୍ଷଣର ବ୍ୟବଧାନରେ ଶୀତ ଆସିଲା କେଉଁଠି ? ବର୍ଷା ହୋଇଥାଇ ପାରେ ଭାବି ଭୂମି ସ୍ପର୍ଶ କଲି । କିନ୍ତୁ ବର୍ଷା କାହିଁ ?

 

ଶୀତ ସଙ୍ଗରେ ଆଉ ଏକ ଆଶ୍ଚର୍ଯ୍ୟ ଅପେକ୍ଷା କରିଥିଲା । ମୋ’ ନିଜ ଘର ବୋଲି ଯେଉଁ ବସା ଘର ଭିତରକୁ ପଶି ଯାଉଥିଲି, ଦେଖିଲି ସେଇଟି ମୋ’ ନିଜ ବସା ଘର ନୁହେଁ । ଅଥଚ ବସାଘର ନମ୍ବର, ବାଡ଼ି ବଗିଚା ସବୁ କିଛି ସେମିତି ରହିଛି ।

 

ସାହସ ବାନ୍ଧି, ମୋ’ ସ୍ତ୍ରୀ ନନ୍ଧା ଉଦ୍ଦେଶ୍ୟରେ କବାଟରେ କରାଘାତ କଲି । ଘର ଭିତରେ ପରିଚିତ କଣ୍ଠର କଳଗୁଞ୍ଜନ ଶୁଭୁଥିଲା ।

 

କବାଟ ଖୋଲାହେବା ମାତ୍ରକେ, ମୁଁ ଘର ଭିତରକୁ ପଶି ଯାଉଯାଉ ହୁରି ଛାଡ଼ୁଥିଲି, ପ୍ରଥମେ ଚାଦରଟା ଦିଅ ନନ୍ଦା ! ଭୀଷଣ ଶୀତ !

 

କିନ୍ତୁ.....କିନ୍ତୁ......

 

ସେ ବି’ ଏକ ରୀତିମତ ବିସ୍ମୟ । ନନ୍ଦା ପରିବର୍ତ୍ତେ ବନ୍ଧୁ ସୁଧୀର ଦାସ ମୋ’ ମୁହଁକୁ ଆଶ୍ଚର୍ଯ୍ୟ ଆଖିରେ ଅନାଇ ରହିଥିଲେ ।

 

ଆପଣ–ଆପଣ ଏଠି ?

 

ମୋ’ ପିଲାମାନେ କାହାନ୍ତି ? ମୁଁ ପ୍ରଶ୍ନ କଲି । ଆପଣାଙ୍କ ବସାରେ । ସୁଧୀର ବାବୁ ଉତ୍ତର ଦେଲେ ।

 

କିନ୍ତୁ ଏଇ ବସାଘରଟା ଯେ ମୋର ! ମୁଁ ଦୃଢ଼ କଣ୍ଠରେ ପ୍ରକାଶ କଲି । ବନ୍ଧୁ ସୁଧୀର ଦାସ ମୋ’ ମୁହଁ ଦେହକୁ ନିର୍ବୋଧଙ୍କ ପରି ନିରୀକ୍ଷଣ କରୁ କରୁ ପ୍ରଶ୍ନ କଲେ, ଆପଣ ସୁସ୍ଥ ଅଛନ୍ତି ତ-?

 

ତାଙ୍କର ସେ ପ୍ରଶ୍ନ ଶୁଣି ସେହି ଅସମୟରେ ବି ମୋତେ ହସ ମାଡ଼ିଲା ।

 

କିନ୍ତୁ ବନ୍ଧୁ ସୁଧୀର ଦାସ ରୀତିମତ ଭୟ ପାଇ ଯାଇଥିଲେ । କଥା ଢୋକି ଢୋକି କହିଲେ, ଆପଣ ଯେ ସୁଦୀର୍ଘ ଦଶ ବର୍ଷ ତଳର କଥା କହୁଛନ୍ତି । ଦଶ ବର୍ଷ ତଳେ ଦିନେ ରାତିରେ ହଠାତ୍‌ ଏହି ବସାରୁ ବାହାରି କୁଆଡ଼େ ଯେ ଗଲେ, ଆଉ ଫେରିଲେ ନାହିଁ । ଇତିମଧ୍ୟରେ ଅନେକ ଖୋଜାଖୋଜି ହେଲା । ପୋଲିସ୍‌କୁ ଖବର ବି ଦିଆଗଲା । କିନ୍ତୁ କିଛି ଫଳ ହେଲା ନାହିଁ । ଆମେ ଧରିନେଲୁ, ଆପଣ ବୋଧହୁଏ.... । କିଛି ମନେ କରିବେନି’ ଶେଖର ବାବୁ, ଆପଣଙ୍କ ଉଦ୍ଦେଶ୍ୟରେ ଶୋକସଭା ବି ସରିଛି । ଶୋକସଭାର ପ୍ରସ୍ତାବ ମଧ୍ୟ ଆପଣଙ୍କ ପିଲାମାନଙ୍କ ନିକଟକୁ ପଠାଇ ଦିଆଯାଇଛି ।’’

 

ମୋର ପିଲାମାନେ......

 

ମୋ’ ମୁହଁରୁ କଥା ଛଡ଼ାଇ ସୁଧୀର ବାବୁ ସଂଯୋଗ କଲେ, ଆପଣଙ୍କ ପିଲାମେନେ ବର୍ତ୍ତମାନ ଗାଁରେ ଅଛନ୍ତି । ସେମାନେ ସମସ୍ତେ ଭଲ ଅଛନ୍ତି । ଗାଁ ସ୍କୁଲରେ ପାଠ ପଢ଼ୁଛନ୍ତି ।

 

ଆଉ ମୋ’ ସ୍ତ୍ରୀ ନନ୍ଦା ? ମୁଁ ପ୍ରଶ୍ନ କଲି ।

 

ସୁଧୀର ବାବୁ ଦରଦୀ କଣ୍ଠରେ ପ୍ରକାଶ କଲେ, ଆପଣଙ୍କ ସ୍ତ୍ରୀ.....

 

କ’ଣ ହେଲା କହନ୍ତୁ ! ସେ ଭଲରେ ଅଛନ୍ତି ତ ? ଦଶ ବର୍ଷ ଭିତରେ ସେ ଅନେକ କଷ୍ଟ ଭୋଗିଥିବେ । କିନ୍ତୁ କ’ଣ କରିବି କହିଲେ ?

 

ସୁଧୀର ବାବୁଙ୍କ ଆଖିରେ ଲୁହ ଜମିଥିଲା । ସେ ସେହି ଲୁହଭିଜା କଣ୍ଠରେ କହିଲେ, ଯାହା ନ ହେବାର ଥିଲା, ତାହା ହିଁ ହେଇଛି ଶେଖର ବାବୁ ! ଆପଣଙ୍କ ପରେ ପିଲାମାନଙ୍କୁ ଅନାଥ କରି ସେ ବି ଚାଲିଗଲେ ।

 

ମୁଁ ଆଉ ଶୁଣିପାରିଲି ନାହିଁ । ନନ୍ଦାଙ୍କର ଶାନ୍ତ, ସୁନ୍ଦର ମୁହଁଟା ମୋ’ ଆଖି ଆଗରେ ବାରମ୍ବାର ଲହଡ଼ା ଭାଙ୍ଗୁଥିଲା । ମୁଁ କଇଁକଇଁ ହୋଇ କାନ୍ଦୁଥିଲି ।

 

ହଠାତ୍‌ କାହାର କରସ୍ପର୍ଶରେ ମୋର କରୁଣ ନିଦଟା ଭାଙ୍ଗିଗଲା । ଦେଖିଲି, ଆଗରେ ଛିଡ଼ା ହୋଇ ନନ୍ଦା ପଚାରୁଛନ୍ତି, ଦୁଇ ଦୁଇଟା ପିଲାର ବାପ ହେଇ ବି ସପନ ଦେଖି କାନ୍ଦୁଛ ?

Image

 

ପ୍ରାଗୈତିକ

ଶ୍ରୀ ଦଶରଥ ସାମଲ

 

‘ପ୍ରାଗୈତିକ’, ଜ୍ଞାନର ଅଶାନ୍ତ ସମୁଦ୍ର ଓ ଗବେଷଣାର ଅନ୍ଧାରୀ ସାମ୍ରାଜ୍ୟର ପ୍ରତୀକ ବହନ କରି ବିବର୍ତ୍ତନବାଦର ଏକ ନିଶ୍ଚିତ ସ୍ୱର ।

ଆମେ ସବୁ ମଣିଷ । ପ୍ରାଣୀମାନଙ୍କ ମଧ୍ୟରେ ଶ୍ରେଷ୍ଠ । ଆମର ଚକ୍ଷୁଯୋଡ଼ିକ, ଏ ପୃଥ୍ୱୀର ସବୁ ସୌନ୍ଦର୍ଯ୍ୟ କୁତ୍ସିତର ଚତୁଷ୍କୋଣ ପୋଖରୀରେ ପ୍ରତିନିୟତ ଡୁବ ଦିଏ ଓ ସେଇ ଡୁବନରେ ଆମ ଚେତନାରେ ଏମାନଙ୍କ ଗୁଣାଗୁଣ ସମ୍ପର୍କରେ ଏକ ନିଶ୍ଚିତ ଉପସଂହାରର ରେଖା ଅଙ୍କିତ ହୋଇଯାଏ ।

ଆମେ ଜଳ, ସ୍ଥଳ ଓ ବ୍ୟୋମକୁ ଜୟ କରିଥିଲୁଁ କେଉଁକାଳୁ । ଏବେ ଆକାଶର ଅର୍ବୁଦ ଅର୍ବୁଦ ଯୋଜନ ଦୂରେ ଥିବା କେଉଁ ଏକ ରେଶମୀ ରଙ୍ଗର ଚକମକ ପାହାଡ଼ର ଛାତି ଉପରେ ମନ୍ଥି କୁଦି ତା’ର ପୁଳେ କଲିଜା ନେଇ ଆସିଲୁ ।

ଆମ ବୌଦ୍ଧିକତାର ସୀମାନ୍ତ ସେତିକିରେ ପରିସମାପ୍ତ ହେଲା ନାହିଁ । ସେ ଆହୁରି ଲମ୍ବିଗଲା ଦୂରକୁ ଦୂରକୁ । ଯୋଜନ ଯୋଜନ ବ୍ୟାପୀ ମଣିଷ ଗଢ଼ା ସଭ୍ୟତା ଓ ସଂସ୍କୃତିକୁ ଏବଂ ଏକ ଏକ ଉପମାହାଦେଶକୁ ସାରାକାଳ ବିଧବା କରିଦେବା ପାଇଁ ଦିନ ଦିନ ଅନ୍ଧାର ଘରେ ଆମେ ନିଷ୍ଠାପର କ୍ରମାଗତ ଉଦ୍ୟମ ଚଳାଇଲୁ ।

ଏଇ ଘରେ ଆମେ ସମୁଦ୍ରକୁ ଶୋଷିବାକୁ ଚେଷ୍ଟା କଲୁ ଓ ତା’ର ଜୀବଜନ୍ତୁ ମାରି ଦେବାକୁ କାର୍ଯ୍ୟ ଚଳାଇଲୁ । କାରଣ ସେଇଠାରେ ମଣିଷ ଗଢ଼ା ସଭ୍ୟତା ଓ ସଂସ୍କୃତିକୁ ଚାଟିଦେବା ଲାଗି ଆମ ପକ୍ଷେ ପରୀକ୍ଷାଗାରର ପ୍ରୟୋଜନୀୟତା ଥିଲା ଖୁବ୍‍ ବେଶି ।

ଆମେ ସମୁଦ୍ରର ମାଛ ଓ ସେହି ସମଜାତୀୟ ଜୀବଜନ୍ତୁମାନଙ୍କୁ ମାରିଦେବାକୁ ଲାଗିଗଲୁ ।

ସେଦିନ ସନ୍ଧ୍ୟା ହୋଇ ଆସୁଥିଲା । ଜଣେ ଗୈରିକ ବସ୍ତ୍ରଧାରୀ ସମୁଦ୍ର କୂଳରେ ପହଞ୍ଚିଲେ ଏବଂ ଖୁଉବ୍ ବଡ ପାଟିରେ ଚିତ୍କାର କରି କହି ଉଠିଲେ: ଆରେ ଶୁଣ ଶୁଣ । ବନ୍ଦ କର ତମର ସେ ନିଧନ ଲୀଳା !

ଆମମାନଙ୍କ ମଧ୍ୟରେ ଜୀବଜନ୍ତୁ ମାରିଦେବା ଲାଗି ଯେଉଁ ପ୍ରଚୁର ଉତ୍ସାହ ଓ ଉନ୍ମାଦନା ସୃଷ୍ଟି ହୋଇଥିଲା, ବୃଦ୍ଧଙ୍କ ଚେତାବନୀରେ, ତାହା ହଠାତ୍‌ ଥମିଗଲା ।

ଆମେ ଓ ଆମର ସାଙ୍ଗସାଥିମାନେ, ଯେଉଁମାନେ ଗହୀର ସମଦ୍ରକୁ ମାଛ ମାରିବାକୁ ଚାଲି ଯାଇଥିଲେ, ସେମାନେ ସମସ୍ତେ ଫେରି ଆସିଲେ ସମୁଦ୍ର କୂଳକୁ ।

ଗୈରିକ ବସ୍ତ୍ରଧାରୀ ବୃଦ୍ଧ ସମଦ୍ର ବାଲିର ଗୋଟିଏ ସ୍ଥାନରେ ବସିଗଲେ ଓ ଆମେ ସବୁ ତାଙ୍କୁ ଚାରିପିଠି ଘେରିଯାଇ ଠିଆ ହେଲୁ ।

ସେତେବେଳେ ସନ୍ଧ୍ୟାର ବିଗୁଲ ବାଜୁଥିଲା । ସମୁଦ୍ରକୁ ଲାଗି ଆକଶରୁ ଚେନାଏ ଅଂଶରେ ଏକ ରକ୍ତାକ୍ତ ନାଟକର ଶେଷ ପର୍ଦା ଧୀରେ ଧୀରେ ନଇଁ ଆସୁଥିଲା ।

ଆମେ ତାଙ୍କୁ ଘେରିଯିବାର ଦେଖି ବୃଦ୍ଧ କ୍ରମେ କ୍ରମେ କ୍ରୁଦ୍ଧ ହେଉଥିଲେ ଓ ତାଙ୍କ କ୍ରୁଦ୍ଧିତ ମୁହଁରେ ଆକାଶର ଟୋପାଏ ରକ୍ତ ଛିଟା ପଡ଼ିଥିବା ହେତୁ ତାହା ଦେଖା ଯାଉଥିଲା ଆହୁରି ଭୟଙ୍କର ।

ସେ କହିଲେ: ତମେ ସବୁ ବସ୍ତୁବାଦୀ ମୁଁ ଜାଣେ । ତମେ ବାବା ବିଜ୍ଞାନର ଜୟ ଜୟ କର, ମୋର ଆପତ୍ତି ନାହିଁ । କିନ୍ତୁ ତମେ ସବୁ ଆଜି କ’ଣ କରୁଛ ? ଏଇ ଯେଉଁ ଜୀବମାନେ ପାହାଡ଼ ପ୍ରମାଣେ ଗଦା ହୋଇ ସମୁଦ୍ର ଉପକଣ୍ଠର ତଳି ଅଞ୍ଚଳକୁ ଏକ ମର୍ମନ୍ତୁଦ ଆଇଁସିଣିଆ ଗନ୍ଧରେ ତୀବ୍ରତର କରିଛନ୍ତି, ତମେ କ’ଣ ତା’ର ପରିଣତି ସମ୍ପର୍କରେ କିଛି ହେଲେ ଜାଣିପାରୁନ ? ସେମାନେ ତମମାନଙ୍କ କ୍ରମିକ ବିକାଶର ପ୍ରବହମାନତାର ଏକ ନିଶ୍ଚିତ ଉତ୍ସ ! ନମସ୍କାର କର ଆଗ ସେମାନଙ୍କୁ !

ବୃଦ୍ଧ ସମୁଦ୍ରରେ ମୁଣ୍ଡ ନୁଆଁଇ ସେମାନଙ୍କ ଉଦ୍ଦେଶ୍ୟରେ ଆଗ ଉତ୍ସର୍ଗୀକୃତ ହେଲେ ଓ ତା’ପରେ ଆମ ଘେର ଭାଙ୍ଗି ବାଲିରେ କିଛି ବାଟ ଚାଲି ଚାଲି କେଉଁଆଡ଼େ ଅଦୃଶ୍ୟ ହୋଇଗଲେ ।

ଆମେ ସବୁ ଭୌତିକ ରଜନୀର ବିୟୋଗାନ୍ତ ନାଟକର ଅବହାୱା ମଧ୍ୟରେ ନିମଜ୍ଜମାନ ହେଲୁ ଏବଂ ଗଭୀର ବିସ୍ମୟରେ ପରସ୍ପରକୁ ଚାହାଁଚାହିଁ ହେବାରେ ଲାଗିଲୁ ।

ଆମ ଆଗରେ ଅଶାନ୍ତ ସମୁଦ୍ର ଓ ଗଭୀର ଅନ୍ଧକାର ।

Image

 

ନିରନ୍ଧ୍ର ବଂଶୀ

ଶ୍ରୀ ଏକାଦଶୀପ୍ରସାଦ ବୋଇତାଇ

 

ମରଣ ଦେଖି ଦେଖି ଯେଉଁ ଆଖିରେ ଲୁହ ଶୁଖି ଯାଇଥିଲା ତାହା ଯେ କିପରି ଦିନେ ଝରଣା ହୋଇ ବୋହି ଯାଇଛି ତା’ର ଏକ ମର୍ମସ୍ପର୍ଶୀ କାହାଣୀ ଏଇ ‘ନିରନ୍ଧ୍ର ବଂଶୀ’ ।

 

ଅନାଦି ସତର୍କତାର ସହିତ ଲକ୍ଷ୍ୟ କରୁଥିଲା ଆଗନ୍ତୁକଙ୍କୁ–

 

ଆଗନ୍ତୁକ ଏକ ଅଜାଣା ଷ୍ଟେସନରେ ଭିଡ଼ ଡବା ଭିତରକୁ ପଶିଆସି ଦରଜା ପାଖରେ ଜାକିଜୁକି ହୋଇ ବସିଲେ ।

 

ସେତେବେଳେ ରାତି ଅଧ ।

 

ଭୀଷଣ ଶୀତ ବି’ ପଡ଼ୁଥିଲା ।

 

ଆଗନ୍ତୁକ ଶୀତ ଦାଉରୁ ନିଜକୁ ରକ୍ଷା କରିବାପାଇଁ ଖଣ୍ଡେ ଦାମୀ କୋଟ୍‌ ପିନ୍ଧିଥିଲେ ।

 

ଅନାଦି ଆଗନ୍ତୁକଙ୍କ ଆଡ଼କୁ ଚାହିଁ ଚାହିଁ ନିଜ କଥା ହିଁ ଭାବୁଥିଲା–

 

ମିଲିଟାରୀ ଚାକିରୀରେ ଛୁଟି ମିଳିବା ସହଜ ନୁହଁ । ବହୁତ କୁହାବୋଲା କରି ମାତ୍ର ପନ୍ଦର ଦିନ ପାଇଁ ଦୀର୍ଘ ପାଞ୍ଚ ବର୍ଷ ପରେ ଅନାଦି ଘରକୁ ଫେରୁଥିଲା । ନିଜେ ତ ଦେଖିନି, ଖାଲି ଯାହା ଚିଠିରୁ ଜାଣିଛି ତା’ର ସାଢ଼େ ଚାରି ବର୍ଷ ହେଲା ପୁଅଟିଏ ହୋଇଛି । ମିଲିଟାରୀ ଜୀବନର ରୁକ୍ଷତା ଭିତରେ ବାତ୍ସଲ୍ୟ ସ୍ନେହ କ’ଣ ସେ ଭୁଲି ଯାଇଥିଲା । କିନ୍ତୁ ଘରମୁହାଁ ମନ ତା’ର ପୁଅକୁ ଦେଖିବାପାଇଁ ବ୍ୟାକୁଳ ହୋଇ ଉଠିଥିଲା । ସାଢ଼େ ଚାରି ବରଷର ପିଲା କେତେ ବଡ଼ ହୋଇଯାଇଥିବ । ସ୍କୁଲକୁ ଯିବା ଆରମ୍ଭ କରିବଣି ବୋଧହୁଏ । ପିଲାବେଳେ କେତେ ଗୁଲୁଗୁଲୁ ହସି ଖେଳିଥିବ, ଠୁକୁଠୁକୁ ଚାଲିଥିବ, କେତେ ଦରୋଟି କଥା କହିଥିବ । ହତଭାଗା ଜୀବନରେ ସେ ବାତ୍ସଲ୍ୟ ସୁଖରୁ ବି ବଞ୍ଚିତ ହୋଇଥିଲା । ଅନାଦି ଭାବୁଥିଲା ଘରେ ପହଞ୍ଚିଲା ପରେ ପିଲାଟି ବୋଧହୁଏ ତା ପାଖକୁ ଆସିବାକୁ ବା ଜୁହାର କରିବାକୁ ଲାଜ କରିବ । ସ୍ତ୍ରୀ ତା’ର ଅଭିମାନ କରିବ-। ମୁରୁକି ମୁରୁକି ହସି ପୁଅକୁ ଦେଖେଇ ଦେଖେଇ କେତେ କଥା କହିବ । ଫରମାସି ଦିଆ ଶାଢ଼ି ବା ବ୍ଲାଉଜ ପସନ୍ଦ ନ ହେଲେ କେତେ ଆଡ଼ରୁଷା ଦେବ । ଅନୁମାନରେ ପୁଅ ପାଇଁ ଆଣିଥିବା ପେଣ୍ଟ, ସାର୍ଟ କି ଜୋତା ପୁଅକୁ ଛୋଟ ବଡ଼ ହେଲେ ମା ତା’ର କେତେ ମିଛିମିଛିକା ବିରକ୍ତ ହେବ । ପୁଅ ସ୍କୁଲକୁ ଗଲାବେଳେ ଅନାଦି ତାକୁ ଗେଲ କରି ଜଳଖିଆ ଖାଇବାପାଇଁ ଟଙ୍କାଟିଏ ଦେବ ।

 

ଟେଲିଗ୍ରାମ ପାଇ ରୋଷେଇବାସ କରି ସମସ୍ତେ ଚାହିଁ ରହିଥିବେ । ବାପା ବୋଧେ ଷ୍ଟେସନକୁ ଆସିଥିବେ । ତାକୁ ଦେଖି ବୋଉ କେତେ ବାହୁନି କାନ୍ଦିବ । ତିରିଶ ବର୍ଷ ଯୁବା ବୟସରେ ମିଲିଟାରୀରେ ନ ଯିବାପାଇଁ ବାପା ବୋଉଠୁ ଆରମ୍ଭ କରି ବନ୍ଧୁ ବାନ୍ଧବ ପର୍ଯ୍ୟନ୍ତ କେତେ ମନା ନ କରିଛନ୍ତି ? ରାଣ ନିୟମ ପକାଇ ବୋଉ କେତେ ନ କାନ୍ଦିଛି ? ଦୀର୍ଘ ପାଞ୍ଚ ବର୍ଷ ପରେ ଅନାଦିକୁ ଦେଖିଲେ ସେମାନେ କେତେ ଖୁସି ନ ହେବେ ? ଏହିସବୁ ନାନାପ୍ରକାର ଚିନ୍ତାର ସୁଅ ଅନାଦି ଆଖିକୁ ନିଦ ଆସିବାର ବାଟ ବନ୍ଦ କରି ଦେଇଥାଏ । ସେ ଖାଲି ଚାହିଁ ଚାହିଁ ସ୍ୱପ୍ନ ଦେଖୁଥାଏ । ଚଳନ୍ତା ଗାଡ଼ିର ଘଡ଼ଘଡ଼ ଶବ୍ଦ ବା ରାତିର ନିର୍ଜନତା ଭେଦ କରି ମଝିରେ ମଝିରେ ବାଜୁଥିବା ଗାଡ଼ିର ସିଟି ଶବ୍ଦ ତା’ର ଭାବାବେଶକୁ ଭାଙ୍ଗି ପାରୁ ନଥାଏ ।

 

ହଠାତ୍‌ କିନ୍ତୁ ଭୁସ୍‌କରି ଏକ ଶବ୍ଦରେ ଅନାଦି ଚମକି ପଡ଼ିଲା । ଡବାର ଦୁଆର ପାଖରେ ବସିଥିବା ଲୋକଟି ତଳକୁ ଖସି ପଡ଼ିଲା । ଅନ୍ୟ କୌଣସି ଉପାୟ ନ ଦେଖି ଗାଡ଼ିର ବିପଦ ଶିକୁଳି ଧରି ଅନାଦି ଓହଳି ପଡ଼ିଲା । କିଛି ଦୂର ଯାଇ ଗାଡ଼ିଟି ଅଟକିଲା । ଠିଆହେବା ମାତ୍ରେ ଗାର୍ଡ଼ସାହେବ ଓ କେତେକ ସଚେତନ ଯାତ୍ରୀମାନଙ୍କ କୋଳାହଳରେ ଜାଗାଟା ସଙ୍ଗେସଙ୍ଗେ ମୁଖରିତ ହୋଇ ଉଠିଲା । କେହି ନ ପଚାରିବା ପୂର୍ବରୁ ଆପଣା ଛାଏଁ ଅନାଦି ପ୍ରକାଶ କଲା ଯେ ଲୋକଟି ଚଳନ୍ତା ଗାଡ଼ିରୁ ତଳେ ଖସି ପଡ଼ିବାରୁ ସେ ଅନ୍ୟ କୌଣସି ଉପାୟ ନ ଦେଖି ବିପଦ ଶିକୁଳି ଟାଣିଥିଲା । ଗାର୍ଡ଼ସାହେବଙ୍କ ହାତରେ ଥିବା ରେଲୱେ ଲଣ୍ଠନ ଆଲୁଅରେ କିଛି ବାଟ ପଛକୁ ଗଲାପରେ ଦେଖାଗଲା ଯେ ଲୋକଟି ତଳେ କଚାଡ଼ି ହୋଇ ପଡ଼ି ମରିଯାଇଛି । ଲୋକଟିର ଆକସ୍ମିକ ମୃତ୍ୟୁରେ ଉପସ୍ଥିତ ଥିବା ଅନ୍ୟମାନେ ଖାଲି ସିନା ସମବେଦନା ପ୍ରକାଶ କରୁଥିଲେ, ଅନାଦି କିନ୍ତୁ ସେ ଲୋକଟି ଗାଡ଼ିରେ ଚଢ଼ିବାଠୁ ଆରମ୍ଭ କରି ଖସି ପଡ଼ିବା ପର୍ଯ୍ୟନ୍ତ ସବୁକିଛି ଟିକିନିଖି ନିଜର କର୍ତ୍ତବ୍ୟ ଦୃଷ୍ଟିରୁ ବର୍ଣ୍ଣନା କରିବାକୁ ଲାଗିଥିଲା । ଅନାଦି ତା’ର ମିଲିଟାରୀ ଜୀବନରେ ଶତ୍ରୁପକ୍ଷର ସୈନ୍ୟମାନଙ୍କୁ ମାରିବାରେ ଯେଉଁ ଆନନ୍ଦ ପାଇ ନଥିଲା ଏକ ଅପରିଚିତ ଲୋକଟିକୁ ବଞ୍ଚାଇବାକୁ ଯେଉଁ ସାମାନ୍ୟ ଚେଷ୍ଟା କରିଥିଲା, ସେଥିରେ ସେ ତାଠାରୁ ଅଧିକ ଆନନ୍ଦ ଲାଭ କରିଥିଲା ।

 

କିଛି ସମୟ ପରେ ଜଣେ ପୋଲିସ୍‍ ସବ୍ଇନ୍‌ସ୍ପେକ୍ଟର ଓ ଦୁଇଜଣ କନେଷ୍ଟବଳ ଲାସ ପାଖରେ ଆସି ପହଞ୍ଚିଲେ, ଅନାଦିଠାରୁ ସମସ୍ତ ଖବର ବୁଝିନେଲେ । ଗାର୍ଡ଼ଙ୍କ ସହିତ ସାମାନ୍ୟ କିଛି ଗୁପ୍ତ ଆଲୋଚନା ପରେ ଇନ୍‌ସ୍ପେକ୍ଟର ଦରବାର ସିଂ ସେହି ଷ୍ଟେସନରେ ଅନାଦିକୁ ଓହ୍ଲାଇବା ପାଇଁ ନିର୍ଦ୍ଦେଶ ଦେଲେ ଏବଂ ତାକୁ ବୁଝାଇଦେଲେ ଯେ ଯେହେତୁ ଲୋକଟିର ମୃତ୍ୟୁକାଳୀନ ଜମାନବନ୍ଦୀ ନିଆଯାଇ ପାରିନାହିଁ ଏବଂ ଡବାରେ ଥିବା ଅନ୍ୟ କୌଣସି ଲୋକ ମୃତ ବ୍ୟକ୍ତିଟିର ବିଷୟରେ କିଛି ଜାଣିନାହାନ୍ତି, ତା’ର ଏକ ସଠିକ୍‌ ଖବର ସଂଗ୍ରହ ପାଇଁ ଅନାଦିର ଉପସ୍ଥିତି ନିହାତି ଦରକାର ହେଉଛି । ଏହି ସବୁ କଥାବାର୍ତ୍ତା କଲାବେଳେ ଦରବାର ସିଂଙ୍କର ସନ୍ଦେହୀ ଆଖି ଅନାଦିର ଗୋଡ଼ଠୁ ମୁଣ୍ଡଯାଏ ଘୂରି ବୁଲୁଥିଲା । ପୋଲିସ୍‍ର ନିର୍ଦ୍ଦେଶ ଅନୁସାରେ ଅନାଦିର ଟ୍ରଙ୍କ, ସୁଟକେଶ୍ ଓ ବେଡିଙ୍ଗ୍‌ପତ୍ର ଡବା ଭିତରୁ ତଳକୁ ଓହ୍ଲାଇ ଦିଆଗଲା ଏବଂ ଲାସ୍‌ ସହିତ ଅନାଦିକୁ ପରବର୍ତ୍ତୀ ଷ୍ଟେସନକୁ ଅଣାଗଲା । ଯନ୍ତ୍ର ପରି ଅନାଦି ବାକ୍‌ ରୁଦ୍ଧ ହୋଇ ପୋଲିସ୍‍ର ଅନୁସରଣ କରିବାକୁ ଲାଗିଲା । ତାକୁ ମନେ ହେଉଥିଲା ସତେ ଯେମିତି ତା’ର ନିଜର ମୃତ ଦେହଟା ବୁହା ହୋଇ ଯାଉଥିଲା ଏବଂ ତାପାଇଁ ଷ୍ଟେସନରେ ଅପେକ୍ଷା କରିଥିବା ତା’ର ବାପା କାନ୍ଦିକାନ୍ଦି ଘରକୁ ଫେରି ଯାଉଥିଲେ । ସେ ଖାଲି ଭାବୁଥିଲା ତା’ର ଘରକୁ ଯିବା ଆସିବା କରିବାଟା ଆଠ ଦିନର ବାଟ । ମଝିରେ ଗୋଟାଏ ଦିନ ଅଟକ । ଆଉ ମାତ୍ର ହାତରେ ଛ’ଟା ଦିନ । ଦୀର୍ଘ ପାଞ୍ଚ ବରଷ ପରେ ସେ ଯେତେବେଳେ ଆସିଛି, କେମିତି ତା’ ସ୍ତ୍ରୀ ସୁଲୋଚନାକୁ ବୁଝାଇବ ଯେ ମାତ୍ର ଛ’ଟା ଦିନରେ ତା’ର ଛୁଟି ସରିଗଲା ବୋଲି ? ତା’ ଆଖି ଆଗରେ ଗାଡ଼ିଟା ଚାଲିଗଲା ତ ତାକୁ ମନେ ହେଲା ସତେ ଯେମିତି ତା’ର ଛାତି ଉପର ଦେଇ ରେଲ୍‌ଟା ଚାଲିଗଲା ।

 

ଷ୍ଟେସନରେ ଲାସ୍‌ ଓ ଅନାଦି ଉଭୟେ ପୋଲିସ୍‍ର ନଜରବନ୍ଦୀରେ ରହିଲେ । ରାତି ପାହି ଦିନ ଦଶଟା ହେଲା । ଏହା ମଧ୍ୟରେ କେତେଖଣ୍ଡ ଗାଡ଼ି ଅନାଦିର ଗାଁ ଷ୍ଟେସନ ଆଡ଼କୁ ଆଗେଇଲା । କିନ୍ତୁ ଅନାଦି ପାଖରେ ହକ୍‌ ଟିକେଟ ଥାଇ ମଧ୍ୟ ଯାଇପାରିଲାନି । ତା’ର ଟିକେଟ ଯେମିତି ଏକ ଅଚଳ ଜାଲ୍ ନୋଟ । ଶବ ବ୍ୟବଚ୍ଛେଦ ହେଲା ଓ ଡାକ୍ତର ରିପୋର୍ଟ ଦେଲା ଯେ ଲୋକଟି ଅତ୍ୟଧିକ ମଦ୍ୟପାନ କରିଥିଲା । ଅନାଦିର ବିଛଣାପତ୍ର ଓ ଟ୍ରଙ୍କ, ସୁଟକେଶ୍‌ ସବୁକିଛି ଖାନତଲାସ କରାଗଲା । ତା’ ପାଖରେ ଥିବା ଟ୍ରଙ୍କ ଭିତରୁ କେତୋଟି ମଦ ବୋତଲର ସନ୍ଧାନ ମିଳିଲା । ଅନାଦି ଯେ ଏକ ହତ୍ୟାକାରୀ ଏକପ୍ରକାର ନିଶ୍ଚିତ ହୋଇ ଶେଷରେ ପୋଲିସ୍‍ ତରଫରୁ କେସ୍‌ ରୁଜୁ କରାଗଲା ଓ ତାକୁ ନିକଟସ୍ଥ କୋର୍ଟକୁ ଚାଲାଣ କରାଗଲା । କୋର୍ଟରେ ନାନାପ୍ରକାର ଜେରାର ସମ୍ମୁଖୀନ ହେବା ସଙ୍ଗେସଙ୍ଗେ ତା’ ନିଜ ପାଖରେ ଥିବା ନିଜର ଜିନିଷପତ୍ରଗୁଡ଼ିକ ଯେ ନିଶ୍ଚିତ ଭାବରେ ତା’ର ନିଜର ଓ ମୃତ ବ୍ୟକ୍ତିର ନୁହେଁ , ସେଥିପାଇଁ ଅନାଦିକୁ ଅକାଟ୍ୟ ପ୍ରମାଣ ଦେବାକୁ ପଡ଼ିଲା । ଟ୍ରଙ୍କ ଭିତରୁ ଜବତ କରାଯାଇଥିବା ମଦ ବୋତଲଗୁଡ଼ିକ ଯେ ତା’ର ମିଲିଟାରୀ ଜୀବନର ଅତି ନିକଟତମ ସାଥୀ ଓ ସେ ମୃତ ବ୍ୟକ୍ତିକୁ ଯେ ମଦ ଖାଇବାକୁ ଦେଇନାହିଁ ସେଥିପାଇଁ ମଧ୍ୟ ଯଥାର୍ଥ ଯୁକ୍ତି ଦେବାକୁ ପଡ଼ିଲା । ଶେଷରେ ସେ ଘରକୁ ଯିବା ପାଇଁ ସୁଲୋଚନାଠାରୁ ପାଇଥିବା କେତେଖଣ୍ଡ ଆବେଗପୂର୍ଣ୍ଣ ଚିଠି ତାକୁ ନିର୍ଦ୍ଦୋଷ ବୋଲି ପ୍ରମାଣିତ କଲା ।

 

ସେତେବେଳକୁ ପାଞ୍ଚ ଦିନ ବିତି ଯାଇଥିଲା । ଆଉ ମାତ୍ର ହାତରେ ଗୋଟିଏ ଦିନ । ନିର୍ବାକ ନିଷ୍ପନ୍ଦ ହୋଇ ଅନାଦି ଘରେ ପହଞ୍ଚିଲା । ସଙ୍ଗେସଙ୍ଗେ ପୁଣି ତାକୁ ଫେରନ୍ତା ଟ୍ରେନ ଧରିବାକୁ ହେବ । ବାପା, ବୋଉ, ସ୍ତ୍ରୀ, ସାଇପଡ଼ିଶା ଓ ଅଦେଖା ପୁଅ ସମସ୍ତେ ଅନାଦିକୁ ଦେଖିବା ପାଇଁ ରୁଣ୍ଡ ହୋଇପଡ଼ିଲେ । ଅନାଦି ଆଖିରୁ କିନ୍ତୁ ଅନବରତ ଲୁହ ଗଡ଼ି ଚାଲିଥିଲା । ମିଲିଟାରୀ ଜୀବନରେ ମରଣ ଦେଖି ଦେଖି ଯେଉଁ ଆଖିରୁ ଲୁହ ସବୁ ଶୁଖି ଯାଇଥିଲା, ତାହା ଯେମିତି ହଠାତ୍‌ ତରଳିଯାଇ ବୋହିବାକୁ ଲାଗିଲା । ତା’ର ପଥର ଛାତି ଭିତରୁ କୋହ ଲହଡ଼ା ଭାଙ୍ଗୁଥିଲା ।

Image

 

କ୍ଷତ

ଶ୍ରୀ ନାରାୟଣଚନ୍ଦ୍ର ମହାନ୍ତି (ନାରୁ)

 

ସାମାନ୍ୟ ଅଗ୍ନିକଣାରୁ ଭୟାନକ ଅଗ୍ନିଶିଖା କିପରି ସୃଷ୍ଟି ହୋଇଥାଏ, ତା’ର ଏକ ବଳିଷ୍ଠ ପ୍ରମାଣ ‘କ୍ଷତ’ ।

ବୋଧହୁଏ ରାତି ବାରଟା ହେବ । ବୋଉ ବାରମ୍ବାର ବଡ଼ ପାଟିରେ ଡାକି, ଏପାଖ ସେପାଖ ଗଡ଼ାଇ ମୋତେ ଉଠାଉଥିଲା । ମୁଣ୍ଡ ପାଖରେ ଲଣ୍ଠନଟା ଦିକ୍‌ ଦିକ୍‌ ଜଳୁଥିଲା । ସେଥିରେ ମୁଁ ଦେଖିଥିଲି ମୋର ବାପାଙ୍କୁ । ଗୋଟାଏ ସରୁ ବେତ ଡାହାଣ ହାତରେ ଧରି ସେ ପାଖରେ ଠିଆ ହୋଇଗଲେ । ବାମ ହାତରେ ତାଙ୍କର ଅଧାପାଚିଲା ମୋଟା ନିଶର ବାଁ ପାଖକୁ ମୋଡ଼ୁଥିଲେ ।

ମୋର ଖୁବ୍ ଭୟ ହେଲା । ଭାବିଲି–କିଛି ଗୋଟାଏ ଘଟିଛି । ମୋ’ ପିଠିରେ ମୁଁ ଗୋଟାଏ ଶକ୍ତ ବେତ୍ରାଘାତ ପାଇଲି । ଅସମୟରେ ଏହି ବେତ୍ରାଘାତ ପାଇ ମୁଁ ଏପରି ସ୍ତମ୍ଭୀଭୂତ ହୋଇ ଯାଇଥିଲି ଯେ, ମୁଁ କାନ୍ଦି ପାରି ନ ଥିଲି କିମ୍ବା କିଛି କହି ପାରି ନ ଥିଲି ।

ଯଦି ସେଇ ଗୋଟିଏ ପ୍ରହାର ଦେଇ, ବାପା ଶାନ୍ତ ହୋଇଯାଇଥାନ୍ତେ, ମୋର ବିଶେଷ କିଛି ଭାବିବାର ନ ଥାନ୍ତା । ମୁଁ ଧରି ନେଇଥାନ୍ତି–ଛାଡ଼, ଅଫିସରୁ ଖଟି ଖଟି ଆସି ରାତି ବାରଟାବେଳେ ଗୋଟାଏ ଦରକାରୀ ଜିନିଷ ଖୋଜି ଓ ନ ପାଇ, ଟିକେ ରାଗି ଯାଇଥିଲେ; ତେଣୁ ମୋତେ ପ୍ରକୃତ ଦୋଷୀ ବୋଲି ଅନୁମାନ କରି ଗୋଟେ ମାରିଛନ୍ତି । ଅତଏବ ତାଙ୍କର କିଛି ବିଶେଷ ଭୁଲ ହୋଇନି । ସମସ୍ତ ବାପାମାନେ ଏ ବୟସରେ ଏପରି ଭାବେ ରାଗିଥାନ୍ତି

କିନ୍ତୁ ଏ ସମସ୍ତ ଯୁକ୍ତିର କା, ବାପା ମୋ’ ପାଇଁ ରଖିଯାଇ ନଥିଲେ । ‘ଶଳା’ ପଦଟି ତାଙ୍କର ପ୍ରତି ଧମକପୂର୍ଣ୍ଣ ବାକ୍ୟରେ ସମ୍ବୋଧନ ଶବ୍ଦରୂପେ ବ୍ୟବହାର କରି ମୋତେ ବାରମ୍ବାର ବେଘ୍ରାଘାତ କରିଥିଲେ । ମୁଁ ଆଘାତ ଜ୍ୱାଳାରେ ତଟକାଧରା ଚୁଙ୍ଗୁଡ଼ି ମାଛର ନାଟ କରୁଥିଲି ! ମାଡ଼ର ପରିମାଣ ହ୍ରାସ ନ ପାଇବା କିମ୍ବା ନିକଟରେ ବନ୍ଦ ହେବାର କୌଣସି ଆଶା ନ ଦେଖି, ପାଖ ଆଲଣାରେ ପଡ଼ିଥିବା ବୋଉର ପିନ୍ଧା ଲୁଗାଟା ଟାଣି ଆଣି ମୋ ଦେହରେ ଗୁଡ଼ାଇ ହେବାକୁ ଯାଉଥିଲି । ହୁଏତ ମାଡ଼ଜନିତ କଷ୍ଟ ଟିକେ ଲଘୁ ହୋଇଥାନ୍ତା । କିନ୍ତୁ ବାପା ତାହା କରାଇ ଦେଇ ନ ଥିଲେ । ବେତର ଅଗ୍ରଭାଗରେ ମୋଡ଼ି ସେ ମୋ’ ଦେହରୁ ଲୁଗା ଟାଣି ନେଉଥିଲେ । ମୋର ସମସ୍ତ ଶକ୍ତି ପ୍ରୟୋଗ କରି ମୁଁ ଭିଡ଼ୁଥିଲି ପୂରା ଲୁଗାଟାକୁ ମୋର କରିବା ପାଇଁ । ଉଭୟ ପାର୍ଶ୍ୱରୁ ବିପରୀତମୁଖୀ ବଳପ୍ରୟୋଗରେ ଲୁଗାଟି ଚିରି ଯାଇଥିଲା । ମୋର ଭୟ ପୁଣି ବଢ଼ିଗଲା–ମୁଁ ଲୁଗାଟା ଛାଡ଼ିଦେଲି ।

 

ଠିକ୍‌ କିଛି ସମୟ ପୂର୍ବରୁ ମୁଁ ଦେଖିଥିଲି ମୋର ବୋଉକୁ । ସେ, ବାପାଙ୍କ ଦୌରାତ୍ମ୍ୟରୁ ମୋତେ ରକ୍ଷା କରିବାକୁ ଯାଇ କିଛି କିଛି ପ୍ରତିବାଦ ହିଁ କରୁଥିଲା । କିନ୍ତୁ ଲୁଗାଟି ଚିରିଯିବା ପରେ ସେ ତା’ର ପକ୍ଷ ତତ୍‌କ୍ଷଣାତ୍‌ ପରିବର୍ତ୍ତନ କରି ଦେଇଥିଲା ।

 

ସେ ବାହାରକୁ ଦୌଡ଼ିଯାଇ ଚୁଲିମୁଣ୍ଡରୁ ଦରପୋଡ଼ା କାଠ ଖଣ୍ଡେ ଉଠାଇ ଆଣି ମୋ’ ଉପରକୁ ଫୋପାଡ଼ିଥିଲା ଏବଂ କହିଥିଲା, ‘‘ସାପଖିଆ, ମୋର ଦଢ଼ ଲୁଗାଟା ସାଇଲା । ଏଇଟା ପେଟରୁ କାହିଁକି ନ ମଲା......’’ ଇତ୍ୟାଦି ।

 

ସାଧରଣତଃ, ବୋଉର ଏ ସମୟରେ ଏପ୍ରକାର ବ୍ୟବହାରରେ ଯେକୌଣସି ପୁଅ ବିସ୍ମିତ ହେବାର କଥା । କିନ୍ତୁ ମୁଁ ହୋଇନଥିଲି । ବୋଉର ଏପ୍ରକାର ବ୍ୟବହାର ମୁଁ ଏ ଘଟଣାର ତିନି ବର୍ଷ ପୂର୍ବରୁ ଟିକେ ଟିକେ ଲକ୍ଷ୍ୟ କରୁଥିଲି । କାରଣ ତିନିବର୍ଷ ପୂର୍ବରୁ ମୋର ଆଉ ଗୋଟିଏ ଭାଇ ଜନ୍ମ ହୋଇଥିଲା ।

 

ବାପା ଓ ବୋଉଙ୍କୁ ଏକ ପକ୍ଷରେ ଦେଖି ମୋର ଅତ୍ମାଭିମାନ ଉଦ୍ରେକ ହେବା ସଙ୍ଗେ ଧୈର୍ଯ୍ୟଚ୍ୟୁତି ଘଟିଲା । ମୁଁ କିନ୍ତୁ କାନ୍ଦି ନଥିଲି । ମୁଁ ଛକି ରହି କାଇଦାରେ ବାପାଙ୍କ ହାତରୁ ବାଡ଼ିଟା ପିଟିବା ସମୟରେ ଛଡ଼ାଇ ନେଇଥିଲି । ପ୍ରତିଶୋଧ ନେବାର ମଉକା ପାଇ ମୁଁ ଅବିଳମ୍ବେ ବାପାଙ୍କୁ ସେହି ବେତରେ ତାଙ୍କ ଜଙ୍ଘକୁ ଲକ୍ଷ୍ୟ କରି ଶକ୍ତ ମାଡ଼ଟିଏ ମାରିଥିଲି । ବାପା, ଠିକ୍‌ ମୋରି ପରି ରଡ଼ି ଛାଡ଼ି କହିଥିଲେ, ‘‘ମୋତେ ମାରି ପକାଇଲାରେ, ଶଳାଟା ।’’ ଏହା ଶୁଣିବା ପରେ ମୁଁ ନିଜକୁ ଖୁବ୍‌ ସାବାସ୍‌ କରିଥିଲି । ଭାବିଲି–ଠିକ୍‌ ଶିକ୍ଷା ଦେଇଛି । ଜାଣନ୍ତୁ ଯେମିତି ବାପା, ସେମିତି ପୁଅ । କିନ୍ତୁ ପର ମୁହୂର୍ତ୍ତରେ ପରିସ୍ଥିତି ଯାହା ହେଲା, ତାହା ଭାବିଲେ ମୋର ଲୋମମୂଳ ଏବେ ବି ଶିହରି ଉଠେ ।

 

ମୋର ବାପା, ମୋର ଜନ୍ମଦାତା । ମୁଁ ତାଙ୍କର କୁଳରକ୍ଷକ ପୁଅ, ଏ ଦୁଇଟା ସମ୍ପର୍କ ସେ ସମ୍ପୂର୍ଣ୍ଣ ଭୁଲିଯାଇ ମୋତେ ନିର୍ମମ ପ୍ରହାର କରିଥିଲେ । ଫଳରେ ମୁଁ ମୋର ସଜ୍ଞା ହଜାଇ ଦେଇଥିଲି । ରାତି ଗୋଟାଏ ବାଜିଥିଲେ ମଧ୍ୟ ପଡ଼ୋଶୀ ଘରୁ ଲୋକମାନେ ଆମର ଚାଳ ଡେଇଁ ଘରେ ପଶିଥିଲେ । ମୋତେ ସଜ୍ଞାହୀନ ଅବସ୍ଥାରେ ଦେଖି ସେମାନେ ସେହି ରାତିରେ ମୋତେ ହାସପାତାଳକୁ ନେଇ ଯାଇଥିଲେ

 

X X X

 

ବାପାଙ୍କୁ ଟାଇଫଏଡ୍‌ । ମୁଁ ତାଙ୍କ ଦେହରେ ହାତ ବୁଲାଉଥିଲି । ସେ ତାଙ୍କର ହାତ ମୋର ହାତ ଉପରେ ଚଲାଉଥିଲେ । ମୋର ହାତରେ ଗୋଟିଏ ଖାଲ ଅଂଶରେ ତାଙ୍କର ଟିପ ଲାଗିବାରୁ ସେ ପଚାରିଥିଲେ, ‘‘ଏଇଟା କ’ଣ କିରେ ବାପା ?’’ ମୁଁ କହିଲି : ‘‘ତମେ କ’ଣ ଜାଣନା ? ତମେ ପରା ମୋତେ କହିଛ, ପିଲାଦିନେ ତୁ ଗଛରୁ ପଡ଼ିଯାଇ ତୋର ହାତ ଗୋଟାଏ ଲୁହାକଣ୍ଟାରେ ଫୋଡ଼ି ହୋଇଯାଇଥିଲା । ତାହା ଶୁଖିବାକୁ ଦୁଇମାସ ଲାଗିଲା–ସେଥିପାଇଁ ଏ ଜାଗାରେ ଗୋଟିଏ ଖାଲ ହୋଇଯାଇଛି ।’’

 

ମୋର କଥା ସରିଲା ପରେ ମୁଁ ଦେଖିଲି ବାପା କଇଁକଇଁ ହୋଇ କାନ୍ଦୁଥିଲେ ଏବଂ ପରେ ତାଙ୍କ ଥରିଲା ଗଳାରେ ଉପରଲିଖିତ ଘଟଣାଟି ବର୍ଣ୍ଣନା କରିଥିଲେ ।

 

ମୁଁ ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନ କଲି : ତେବେ କାହିଁକି ? କେଉଁ କାରଣରୁ ତୁମେ ମୋତେ ରାତିରେ ଉଠାଇ ପିଟିଥିଲ ?

 

ତାହାର କାରଣ ଦର୍ଶାଇବାକୁ ଯାଇ ବାପା କହିଥିଲେ : ତୋର ସେତେବେଳେ ବୟସ ଦଶ । ମୁଁ ବଡ଼ ଯୁକ୍ତିପ୍ରେମୀ ଥିଲି । ଅଫିସ୍‌ ସହକର୍ମୀମାନଙ୍କ ସହ ଯୁକ୍ତିକରି ମୁଁ ଅନେକ ସମୟରେ ଜିତି ଯାଇ ପାରୁଥିଲି । ଏଥିପାଇଁ ମୁଁ ନିଜକୁ ଗର୍ବିତ ଅନୁଭବ କରୁଥିଲି । ଦିନେ, ଅଫିସରୁ ଫେରୁଥିବା ସମୟରେ ଦୁଇ ଜଣ ସହକର୍ମୀ ସହିତ ଥିଲେ । ତାଙ୍କ ଭିତରୁ ଜଣେ ଅଫିସରଙ୍କ ଏକାଧିପତ୍ୟକୁ ପ୍ରଶଂସା କରି କହିଥିଲେ ଯେ ତାହା ନ ହେଲେ, ଆମେ ଅଧସ୍ତନ କର୍ମଚାରୀମାନେ ଆଦୌ ଶୃଙ୍ଖଳାବଦ୍ଧ ହୋଇ କାମ କରିବା ନାହିଁ । ମୁଁ ଏହାର ତୀବ୍ର ପ୍ରତିବାଦ କରିଥିଲି । ଆଉ ମଧ୍ୟ, ସେହି ଦୁଇଜଣ ସହକର୍ମୀ ତୈଳଧର୍ମୀ ହୋଇଥିବାରୁ ମୁଁ ସେମାନଙ୍କୁ ଘୃଣା କରୁଥିଲି ଏବଂ ସୁଯୋଗ ଖୋଜୁଥିଲି ସେମାନଙ୍କୁ ଦାବନ୍‌ ଦେବା ପାଇଁ । ଭାବିଲି ଏ ଦିନଟା ମୋ’ ପକ୍ଷରେ ଉପଯୁକ୍ତ ସୁଯୋଗ । କିନ୍ତୁ ଯୁକ୍ତି ଅଫିସ ସମ୍ବନ୍ଧୀୟ ପରିସର ମଧ୍ୟରେ ସୀମାବଦ୍ଧ ନ ରହି ତାତ୍ତ୍ୱିକ ରାଜନୀତି ଆଡ଼କୁ ଆଗେଇ ଥିଲା । ମୁଁ ଗଣତନ୍ତ୍ର ସପକ୍ଷରେ ଓ ସେମାନେ ଏକଛତ୍ରବାଦ ସପକ୍ଷରେ ।

 

ଯୁକ୍ତି ଯାହା ହେଉନା କାହିଁକି, ସେମାନେ ଉଚ୍ଚ ଗଳାରେ ପାଟି କରି ପାରୁଥିଲେ । ମୁଁ ଯେତେ ବୁଝାଇଲେ ମଧ୍ୟ ସେମାନେ କୌଣସି କଥା ନ ଶୁଣି ମୋତେ ଦାବି ଦେବାକୁ ଚେଷ୍ଟିତ ଥିଲେ । ରାତି ଅନେକ ହୋଇଯାଇଥିଲା । ପରାଜୟ ପ୍ରତି ଦୃଷ୍ଟି ନ ଦେଇ ମୁଁ ଫେରିଥିଲି ଘରକୁ । ଫେରିବା ବାଟରେ ମୁଁ ସେମାନଙ୍କ ଉପରେ ଏପରି କ୍ରୋଧାନ୍ୱିତ ହୋଇପଡ଼ିଥିଲି ଯେ ପାଖ ଝଟା ବାଡ଼ରେ ମୋର ନୂଆ ସାର୍ଟଟା ଲାଗି ଚିରି ଯାଇଥିଲା । ମୁଁ ଘରକୁ ଫେରି ତୋର ବୋଉକୁ ଛୁଞ୍ଚିସୂତା ମାଗିଥିଲି, ସାର୍ଟଟା ରଫୁ କରିବାପାଇଁ । ତୋ ବୋଉ କହିଥିଲା, ତୁ ଛୁଞ୍ଚିଟା ସେଦିନ ଖରାବେଳେ କେଉଁଠି ରଖି ଦେଇଥିଲୁ, ତାହା ଖୋଜି ଖୋଜି ମିଳୁ ନଥିଲା । ମୁଁ ତୋର ବୋଉକୁ ଗୋଟାଏ ଧକ୍‌କା ମାରି କହିଥିଲି–‘‘ଉଠା ତାକୁ ବିଛଣାରୁ, ମୁଁ ଦେଖିବି ସେ କିପରି ଛୁଞ୍ଚି ବାହାର କରି ମୋତେ ନ ଦେବ ।’’

Image

 

ଅଇନା

ଅଦ୍ୱୈତ ମହାନ୍ତି

(ପ୍ରେସ କଲୋନି)

 

ଅଇନାର ଯୌବନ ମୁହଁ ଦେଖେ, ବାର୍ଦ୍ଧକ୍ୟବି ଦେଖେ । ମରଣ ବି ଏକ ଅଇନା, ଯା’ଦେଇ ମଣିଷ ନିଜ ଆଗ ପଛ ଚେହେରାକୁ ଏକ ସମୟରେ ଦେଖିପାରେ ।

‘........କେମିତ ଆଗେ ଆଗେ ପଳେଇଲ ? କି ମିଣିପଟା ! ଜହ୍ନରାତି ବୋଲି ତମେ ସିନା ଆଗେଇ ଗଲ ! ମୋତେ ଟିକେ ଦୀପ ଦେଖା ! ମୁଁ ଖାଳେଇ, ଜାଲ ନେଇ ଯାଉଛି ।’

ଶୋଥା ଗାରୁଆ ମୁହଁ, ମଉଳା ଆଖି ଦି’ଟା ବୁଜି ଦେଇଛି ଜହ୍ନ । ମଉଳା ମନ ତା’ର କାହିଁ କେତେ ଉଁଚରେ ଉଡ଼ୁଛି ।

ଜହ୍ନ ଛାତି ଉଛୁଳୁଛି । ଡମା ବାପାର ଚଉଡ଼ା ଛାତିରେ ଜହ୍ନ ପାଇଁ ଛାତିଏ ଜୁଆର । ହଜ୍ନ କିରିକିରି ହସୁଛି । ଜହ୍ନ ଯେମିତି ଡମା ବାପାର ଆଖିରେ ବୋତଲ ବୋତଲ ସରାପ । ଡମା ବାପା ଜହ୍ନ ମୁହଁକୁ ଚଅଁ ଚଅଁ ପିଇ ଯାଉଛି ।

ଜହ୍ନର ଛୋଟିଆ ସଂସାର ହସୁଛି । ଡମାକୁ ଧରି ଗେଲ କରୁଛି ତା ବାପ । ‘ଆ’ ଜହ୍ନ ମାମୁଁ.......ଆ.....’

ପଖାଳ ବେଲାର ଶାଗ ମେଞ୍ଚାଏ ଥରି ଜହ୍ନ ଡାକୁଛି, ‘ଆସିବଟି ! ସକାଳୁ ବେଲାଏ ନାଲି ଚାହା ଯାହା ପିଇଥିଲ । ଆସି ସଞ୍ଜ ହେଲାଣି ।’

ଶାଗ ଦେଖି ଡମା ବାପା ଗାରୁ ଗାରୁ ହେଉଛି । ଆଉ ଜହ୍ନ ବୁଝାଉଛି, ‘ଏମିତି ଅଶାନ୍ତି ହୁଅନା । କେରାଣ୍ଡି ଶୁଖୁଆ କରୁଛି, ଶୁଖିଗଲେ ତୁଣ କଷ୍ଟ ତମର ଯିବ ।’

ଜହ୍ନ ପାଖରେ ପାଖରେ ବସି ଚଉତନାରେ ପୋଛି ଦେଉଛି ଡମା ବାପାର ପାଣିଖିଆ ପାଉଁଶିଆ ଦେହକୁ । ଜାଲ କେତେ ଖଣ୍ଡ ବିଛେଇ ଶୁଖେଇ ଦେଇଛି, କତରାଟାଏ ପାରି ଦେଇଛି । ହାଲିଆ ଗେରସ୍ତ ତା’ର କନାମୁଚୁଳା ଦେଇ ଗୋଡ଼ହାତ ସଳଖୁଛି । ପାଖରେ ବସି ଜହ୍ନ ପାନ ଭାଙ୍ଗି ଭୁଞ୍ଜେଇ ଦେଉଛି, ଆଉ ଗୋଡ଼ ପାଦ ମଚାଳି ଗପ କରୁଛି ।

ଡମା ବାପା କହୁଛି : ହଁ ଲୋ ! କେଉଟ ଧରେ ମାଛ ଖାଏ କଙ୍କଡା । ବଟୁଆରେ ଟଙ୍କା ଅଛି ଗଣି ନେଲୁ ।

ଜହ୍ନ ହସୁଛି, ପୁଣି କହୁଛି : କିଣିଖିଆ ସଂସାର । ଚାଉଳବାଲା ବେଜିତ୍‌ କରିଯାଇଛି । ସେ’ତ ସବୁ ନେବ । ଡମା ପାଇଁ କିଛି ମାଣି ମୁଠି କରିବାନି ?’

ଡମା ବାପା ଉତ୍ତର ଦେଉଛି : ‘ଇଲୋ ! ଆମେ ଏଇୟା । ଆମ ଡମା ବି ହେବ ସେୟା-। ଡମା ଆଉ କ’ଣ ବାବୁ ହେବ ? ହବ କେମିତି ତୁ କହିଲୁ ? ଆମେ ଏଇ ଭଲ । କାନୁଗୋଇ ବୁଢ଼ାର ପୁଅ, ବୋହୂ କି ଶାନ୍ତିରେ ଅଛନ୍ତି ଯେ ? ବାବୁଙ୍କ କଥା କୁଆଡ଼େ ଚାକର ପୂଜାରୀ ବୁଝନ୍ତି-। ବାବୁଆଣୀ ପର ମଣିଷ ସାଙ୍ଗରେ ବଣଭୋଜି କରନ୍ତି, ନାଟ ତାମସା ଦେଖନ୍ତି ।

ଜହ୍ନ ଉତ୍ତର ଦେଉଛି ‘ ଛାଡ଼ ! ସେ ବଡ଼ଲୋକଙ୍କ କଥାରୁ ଆମକୁ କ’ଣ ମିଳିବ ?’ ଟିକକ ପରେ ଥମ୍‌ ଥମ୍ ହୋଇ ଜହ୍ନ ପୁଣି କହୁଛି, ‘ଆଲୁଅଟା ଜଳୁଛି..... ।’

 

ଡମା ବାପା ହାତ ବଢ଼ାଇ କହୁଛି : ଓ, ସେଇ ଆଲୁଅଟା ତ ! ସେଇଟା ପରା ଚିରିଗୁଣୀ ଆଲୁଅ । ଡରୁଛୁ କିଲୋ ? ମୁଁ ପରା ତୋ ପାଖରେ ଅଛି !!

 

ଡମା ବାପାର ଛାତିରେ ମୁହଁ ଉଗାଡ଼ି ଜହ୍ନ ହଜିଯାଉଛି ପିଛିଲା ଦିନର ବଉଦ ଭିତରେ ହଜେଇଥିବା ସ୍ମୃତିର ତାରାଗୁଡ଼ିକୁ ମନେ ପକାଇ । ଷାହଳର ଢେଉ ଭାଙ୍ଗୁଛି ଜହ୍ନର ଦେହ ଦରିଆରେ । ଆଖି ତଳେ ସପନ ଢେଉ । ମହନାର ବଂଶୀ ସୁରରେ ବାୟାଣୀ ହୋଇ ଜହ୍ନ କହୁଛି, ‘ମୋତେ ଉଡ଼େଇ ନିଅ ମହନା’ଇ । ବଗବୁଗୁଲୀ ହୋଇ ଆମେ ନେଳିଆ ଆକାଶ ଛୁଇଁ ଉଡ଼ିବା......’

 

କିନ୍ତୁ ତା ସପନର ହୁଲି ଡଙ୍ଗାଟି ମଝି ଦରିଆରେ ଡୁବିଯାଇଛି । ମହନା ଆଉ ଏକ ମତ୍ସ୍ୟକନ୍ୟା ନେଇ ତା ସଂସାର କରିଛି । ପାଣିରେ ଏକାଟିଆ ଛଟପଟ ହେଉଛି ଜହ୍ନ । ଏତିକିବେଳେ ଅଚିହ୍ନା ଭେଣ୍ଡାଟିଏ ଆସି, ତା’ ଛାତିରେ ଜହ୍ନକୁ ତୋଳି ଆଣି କୂଳରେ ଲଗାଉଛି । ସେ ଏଇ ଡମା ବାପା ।

 

ଜହ୍ନର ଭାଙ୍ଗକରା ନହକା ଚମ ଦେହଟା, କଡ଼ ନେଉଟେଇ ଚିରିଚିରେଇ ଉଠୁଛି । ‘ମୋର କାଇଲି । ମୋତେ ମାରନା, ମାରନା । ଦୀପଛୁଆଁ ବଚନ ଦୋରୁହା ହୋଉଛି । କ୍ଷେମାକର ଡମା ବାପା । ମୋର ସବୁ ରାହାଜାନୀ କଲା କାନୁଗୋଇ ବୁଢ଼ା । ତମେ ପାଖରେ ନଥିଲ ।’ ଜହ୍ନ କାନ ମୋଡ଼ି ହେଉଛି; ଥାପଡ଼ ମାରି ହେଉଛି ।

 

ଦାଣ୍ଡରେ କଥା ପଡ଼ିଲା : ବୁଢ଼ୀ ବାଉଳୋଉଛି । ଆଉ ବେଶି ଡେରି ନାହିଁ ।

 

ଜହ୍ନ ଆଖି ଖୋଲି ଦେଖିଚି, ଡମା ନାହିଁକି, ଡମା ବାପା ନାହିଁ । ସେଇ ତା’ର ଝାଟି ମାଟି ଘର । ଛିଣ୍ଡା କତରା । ହାଣ୍ଡି ଦିଖଣ୍ଡ ଗଡ଼ୁଛି । ତାକୁ ଘେରି ଠିଆ ହୋଇଛନ୍ତି କେତେଜଣ ଚୁପ୍‌ଚାପ୍‌ ଲୋକ । ପାଣି ମୁନ୍ଦେ ବି କେହି ଦେଉନାହାନ୍ତି, ସତେ ଅବା ଯମଦୂତ ।

 

ପୁଣି ଜହ୍ନ ଆଖି ବୁଜି ବାହୁନୁଛି; ‘ମୋ ଡମା, ମୋ ଡମା ବାପା କୁଆଡ଼େ ଗଲେ ? ଆଉ ମୋ ବାଇଚଢ଼େଇ ବସା କିଏ ଭାଙ୍ଗିଦେଲା ? ନିଆଁ ନଗା କାନୁଗୋଇ ବୁଢ଼ା ଗସ୍ତାନି ସଜେଇଲା । ସାହି ପଡ଼ିଶା ମୋ ଗେରସ୍ତ, ମୋ ପୁଅକୁ ଛଡ଼େଇ ନେଲେ । ଡମା ବାପା ମୋ ବିନୁ ବଞ୍ଚି ପାରିଲାନି । ଡମାକୁ ସାଥିରେ ନେଇ ସେ କୁଆଡ଼େ ନଈରେ ନଈରେ ଗଲା । ଆଉ ଫେରିଲା ନାହିଁ-। ମୁଁ ଏବେ କାହାରି ହେଲିନି ।’

 

ଗଲାଦିନର ଫୁଲ ଉଡ଼ାଉଥିବା ଜହ୍ନ ଦେହର ଚମ ଯେ ସଢ଼ିଯାଉଛି । ତା ଛାତିର ଶୁଖିଲା ମାଂସ ପିଣ୍ଡୁଳା ଦୁଇଟା ଭୂଇଁରେ ଲୋଟୁଚି । ଆଖିରୁ ପାଣି ଥୋପ ଥୋପ ହୋଇ ଗଡ଼ି ପଡ଼ୁଚି ।

 

ଜହ୍ନ ଖାଲେଇ, ଜାଲ ପାଇଁ ଉଣ୍ଡାଳି ହେଉଚି ଆଉ ଡମା ବାପାକୁ ଡାକୁଚି କାକୁସ୍ଥ ହୋଇ, ଦୀପ ଦେଖା, ଦୀପ ଦେଖା.......

Image

 

ପ୍ରଜାପତି

ଶ୍ରୀ ପ୍ରମୋଦକୁମର ପଣ୍ଡା

 

ପ୍ରଜାପତିର ଜାଲରେ ଛନ୍ଦୁରି ହୋଇ ବିବାହ ବାଦୀକୁ ଆସିବା ଏକ ଆବେଗମୟ ସ୍ପର୍ଶକାତର ଅନୁଭୂତି ।

 

ପ୍ରମୋଦ ବାବୁ ତାଙ୍କ ଭାଷାରେ ସେଇ ସ୍ପର୍ଶର ଫୁଲ ବିଞ୍ଚି ଆପଣଙ୍କୁ ମୋହାବିଷ୍ଟ କରିବେ ।

 

ଗଦାଧର ମଟରର ଝର୍କା କୋଲିଲା ।

 

ଆକଶରେ ରଙ୍ଗବେରଙ୍ଗ ତାରା ଏବଂ ଧରଣୀରେ ପ୍ରତିଫଳନ । ସାମ୍ନାରେ ଚଳନ୍ତା କନ୍‌ସଟ୍‌ ।

 

ଗଦାଧରର ପେଟ ଭିତରେ ଅନେକ ହସ ଇତସ୍ତତଃ ହେବାକୁ ଲାଗିଲେ ଏବଂ ସେଥିରୁ କେତେକ ଗଦାଧରର ଦୁଇ ଓଠ ଫାଙ୍କ ଦେଇ ବାହାରି ଯିବାର ଚେଷ୍ଟା କଲେ ।

 

ଗଦାଧର ପଞ୍ଜାବୀର ସାଇଡ୍‍ ପକେଟ୍‌ରୁ ଅତର ଭିଜା ରୁମାଲଟାକୁ କାଢ଼ିଲା । ଠିକ୍ ଏତିକିବେଳେ କେତେକ ମଲ୍ଲୀଫୁଲର ପାଖୁଡ଼ା ଗଦାଧରର ନାକ ଭିତରେ ଚମକ ସୃଷ୍ଟି କଲା ।

 

ଠିକ୍‌ ଏତିକିବେଳେ ଗରମ ଗରମ ଜଣା ପଡ଼ୁଥିଲା । ପିନ୍ଧିଲା ଧୋତି କୁଞ୍ଚରେ ସେ ମୁହଁର ଟୋପା ଟୋପା ଝାଳ ଛପେଇ ନେଲା ।

 

ଅନ୍ୟ ପକେଟରେ କେତୋଟି ଗନ୍ଧକର୍ପୂର ଗୋଳା, ବଉଳ ଫୁଲ ସଙ୍ଗରେ ସଂଗ୍ରାମ କରୁଥାନ୍ତି ।

 

ଗଧାଧର ଆଗକୁ ଚାହିଁବାକୁ ଲାଗିଲା । ତା’ର ମନେ ହେଲା ସେ ଲକ୍ଷ୍ୟ ସ୍ଥଳୀର ଖୁବ୍‌ ନିକଟରେ ।

 

କେତୋଟି ଜରଦ୍‌ଗବ ତାକୁ ଅନୁନୟ କରି ଗାଡ଼ି ବାହାରକୁ ଆସିବାକୁ ଅନୁରୋଧ ଜଣାଇବାରୁ ସେ ବାଧ୍ୟ ହୋଇ ସେମାନଙ୍କ ଅନୁଗମନ କଲା ।

 

ଗଦାଧର ତା’ ଆଖି ଆଗରେ କେତେଜଣ ସମ୍ପୂର୍ଣ୍ଣ ଅପରିଚିତଙ୍କୁ ଦେଖିବାକୁ ପାଇ ଇତସ୍ତତଃ ମନେ କଲା ।

 

ହଠାତ୍ ଚଳନ୍ତା କନ୍‌ସଟ୍‌ ବନ୍ଦ ହେଲା ଏବଂ ରଙ୍ଗବେରଙ୍ଗ ତାରାମାନେ ଲିଭି ଗଲେ ।

 

ତା’ପରେ କିଛି ସମୟ ନୀରବତା ଓ ଜରଦ୍‌ ଗବମାନଙ୍କର ମୃଦୁ ଗୁଞ୍ଜନ । ଗଦାଧରକୁ ସେମାନେ ଏକପ୍ରକାର ଟାଣି ନେଇଗଲେ ଏବଂ ଚନ୍ଦ୍ରାତପ ତଳେ ଏକ ବିସ୍ତୀର୍ଣ୍ଣ ଦରି ଉପରେ ବସାଇଲେ ।

 

ସେ ବହୁତ ସଂଯତ ହୋଇ ବସିଲା । କିନ୍ତୁ ତା’ର କଳା ଡୋଳଟିମାନ ନିରୀହ ଭାବେ ବ୍ୟାସାର୍ଦ୍ଧ ଛୁଇଁ ଘୂରି ଆସିଲେ ।

 

କିଛି ସମୟ ପରେ ଗୋଟିଏ ଶଙ୍ଖୀ ଗ୍ଲାସରେ ରଙ୍ଗୀନ ଓ ସ୍ୱାଦୁ ପାନୀୟ ଆଣି ଗଦାଧର ହାତକୁ ବଢ଼ାଇ ଦେଲା ଏବଂ ଗଦାଧର ଏକା ନିଃଶ୍ୱାସରେ ତାକୁ ଶୋଷି ନେଲା ।

 

ଗଦାଧର ଚତୁଃପାର୍ଶ୍ୱକୁ ମୁଗ୍ଧ ଦୃଷ୍ଟିରେ ଚାହୁଁ ଚାହୁଁ ନିଜକୁ ଏକ ରୋମାଞ୍ଚକର ନାଟକର ପ୍ରଧାନ ନାୟକ ରୂପେ ଅନୁଭବ କଲା ।

 

ବେଦିଟିଏ !

 

ସାମ୍ନାରେ କଳସ । କଳସ ଉପରେ ଆମ୍ବଡାଳ । ଆମ୍ବଡାଳ ଉପରେ ପଇଡ଼ । ଧନୁର୍ଦ୍ଧର ବାରିକ ନିଜ ହାତରେ ଗଦାଧରକୁ ଲୁଗା ପିନ୍ଧାଇ ବେଶ କଲା ଓ ପୁରୋହିତ ମସ୍ତ୍ରପାଠ କଲେ ।

 

ହଠାତ୍‍ ଗୋଟିଏ ଲାଲ ରଙ୍ଗର କଣ୍ଢେଇ ଝୁମୁରୁ ଝୁମୁରୁ ହୋଇ ବେଦି ଉପରକୁ ଆସିଲା ଓ ଗଦାଧର ପାଖରେ ବସିଗଲା ।

 

ଗଦାଧର ଇଚ୍ଛା କଲା ! କଣ୍ଢେଇଟିକୁ ତନ୍ନ ତନ୍ନ କରି ଦେଖନ୍ତା । କିନ୍ତୁ ତାହା ହେଲା ନାହିଁ ।

 

ହଠାତ୍‌ ବେଦି-ଅଞ୍ଚଳ କୋଳାହଳମୟ ହେଲା । ଗୋଟିଏ ପାଖରେ ନାରୀ ଓ ଅନ୍ୟ ପାଖରେ ପୁରୁଷମାନେ ବସି ସେ କୋଳାହଳ ସୃଷ୍ଟି କରୁଥିଲେ ।

 

ତା’ପରେ ଗଦାଧର ଆବିଷ୍କାର କଲା, ସେହି ଲାଲ କଣ୍ଢେଇର ହଳଦୀ ରଙ୍ଗର ପାପୁଲିଟି ଆସି ତା’ର କଳା ପାପୁଲି ଉପରେ ଯୋଡ଼ି ହୋଇ ଯାଇଛି ।

 

ପୁରୋହିତ ପୁନଶ୍ଚ ମନ୍ତ୍ର ପଢ଼ିଲେ ଏବଂ କେତୋଟି ତୃଣ ସାହାଯ୍ୟରେ ସେହି ହଳଦୀ ଓ କଳା ରଙ୍ଗର ପାପୁଲିକୁ ଏକତ୍ର ଜୋର୍‌ କରି ବାନ୍ଧି ଦେଲେ ।

 

ବନ୍ଧନ ଯେ’ ମିଠା ଅଛି, ସେ କଥା ଗଦାଧର ପ୍ରଥମ କରି ଅନୁଭବ କଲା ।

 

ଝର୍କାଭିତରୁ ସମବେତ ମହିଳାମାନେ ହୁଳୁହୁଳି ଦେଲେ ଓ ଧନୁର୍ଦ୍ଧର ଶଙ୍ଖ ଫୁଙ୍କିଲା ।

 

କେତୋଟି କଳା ଓ ଧଳା ଶଙ୍ଖୀ ବେଦି ଉପରକୁ ଡେଇଁ ଡେଇଁ ଆସିଲେ ଓ ଗଦାଧର ସଙ୍ଗେ ଲାଲ କଣ୍ଢେଇଟିକୁ ଦେଖିବାକୁ ଲାଗିଲେ ।

 

ଗଦାଧରର ବନ୍ଧୁମାନେ ସେହି ଶଙ୍ଖୀମାନଙ୍କୁ ଅର୍ଥପୂର୍ଣ୍ଣ ଦୃଷ୍ଟିରେ ଚାହିଁ ମୋହିତ ହେଲେ-

 

ଅନନ୍ତର ପୁରୋହିତଙ୍କ ମନ୍ତ୍ରପାଠ ସମାପ୍ତ ହେଲା ଏବଂ ଉପହାର ଉପଢୌକନ ସବୁ ଅଣା ହୋଇ ଗଦାଧର ସାମ୍ନାରେ ଜମା ହେଲା ।

 

ଗୋଟିଏ ଘଣ୍ଟା । ଗୋଟିଏ ରେଡ଼ିଓ । ଗୋଟିଏ ସାଇକେଲ । ଗୋଟିଏ ସେଟ୍‌ ଝରକଲମ । ଗୋଟିଏ ଆଲମିରା ଚାବି ଓ ଟିକିଏ ଗୋବର । ଗଦାଧର ବୁଝି ପାରିଲାନି ତାକୁ ଗୋଟିଏ ଗାଈ ମଧ୍ୟ ଦିଆଗଲା କାହିଁକି ।

 

ଏହାପରେ ଜଣେ ମଧ୍ୟବୟସ୍କା ମହିଳା ମୁଣ୍ଡରେ ହାତେ ଲମ୍ବର ଓଢ଼ଣା ଟାଣି ବେଦି ସ୍ଥଳରେ ପ୍ରବେଶ ହେଲେ ଓ ସେହି ଲାଲ କଣ୍ଢେଇର ହାତ ଧରି ଅଗ୍ରସର ହେଲେ । ପୁରୋହିତଙ୍କ ନିର୍ଦ୍ଦେଶରେ ଗଦାଧର ସେମାନଙ୍କର ଅନୁସରଣ କଲା ।

 

ଏଥୁଅନ୍ତେ ସେହି ଗୁଞ୍ଜନରତା ଶଙ୍ଖୀକୁଳ ଆତ୍ମଗୋପନ କଲେ ଓ ପରିଚିତ ବନ୍ଧୁମାନେ ବେଦି ଛାଡ଼ି ଉଦ୍ଦିଷ୍ଟ ବିଶ୍ରାମ କକ୍ଷକୁ ପ୍ରତ୍ୟାବର୍ତ୍ତନ କଲେ ।

 

ଗଦାଧର ଅବଶଷରେ ଏକ ଆଲୋକିତ କକ୍ଷ ଭିତରେ ପ୍ରବେଶ କଲା ଏବଂ ସେଇଠି ପୂର୍ବ ପରିଚିତ ଶଙ୍ଖୀମାନେ ପୁନର୍ବାର ଆବିର୍ଭୂତ ହୋଇ ତିକ୍ତମଧୁର କଣ୍ଠରେ ମ୍ୟାଉଁ ମ୍ୟାଉଁ ହୋଇ ଗୀତ ଗାଇଲେ ।

 

ଗଦାଧରର ଦୁଇ କାନର ଗେଟ ଡେଇଁ ସେ ଗୀତର ସ୍ୱରମାନେ ମସ୍ତିଷ୍କ ବାରଣ୍ଡାରେ ଲମ୍ବ ହୋଇ ଶୋଇ ଯାଉଥିଲେ ।

 

ତା’ପରେ ଦୁଇଟି ସୁସଜ୍ଜିତ ଥାଳିରେ ଗୁଡ଼ାଏ ଖାଦ୍ୟଦ୍ରବ୍ୟ ଆସି ଗଦାଧରର ସାମ୍ନାରେ ଜମା ହୋଇଗଲେ ଏବଂ ସେମାନଙ୍କୁ ଗ୍ରହଣ କରିବା ପାଇଁ ଗଦାଧରକୁ ପ୍ରଶ୍ନବାଚୀ ଦୃଷ୍ଟିରେ ଚାହିଁ ରହିଲେ ।

 

ଗଦାଧର ସେମାନଙ୍କୁ ଗ୍ରହଣ କରିନେଲା ।

 

ତା’ପରେ ସମଜାତୀୟ ଦ୍ରବ୍ୟମାନେ ପୁଣି ଦ୍ୱିତୀୟ ବେଚରେ ମାର୍ଚ୍ଚିଂ କରି ଆସିଥିଲେ ।

 

କିନ୍ତୁ ଗଦାଧର ସେମାନଙ୍କୁ ଫେରିଯିବା ପାଇଁ ଅନୁରୋଧ କଲା ।

 

ଏଥର ଗଦାଧର ତୃପ୍ତ ହୋଇ ସେହି ଆଲୋକିତ କକ୍ଷ ଓ ଲାଲ କଣ୍ଢେଇଟିକୁ ଛାଡ଼ି ଚାଲି ଆସିଲା ।

 

ଗଦାଧର ଚାଲି ଆସିବା ଦେଖି ଶଙ୍ଖୀମାନେ ତାକୁ ଘେରିଗଲେ ଓ ତା’ ସଙ୍ଗେ ଖେଳିବାକୁ ଚାହିଁଲେ । କିନ୍ତୁ ଗଦାଧର ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଅବଜ୍ଞା କଲା ।

 

ଗଦାଧର ପରିଚିତ ବନ୍ଧୁ ମେଳରେ ବସି ତୃପ୍ତିର ନିଃଶ୍ୱାସ ଛାଡ଼ିଲା ବେଳେ, ତା’ର ବନ୍ଧୁମାନେ ତାକୁ ଘେରି ଯାଇ ପ୍ରଶ୍ନବାଣ ଭିତରେ ତାକୁ ଛନ୍ଦୁରି ଦେଲେ ।

 

ଗଦାଧର ସଙ୍ଗେସଙ୍ଗେ କୌଣସି ଉତ୍ତର ଦେଇ ନ ପାରି ସେ ସମସ୍ତଙ୍କ ମୁହଁକୁ ଜଳକା ଆଖିରେ ଚାହିଁ ରହିଥିଲା ।

Image

 

ରସିକ ପ୍ରେମିକ ଶ’

ଶ୍ରୀ କମଳଲୋଚନ ମହାନ୍ତି

 

ବିଶ୍ୱବିଖ୍ୟାତ ଜର୍ଜ ବାର୍ଣ୍ଣାଡ ଶ’ କେବଳ ଜଣେ ପ୍ରଭାବଶାଳୀ ଲେଖକ ନୁହନ୍ତି, ସେ ମଧ୍ୟ ଜଣେ ଭାବପ୍ରବଣ ପ୍ରେମିକ । ନାଟ୍ୟକାର କମଳବାବୁ, ଶ’ଙ୍କର ଚାଞ୍ଚଲ୍ୟକର ପ୍ରେମ ସମ୍ବାଦ ପରିବେଷଣ କରୁଛନ୍ତି–

 

X X ମୋ ଜୀବନରେ କୌଣସି ପ୍ରେମଲୀଳା ନାହିଁ ।

 

X X X

 

୧୯୩୦ ସାଲ, ଜୁନ୍‌ ୨୦ ତାରିଖରେ ଖଣ୍ଡେ ଚିଠିରେ ଲେଖିଲେ ଜର୍ଜ ବର୍ଣ୍ଣାଡ ଶ’ । ଆହୁରି ମଧ୍ୟ ସ୍ୱଭାବସୁଲଭ ଭଙ୍ଗୀରେ ଲେଖିଥିଲେ, ‘‘ମଝିରେ ମଝିରେ ଅନେକ ତରୁଣୀ ଯେ ମୋ ପ୍ରତି ଆକୃଷ୍ଟ ହୋଇନାହାନ୍ତି ଏକଥା କହିଲେ ଭୁଲ ହେବ । ସେମାନେ ଆକୃଷ୍ଟ ହୋଇଛନ୍ତି । ମୁଁ ମଧ୍ୟ ଆଇରିଶ୍‌ ଭଙ୍ଗୀରେ ସେମାନଙ୍କ ପ୍ରତି ଅନୁରାଗ ଦେଖାଇଛି । X X X

 

ସେ ଅନୁରାଗ କ’ଣ ପ୍ରେମ ନୁହେଁ ? ପ୍ରଣୟ ନୁହେଁ ?

 

‘‘ସେମାନଙ୍କ ମଧ୍ୟରୁ ମା’ଙ୍କର ଜଣେ ବିଧବା ଛାତ୍ରୀ ମୋ ମନରେ ବିଶେଷ କୌତୂହଳ ଉଦ୍ରେକ କରିଥିଲା ।’’

 

‘‘ମୋ ଜୀବନରେ କୌଣସି ପ୍ରେମଲୀଳା ନାହିଁ,’’ ଏକଥା ଲଖି ଶ’ ହାସ୍ୟ ରସର ଅବତରଣ କରିଛନ୍ତି ମାତ୍ର !!

 

ଅସଂଖ୍ୟ ବାନ୍ଧବୀ ପ୍ରେମିକା ଉଦ୍ଦାମ ପ୍ରେମ ରସର ଆସ୍ୱାଦନ ପିପାସା ତାଙ୍କ ପ୍ରାଣରେ ଜଗାଇ ପାରିଛନ୍ତି ।

 

ଶ ନିଷିଦ୍ଧ ଅବଗାହନ ପାଇଁ ଆତ୍ମହରା ହୋଇଛନ୍ତି ।

 

ମା’ଙ୍କର ସଙ୍ଗୀତ ଛାତ୍ରୀ ଜେନି ପ୍ୟାଟରସନ୍‌ଙ୍କ ପ୍ରେମ-ବିଭବ ପ୍ରହସନ ନୁହେଁ । ସେ ପ୍ରେମ ଶ’ଙ୍କ ପ୍ରାଣରେ ପ୍ରେମର ଉଦ୍ଦାମ ହିଲୋଳ ସୃଷ୍ଟି କରିଛି କି ନା, ଦେଖା ହେଲେ ଶ’ଙ୍କୁ ପଚରାଯାଇ ପାରନ୍ତା !

 

ଜେନି ପ୍ୟାଟରସନ୍‌ ଅବଶ୍ୟ ପ୍ରଥମ ପ୍ରେମିକା ନୁହନ୍ତି । ୧୮୮୨ ମସିହାରେ ପ୍ରଥମ ପ୍ରେମରେ ପଡ଼ିଲେ ସେ ସେବିକା ଏଲିସ୍‌ ଲକେଟ୍‌ଙ୍କର ।

 

ହସପିଟାଲରେ ସେବିକା ଚାକିରି କରିବା ସଙ୍ଗେସଙ୍ଗେ ସେ ଶ’ଙ୍କର ମା’ଙ୍କ ପାଖରେ ଗୀତ ଶିଖୁଥିଲେ ।

 

ପ୍ରଥମ ଦେଖାରୁ ହିଁ ଶ’ କେମିତି କେମିତି ଅନୁଭବ କଲେ । ମନର କଥା କବିତାରେ ପ୍ରକାଶ କଲେ । ପ୍ରେମର ମୃଦୁ ଗୁଞ୍ଜନ ଦୁହିଁଙ୍କ ମନରେ ଶିହରଣ ସୃଷ୍ଟି କରିଥିଲେ ହେଁ, ୧୮୮୭ ମସିହା ସେପ୍ଟେମ୍ବର ୯ ତାରିଖରେ ସ୍ପଷ୍ଟ ରୂପରେଖ ନେଲା ।

 

ଶ’ଙ୍କ ମା’ଙ୍କଠାରୁ ବିଦାୟ ନେଇ ଲକେଟ୍‌ ଯାଉଥିଲେ । ଶ’ ତାଙ୍କୁ ଲିଭାରପୁଲ୍‌ ଷ୍ଟ୍ରୀଟ୍‌ ଷ୍ଟେସନରେ ପହଞ୍ଚାଇ ଦେବା ଲୋଭ ସମ୍ବରଣ ନ କରି, ତାଙ୍କ ସାଙ୍ଗରେ ଗଲେ ।

 

ନିର୍ଜନରେ ତରୁଣ-ତରୁଣୀ । ମନରେ ଇପ୍‌ସିତ କାମନା !

 

ମନରେ ଅନୁଭୂତି, କବିତାର ଝଙ୍କାର ନେଇ ପିପାସିତ ଦୁଇଟି ଚକୋର ଚକୋରୀ, ନିର୍ବୋଧଙ୍କ ପରି କ’ଣ ବିଦାୟ ନେଇଥିବେ ? ସତେ କ’ଣ ଜୀବନରେ କୌଣସି ପ୍ରେମଳୀଳା ନଥିଲା ???

 

ତେବେ କାହିଁକି ଶ’ ତା’ ପରଦିନ ଲେଖିଲେ ?

 

X X X ଲକେଟ୍‌, କ୍ଷମା କରିବ ନାହିଁ ସତେ ? କାଲି ରାତିରେ ତମକୁ କ’ଣ ମୁଁ ଆଘାତ ଦେଇଛି ?

 

ଏହି ପ୍ରଶ୍ନର ଉତ୍ତର ମୁଁ ନିଜେ ପାଇ ପାରୁନି ! ଟ୍ରେନ୍‍ ଫେଲ୍‌ ହେବାରେ X X X ତମକୁ ଚିଠି ନ ଲେଖି ରହି ପାରୁନାହିଁ । ମୋତେ ବିଶ୍ୱାସ କର । ମୋର ରସନା ସଂଯତ କରି ପାରିନି-। ତମେ ଜାଣ, ମୋ କଲମ ବଡ଼ ମାରାତ୍ମକ–ହେଲେ ମୋ ହୃଦୟ !

 

ମୋ ହୃଦୟ ଶୀତଳ–ତମେ ଅନୁଭବ କର । ଦେଖ–

 

ଚିଠି ପଢ଼ିସାରି ପୋଡ଼ି ପକାଇବ । ନା, ନା, ଚିଠି ପୋଡ଼ି ପକାଅ ନାହିଁ–ମୋର ଏତିକି ଅନୁରୋଧ–ଜି.ବି.ଏସ୍‌.’’ ।

 

ଏହି ଚିଠି ପାଇ ଲକେଟ୍‌ ପ୍ରାୟ ପ୍ରଣୟର ଆଭାସ ଦେଇଥିଲେ ।

 

ତା’ପରେ ପ୍ରଣୟ ଯୁଗଳଙ୍କ ମଧ୍ୟରେ ନିୟମିତ ଚିଠି ଦେବାନେବା ଚାଲିଥିଲା । ଦେଖା ସାକ୍ଷାତ୍‌ ହେଉଥିଲା । ପ୍ରେମ ଜମି ଯାଉଥିଲା ।

 

ହେଲେ, ସେ ପ୍ରେମ ସାଂସାରିକ କ୍ଷେତ୍ରରେ ରୂପାୟିତ ହୋଇ ପାରିଲା ନାହିଁ ।

 

ଶ’ଙ୍କର ଲେଖା ବଜାରରେ ଆଦୃତ ହୋଇ ନଥିଲା । ପ୍ରକାଶକ ତାଙ୍କ ଉପନ୍ୟାସ କବିତା ଛାପିବା ପାଇଁ ଆଗ୍ରହୀ ହୋଇ ନ ଥିଲେ । ଅର୍ଥାଭାବ ! ଅନାଟନ । ତେଣୁ ପ୍ରେମକୁ ପ୍ରଣୟ ପରିଣତି ପାଇଁ ସମ୍ବନ୍ଧ ଲୋଡ଼ା । ସେଥିପ୍ରତି ସଜାଗ ହୋଇ ଉଠିଲେ ଶ’ ।

 

ଯେଉଁ ରାତିରେ ପ୍ରେମ ବତୀ ଜଳି ଜଳି ଆସିଥିଲା, ଅର୍ଥାଭାବ କାରଣରୁ ଧୀରେ ଧୀରେ ତାହା ଲିଭିଲିଭି ଆସିଲା ।

 

ଲକେଟ୍‌ ପରବର୍ତ୍ତୀ ଜୀବନରେ ଡକଟର ଶାର୍ଗଙ୍କୁ ବିବାହ କରି ସୁଖୀ ହୋଇଥିଲେ । ପାଇବାର ଆନନ୍ଦ ନ ହରାଇ, ପ୍ରେମିକା ହିସାବରେ ଲକେଟ ଶ’ଙ୍କୁ ବାନ୍ଧି ରଖିବା ପାଇଁ ଭୁଲି ନ ଥିଲେ ।

 

ତା’ପରେ ଜେନି ପ୍ୟାଟରସନ୍‌ଙ୍କ ପ୍ରେମ କଥା ବିଚାରକୁ ଆସୁ ।

 

ଏହି ବିଧବା ଧନାଢ୍ୟ ପ୍ରୌଢ଼ା ରମଣୀ ଶ’ଙ୍କଠାରୁ ବୟସରେ ପନ୍ଦର ବର୍ଷ ବଡ଼ । ତଥାପି ତାଙ୍କ ସ୍ୱାସ୍ଥ୍ୟ ବିଭବ, ଅଫୁରନ୍ତ ଯୌନ ସମ୍ଭାର ଓ କମନୀୟତା ଶ’ଙ୍କ ମନକୁ ଅସ୍ଥିର କରିଥିଲା ।

 

ଶ’ଙ୍କର ତାଙ୍କ ସଙ୍ଗରେ ପରିଚୟ ହେଲା ତାଙ୍କ ମା’ଙ୍କର ସଙ୍ଗୀତ ବିଦ୍ୟାଳୟରେ । ପରିଚୟ । ପରିଚୟରୁ ଆତ୍ମୀୟତା । ଆତ୍ମୀୟତାରୁ ପ୍ରେମ । କିନ୍ତୁ ପ୍ରେମରୁ ପ୍ରଣୟର ମହାଦ୍ରୁମ ଅଙ୍କୁରିତ ହେବାରେ ବିଳମ୍ବ ଘଟିଲା ।

 

୧୮୮୫, ଜୁଲାଇ ମାସ ମଧ୍ୟଭାଗରେ ଶ’ଙ୍କ ଡାଇରୀରୁ ଜଣାପଡ଼େ ।

 

ଆମ ଦୁହିଁଙ୍କର ସମ୍ପର୍କ ନିବିଡ଼ରୁ ନିବିଡ଼ତର ହୋଇ ଉଠିଲା । ବହୁ ସମୟ ଧରି ପ୍ରଜାପତି ଘୂରି ବୁଲିବା, ରେସ୍ତୋଁରାର ଡିନର, ଘରେ ଭୋଜି ଖାଇ ସମୟ ଆଗେଇ ଯାଉଥିଲା ।

 

ବର୍ଷିୟସୀ ମିସେସ୍‌ ଜେନି ପ୍ୟାଟରସନ୍‍–ତରୁଣ କବି ଶ’ ।

 

ଦୁଇଟି ପିପାସିତ ଆତ୍ମା, ଅମାପ ସୁଯୋଗ ପାଇ, କୌମାର୍ଯ୍ୟର ଆଦି ପର୍ବ ଉଦ୍‌ଯାପନ ପାଇଁ ସମସ୍ତ ଆୟୋଜନ କରି ଶ’ ଫେରି ଆସୁଥିଲେ କାହିଁକି ? କାହିଁକି ?

 

ଶେଷ ପର୍ଯ୍ୟନ୍ତ ଶ’ ଅତୁଟ ହୋଇ ରହି ପାରିଲି ନାହିଁ ।

 

ଡାଇରୀରେ ଲେଖିଛନ୍ତି । ଜୁଲାଇ ୨୬ ତାରିଖ.......

 

‘‘ରାତି ୩ଟା ପର୍ଯ୍ୟନ୍ତ ତାଙ୍କ ସାହଚର୍ଯ୍ୟରେ କଟାଇଲି । ଅଭିନବ ଅଭିଜ୍ଞତାରେ ଅଣତିରିଶ ମେ ଜନ୍ମଦିନ ମୋର ପାଳିତ ହେଲା ।

 

ଘରକୁ ଫେରିବାବେଳେ, ସେ ମୋତେ ବଳାଇ ଦେବା ପାଇଁ ଫାଟକ ପର୍ଯ୍ୟନ୍ତ ଆସିଥିଲେ ।’’

 

ଜେନି ବିପୁଳ ଐଶ୍ୱର୍ଯ୍ୟର ଅଧିକାରିଣୀ ଥିଲେ ବୋଲି ଶ’ଙ୍କର ମା ଓ ଭଉଣୀ ତାଙ୍କ ସହିତ ଶ’ଙ୍କର ଅବାଧ ମିଳାମିଶାକୁ ସ୍ୱାଗତ କରୁଥିଲେ ।

 

ତାଙ୍କ ସହିତ ଯେବେ ବିବାହ ହୋଇଯାଏ, ଶ’ଙ୍କର ଜୀବନଯାତ୍ରା ପଥ ପୁଷ୍ପିଳ ହୋଇଯିବ ।

 

ହେଲେ ଅଳ୍ପଦିନ ଜେନିଙ୍କ ସହିତ ମିଳାମିଶା ହେବା ପରେ, ଶ’ଙ୍କର ମନର ପରିବର୍ତ୍ତନ ଆସିଲା ।

 

ଜେନିଙ୍କ ପରି ମଧ୍ୟ-ବୟସୀ ଯୁବତୀ ତାଙ୍କୁ ଆଉ ବିମୁଗ୍ଧ କରି ରଖି ପାରିଲା ନାହିଁ ।

 

ହେଲେ ଜେନି ସହଜରେ ତାଙ୍କୁ ମୁକ୍ତି ଦେଉଛନ୍ତି କେତେକେ ?

 

ମାନସିକ ଅଶାନ୍ତିରେ ଶ’ଙ୍କର ଲେଖାଲେଖି ଭଲ ହେଲାନାହିଁ । କିପରି ଜେନିଙ୍କ ହାତରୁ ଖସିଯିବେ, ସେଥିପାଇଁ ଶ’ ବ୍ୟତିବ୍ୟସ୍ତ ହୋଇ ଉଠିଲେ ।

 

ଏତିକିବେଳେ ତାଙ୍କର ପରିଚୟ ହେଲା ଫେବିୟାନ୍‌ ସୋସାଇଟିରେ ଗ୍ରେସ୍‌ ପ୍ରିଲ୍‌ କ୍ରାଇଷ୍ଟ ଓ ଜେରେଲଡାଇନଙ୍କ ସାଙ୍ଗରେ ।

 

ଏ ଦୁହେଁ ତରୁଣ କବିର ପ୍ରାଣରେ ରେଖାପାତ ସୃଷ୍ଟି କରିବା ପୂର୍ବରୁ, ଶ’ ସେମାନଙ୍କଠାରୁ ବିଦାୟ ନେଲେ ।

 

ତଥାପି ଜେନିଙ୍କ କବଳରୁ ମୁକ୍ତି କାହିଁ ? ମନ ବିଦ୍ରୋହ କରି ଉଠେ । ଚାରିଆଡ଼େ ଶୁଣିପାରନ୍ତି, ମୁକ୍ତି ନାହିଁ । ମୁକ୍ତି ନାହିଁ !!

 

ଏହି ମାନସିକ ଅଶାନ୍ତି ନେଇ ଶ’ ଥିଲାବେଳେ, ଦୈବାତ୍ ତାଙ୍କର ଦେଖା ହେଲା, ଆନିବେସାନ୍ତଙ୍କ ସାଙ୍ଗରେ ।

 

ଆନିବେସାନ୍ତଙ୍କର ବାପା ଉଇଲିୟମ ବାର୍ଟନ ପାର୍ଶୀ ଉଡ଼ ଆୟର୍ଲାଣ୍ଡର ଲୋକ । ଆର୍ଥିକ ଅବସ୍ଥା ସ୍ୱଚ୍ଛଳ । ଅମାୟିକ ପ୍ରକୃତି । ଲଣ୍ଡନରେ ଘର କରି ରହୁଥାଆନ୍ତି । ଆନିଙ୍କୁ ଯେତେବେଳେ ପାଞ୍ଚ ବରଷ ସେ ମରିଗଲେ ।

 

ବହୁ ପ୍ରତିକୂଳ ଅବସ୍ଥା ଦେଇ ଆନି ପ୍ରାପ୍ତବୟସ୍କା ତରୁଣୀ ହୋଇ ଉଭା ହେଲେ ।

 

ଶାନ୍ତ, ଧୀର, ବୁଦ୍ଧିମତୀ ! ଅପରୂପ ସୁନ୍ଦରୀ ଆନି ।

 

ବିଂଶବୟସୀ ରୂପମୀ ଆନିଙ୍କର, ପାଦ୍ରୀ ଫ୍ରାଙ୍କ୍‌ ବେସାନ୍ତଙ୍କ ସଙ୍ଗରେ ନିରାଡ଼ମ୍ବର ଭାବରେ ବିବାହ ସମ୍ପାଦିତ ହେଲା ।

 

ଫ୍ରାଙ୍କ୍ ବେସାନ୍ତ ସିଧାସିଧା ଲୋକ । ରୋମାଣ୍ଟିକ୍‌ ନୁହନ୍ତି । ଧର୍ମ ଧାରଣା ନେଇ ସେ ବ୍ୟସ୍ତ ।

 

ଅନ୍ୟ ପକ୍ଷରେ ରୂପସୀ ଆନି ରୋମାଣ୍ଟିକ୍‌ ମହିଳା । ଅବୟବରେ ଯୌବନୋଚିତ ଅବାରିତ ଢେଉ ସୃଷ୍ଟି ହେଉଥିଲା ପ୍ରତି ମୁହୂର୍ତ୍ତରେ.....

 

ଅବଶ୍ୟ ବିବାହ ହେବାର ୨/୩ ବର୍ଷ ଭିତରେ ଆନିଙ୍କର ଗୋଟିଏ ପୁଅ, ଗୋଟିଏ ଝିଅ ହେଲା ।

 

ସଂସାର ଓ ସ୍ୱାମୀ ସୁଖ ଲାଳସାରେ ସେ ତୃପ୍ତ ନ ଥିଲେ । ତେଣୁ ଜୀବନ ପ୍ରବାହର ଗତି ବଦଳାଇବା ପାଇଁ ପ୍ରୟାସୀ ହେଲେ ।

 

କିଛିଦିନ ପାଇଁ ପାଦ୍ରୀଙ୍କଠାରୁ ବିଦାୟ ନେଇ ଆନି ମା’ଙ୍କ ପାଖକୁ ଚାଲିଆସିଲେ ।

 

ଆନି ବେସାନ୍ତା ଓଜସ୍ୱିନୀ ଭାଷାରେ ଭାଷଣ ଦେବାରେ ସେତେବେଳକୁ ନାମ ଅର୍ଜନ କରି ସାରିଥିଲେ ।

 

ପାଦ୍ରୀଙ୍କର ଖ୍ରୀଷ୍ଟ ଧର୍ମ ଓ ଦେବତ୍ୱରେ ଅସୀମ ବିଶ୍ୱାସ ଥିଲାବେଳେ, ଆନିଙ୍କର ମତାମତ ସମ୍ପୂର୍ଣ୍ଣ ପୃଥକ ।

 

ଖ୍ରୀଷ୍ଟ ଧର୍ମ ଈଶ୍ୱରଙ୍କ ଉପରେ ଆନିଙ୍କର ସମ୍ପୂର୍ଣ୍ଣ ଅନାସ୍ଥା ଭାବ । ସ୍ୱାମୀ ଧର୍ମ ପ୍ରଚାରରେ ନିଜକୁ ନିୟୋଜିତ କଲାବେଳେ, ଆନି ଧର୍ମ-ଅଂଧ ଧାରଣା ଓ ଈଶ୍ୱରଙ୍କ ଅସ୍ତିତ୍ୱ ବିଷୟରେ ସର୍ବସାଧାରଣରେ ବିଭିନ୍ନ ଧର୍ମୀ ବକ୍ତୃତା ଦେବାକୁ ଲାଗିଲେ ।

 

ଭଗବାନଙ୍କ ଉଦ୍ଦେଶ୍ୟ ଭିନ୍ନ । ତାଙ୍କର ଏହି ସମୟରେ ହଲ ଚାର୍ଲସ ବ୍ରାଡେଲଙ୍କ ସାଙ୍ଗରେ ପରିଚୟ ହେଲା ।

 

ଚାର୍ଲସ ବ୍ରାଡେଲ ପ୍ରଚଳିତ ଧର୍ମ ବିରୁଦ୍ଦରେ ବୁଲି ବୁଲି ଲୋକମତ ସୃଷ୍ଟି କରୁଥିଲେ ।

 

ଆନି ଚାର୍ଲସଙ୍କ ସହିତ ମିଶି ନାନା ସ୍ଥାନରେ ଧର୍ମବିରୋଧୀ ବକ୍ତୃତା ଦେବାକୁ ଲାଗିଲେ-

 

ମିଷ୍ଟର ବେସାନ୍ତ ଆନିଙ୍କର ଧର୍ମବିରୋଧୀ ପ୍ରଚାର କଥା ଶୁଣି ରାଗରେ ଜଳିବାକୁ ଲାଗିଲେ । ଧାଇଁ ଆସି ଆନିଙ୍କ ସାଙ୍ଗରେ କଳିଗୋଳ କଲେ । ଏପରିକି ଆନିଙ୍କୁ ଆଘାତ କରିବା ପାଇଁ ପାଦ୍ରୀ ପଛେଇଲେ ନାହିଁ ।

 

ଶେଷରେ ପାଦ୍ରୀ ଓ ଆନିଙ୍କର ଚିର ବିଚ୍ଛେଦ ଘଟିଲା ।

 

ତା’ପରେ ଆନି ବେସାନ୍ତଙ୍କର ଶ’ଙ୍କ ସାଙ୍ଗରେ ପ୍ରେମପର୍ବ ଜମି ଉଠିଲା ଫେବିୟାନ୍‍ ସୋସାଇଟିରେ ଦେଖାସାକ୍ଷାତ୍‌ ହେବା ପରେ ।

 

ରୂପସୀ ଆନିଙ୍କର ସୌନ୍ଦର୍ଯ୍ୟରେ ଶ’ ଆତ୍ମହରା ହୋଇ ଉଠିଲେ । ଚିଠିପତ୍ର ଆଦାନ ପ୍ରଦାନ ଚାଲିଲା ।

 

ପରସ୍ପର ଦେଖାସାକ୍ଷାତ୍‌ ନ ଘଟିଲେ ଦୁହିଁଙ୍କର ଜୀବନ ଦୁର୍ବିସହ ହୋଇଉଠିଲା ।

 

ଆନିଙ୍କୁ ବିବାହ କରିବା ପାଇଁ ସେ ପ୍ରସ୍ତାବ ଦେଲେ ।

 

ଏହି ପ୍ରସ୍ତାବରେ ଆନି ବେସାନ୍ତ ଉତ୍‌ଫୁଲ୍ଲ ହୋଇ ନାଚି ଉଠିଲେ ।

 

ହେଲେ ପାଦ୍ରୀ ବେସାନ୍ତ ଏବେ ବି ଜୀବିତ ଥିଲେ । ଡାଇଭର୍ସ ଆଇନ ଅନୁସାରେ ହୋଇ ନଥିଲା । ତେଣୁ ଶ’ ଡାଇଭର୍ସ କରିନେବା ପାଇଁ ଆନିଙ୍କୁ ବାଧ୍ୟ କଲେ ।

 

ପାଦ୍ରୀଙ୍କ ପାଖରେ ଡାଇଭର୍ସ ପ୍ରଶ୍ନ ଉଠାଇ ନିଜକୁ ଆଉ ବିପନ୍ନ କରିବା ପାଇଁ ଆନିଙ୍କର ସାହାସ ହେଲା ନାହିଁ ।

 

ଆନି ଚୁକ୍ତିପତ୍ର ତିଆରି କରି ଶ’ଙ୍କ ପାଖରେ ପହଞ୍ଚିଲେ ।

 

‘‘ଆମର ଫ୍ରି ମ୍ୟାରଜ୍‌ ହେବ । ସ୍ୱାମୀ, ସ୍ତ୍ରୀପରି ଆମେ ବସବାସ କରିବା । କୌଣସି ଚର୍ଚ୍ଚରେ ଧର୍ମର ଆଶ୍ରୟ ବା କୋର୍ଟ କଚେରୀରେ ଆଇନର ଆଶ୍ରୟ ନେବା ନାହିଁ ।’’

 

‘‘ଚୁକ୍ତିପତ୍ର ଦସ୍ତଖତ କରିଦିଅ–ଦିଅ–’’

 

ଶ’ ଅବାକ୍‍ ହୋଇ ଆନିଙ୍କ ମୁହଁଙ୍କୁ ଚାହିଁ ରହିଲେ । କିଛି ସମୟ ଭାବି କହିଲେ–‘‘ଲୋକେ କ’ଣ କହିବେ ? ସର୍ବନାଶର ବାକି ରହିବ କ’ଣ ? ଏମିତି ଭାବରେ ଚଳିବା ଚର୍ଚ୍ଚର ଓ କଚେରୀର ଧର୍ମ ଓ ଆଇନଠାରୁ ବି ଆହୁରି ଘୃଣ୍ୟ !’’

 

ଆନି ବେସାନ୍ତ ଅବାକ୍‌ ହୋଇଗଲେ । ଶ’ଙ୍କ ଉପରେ ତାଙ୍କର ଅସୀମ ପ୍ରଭାବ ଅଛି ବୋଲି ସେ ଯେପରି ଭାବୁଥିଲେ, ସେ ଭାବନା ଚୂରମାର ହୋଇଗଲା ।

 

ସେ ଚିତ୍କାର କରି କହିଲେ, ‘‘ଆଉ ଉପାୟ ନାହିଁ । ଉପାୟ ନାହିଁ.......ମୋ ଚିଠି ପତ୍ରଗୁଡ଼ିକ ପେରାଇ ଦିଅ ଶ’ । ତମ ଚିଠିଗୁଡ଼ିକ ଏଇ ନିଅ.......ଆମ ସମ୍ପର୍କ ଏତିକିରେ ଶେଷ ହେଉ ।’’ ବିଶେଷ ଭାବରେ ଶ’ଙ୍କର ଚିଠିଗୁଡ଼ିକ ଫେରାଇଦେଇ, ଆନି ବେସାନ୍ତ ସ୍ୱହସ୍ତ ପ୍ରେମଲିପିଗୁଡ଼ିକୁ ଧରି ଫେରି ଆସିଲେ ।

 

ଏହି ପର୍ବ ଏତିକିରେ ଶେଷ ହେଲା ।

Image